ଧର୍ମେନ୍ଦ୍ର-ମିତ୍ତଲ ଆଲୋଚନା: ଓଡ଼ିଶା ସ୍ବପ୍ନ ପୁଣି ଉଜ୍ଜୀବିତ

ହୋଇପାରେ ମେଗା ଇସ୍ପାତ କାରଖାନା, କେନ୍ଦୁଝରରେ କାରଖାନା ପାଇଁ ୨୦୦୬ରେ ହୋଇଥିଲା ଏମ୍‌ଓୟୁ

ଭୁବନେଶ୍ବର: ବିଶ୍ବର ସର୍ବବୃହତ୍ ଇସ୍ପାତ କମ୍ପାନି ଆର୍ସେଲର ମିତ୍ତଲ ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ ପାଇଁ ଆଖେଇଥିଲା। କେନ୍ଦୁଝର ଜିଲ୍ଲାର ପାଟଣା ତହସିଲରେ କାରଖାନା ବସାଇବା ଯୋଜନା ବି ହୋଇଥିଲା। ରାଜ୍ୟ ସରକାରଙ୍କ ସହିତ ଏହି କମ୍ପାନି ୨୦୦୬ ମସିହାରେ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। ୪୦ ହଜାର କୋଟି ଟଙ୍କା ନିବେଶରେ ୧୨ ନିୟୁତ ଟନ୍‌ ଇସ୍ପାତ କାରଖାନା ସ୍ଥାପନ କରିଥାନ୍ତା। ଓଡ଼ିଶାକୁ ଏହି ନିବେଶ ଆସିଥିଲେ ପୋସ୍କୋ ପରେ ଏହା ହୋଇଥାନ୍ତା ଦେଶର ଦ୍ବିତୀୟ ବୃହତ୍ ଏଫଡିଆଇ। କିନ୍ତୁ ପୋସ୍କୋ ଗଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ସେଲର ମିତ୍ତଲ କମ୍ପାନି ବି ତାର ପ୍ରସ୍ତାବିତ ପ୍ରକଳ୍ପରୁ ଓହରିଯାଇଥିଲା। ତେବେ ଭାରତରେ ଏସାର ଷ୍ଟିଲ୍‌ ଦେବାଳିଆ ହେବା ପରେ ଆର୍ସେଲର ମିତ୍ତଲ-ନିପନ୍‌ ଷ୍ଟିଲ୍‌ ମିଶି ଏହାର ସଂପତ୍ତିକୁ କିଣିଛନ୍ତି। ଏଥିଯୋଗୁ ଏହି ବିଶ୍ବସ୍ତରୀୟ କମ୍ପାନିର ଓଡ଼ିଶା ପ୍ରବେଶ ସମ୍ଭବ ହୋଇପାରିଛି। କେନ୍ଦୁଝର ଏବଂ ପାରାଦୀପରେ ଥିବା ଏସାର ଷ୍ଟିଲ୍‌ର ଖଣି ଏବଂ କାରଖାନାକୁ ମଧ୍ୟ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପାଇପାରିଛନ୍ତି। ଏଥିସହିତ କମ୍ପାନି ଓଡ଼ିଶାରେ ଗତବର୍ଷ ନିଲାମ ମାଧ୍ୟମରେ କେନ୍ଦୁଝର ଜିଲ୍ଲାର ଠାକୁରାଣୀ ଲୁହାପଥର ଖଣି ହାତେଇଛି। ଏଥିରୁ ଲୁହାପଥର ଉତ୍ତୋଳନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଲାଣି।

ଏମିତି ସମୟରେ ଆଜି କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମିତ୍ତଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଓଡ଼ିଶା ପାଇଁ ଅନେକ ଗୁରୁତ୍ବ ରଖୁଛି। ବିଶେଷକରି ଓଡ଼ିଶା ସଂପର୍କରେ ସେମାନଙ୍କର ଆଲୋଚନା ପରେ ମିତ୍ତଲ କଂପାନିର ଆଗାମୀ ଯୋଜନା ନେଇ ଉତ୍କଣ୍ଠା ପ୍ରକାଶ ପାଇଲାଣି। ଏମିତି ବି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକଟରେ ଆର୍ସେଲର ମିତ୍ତଲ ନିପଲ ‌ଷ୍ଟିଲ୍‌ର ହାଜିରା ପ୍ଲାଣ୍ଟ ପରିଦର୍ଶନରେ ଯାଇଥିଲେ। ଏହାପରେ କମ୍ପାନି ପାରାଦୀପସ୍ଥିତ ପେଲେଟ୍ ପ୍ଲାଣ୍ଟର ଉତ୍ପାଦନ କ୍ଷମତାରେ ୮ ନିୟୁତ ଟନ୍ ବୃଦ୍ଧି ସହିତ ଓଡ଼ିଶାରେ ୧୨ ନିୟୁତ ଟନ୍‌ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବା ଯୋଜନା ରଖିଛି ବୋଲି ଆଲୋଚନା ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାକୁ ଦେଶର ଇସ୍ପାତ ଉତ୍ପାଦନ ପେଣ୍ଠସ୍ଥଳୀରେ ପରିଣତ କରିବା ଉପରେ ଆଲୋଚନା ହୋଇଛି। ଏଥିରେ ଆର୍ସେଲର ମିତ୍ତଲର ଭୂମିକା କ’ଣ ରହିବ ତାହା ଉପରେ ଚର୍ଚ୍ଚା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ସଂପ୍ରସାରଣ ବିଷୟରେ ଆଲୋଚନା ହୋଇଥିବାରୁ ଆର୍ସେଲର ମିତ୍ତଲ ପୁଣି ଏହାର ପ୍ରସ୍ତାବିତ ମୂଳ ପ୍ରକଳ୍ପକୁ ଫେରିବା ଆଶା ଉଜ୍ଜୀବିତ ହୋଇଛି। ୨୦୩୦ ମସିହା ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ‌ ଓଡ଼ିଶାରୁ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରାଯିବ। ସେହି ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ ଆର୍ସେଲର ମିତ୍ତଲ ଭଳି ବୃହତ୍ କମ୍ପାନିର ଯୋଗଦାନର ଯଥେଷ୍ଟ ଗୁରୁତ୍ବ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋଦୟ ମିସନ୍ ଏବଂ ଆତ୍ମନିର୍ଭର ଭାରତ ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଆତ୍ମନିର୍ଭର ଯାତ୍ରାରେ ଆର୍ସେଲର ମିତ୍ତଲର ସହଯୋଗ ନେଇ ଆଲୋଚନା ହୋଇଛି।

ବିଶ୍ବର ଏହି ବୃହତ୍ ଇସ୍ପାତ ନିର୍ମାତା ଭାରତରେ ସଂପ୍ରସାରଣ ପାଇଁ ଆଗ୍ରହୀ ରହିଛି। ତେଣୁ ସଂପ୍ରସାରଣ ପାଇଁ କମ୍ପାନିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ନୂଆ ଉଦ୍ଭାବନ ମାଧ୍ୟମରେ ତୈଳ, ଗ୍ୟାସ, ଇିସ୍ପାତ, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜଭୁତ ଓ ପ୍ରତିଯୋଗିତାମୂଳକ କରିହେବ ସେ ନେଇ ମିତ୍ତଲ ବାପପୁଅଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି। ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି ସେଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ବାରମ୍ବାର କହି ଆସୁଛନ୍ତି। ତେଣୁ ଓଡ଼ିଶାରେ ମେଗା ଇସ୍ପାତ କାରଖାନା ସ୍ଥାପନ ପାଇଁ ଆର୍ସେଲର ମିତ୍ତଲକୁ ମନାଇବାରେ କେନ୍ଦ୍ରମନ୍ତ୍ରୀ କେତେ ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର