କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ପାଲଟା ଆକ୍ରମଣ : ମୁଖ୍ୟମନ୍ତ୍ରୀ ସୁଆଙ୍ଗ ରଚୁଛନ୍ତି – ଧର୍ମେନ୍ଦ୍ର
ଭୁବନେଶ୍ବର : ବିଭିନ୍ନ ନିର୍ବାଚନୀ ସଭାରେ କେନ୍ଦ୍ର ଅବହେଳା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୂଳ ପ୍ରସଙ୍ଗରୁ ମୁହଁ ଲୁଚାଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି। ୧୯ ବର୍ଷ ଶାସନ ଦାୟିତ୍ବରେ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଦାୟିତ୍ବ ପୂରଣ କରିବାର ଥିଲା, ସେ ପ୍ରଶ୍ନଗୁଡ଼ିକ ଊପରେ ଉତ୍ତର ଦେଉ ନାହାନ୍ତି। ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳାର ସୁଆଙ୍ଗ ରଚୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ଓଡ଼ିଶାର ମା’ ଭଉଣୀମାନଙ୍କୁ ମୁନ୍ଦେ ସ୍ବଚ୍ଛ ପିଇବା ପାଣି ମିଳୁ ନାହିଁ। ୪୦ ଲକ୍ଷ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ଘର ମିଳି ନାହିଁ। ସରକାରୀ ସ୍କୁଲ୍ରେ ଶିକ୍ଷକଙ୍କୁ ଦରମା ଓ ସ୍ଥାୟୀ ନିଯୁକ୍ତି ଦିଆଯାଉ ନାହିଁ। ମୋଦୀ ସରକାର ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୧୭୫୦ ଟଙ୍କା ଦେଉଥିଲା ବେଳେ ତାହା ଚାଷୀଙ୍କ ପାଖରେ ପହଞ୍ଚୁ ନାହିଁ। ରାଜ୍ୟରେ ଡାକ୍ତର ନାହାନ୍ତି, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଲାଣି। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିଜେଡି ସରକାରରେ ନାରୀ ନିର୍ଯାତନା ସବୁଠୁ ଅଧିକ ବଢ଼ିଛି। ରାଜ୍ୟରେ କୁପୋଷଣ ଚିନ୍ତାଜନକ ଅବସ୍ଥାରେ ଅଛି।
କେନ୍ଦ୍ର ସହାୟତା ପ୍ରସଙ୍ଗ ଉଠାଇ ଶ୍ରୀ ପ୍ରଧାନ କହିଛନ୍ତି, କଂଗ୍ରେସ ସରକାର ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ଓଡ଼ିଶାରେ ବର୍ଷକୁ ୧୧୨୦ କୋଟି ଟଙ୍କାରେ ୨୮୭୧ କିଲୋମିଟର ରାସ୍ତା ତିଆରି ହେଉଛଥିଲା। ମାତ୍ର ଗତ ୫ ବର୍ଷରେ ବର୍ଷକୁୀ ୪ ହଜାର କିମି ଅଧିକ ରାସ୍ତା ନିର୍ମାଣ ହୋଇଛି। ଚଳିତ ବର୍ଷ ଓଡ଼ିଶାର ଗ୍ରାମାଞ୍ଚଳରେ ରାସ୍ତା ତିଆରି କରିବାକୁ କେନ୍ଦ୍ରରୁ ୨୫୦୦ କୋଟି ଟଙ୍କାରୁ ଅଧିକ ମିଳିଛି। ଓଡ଼ିଶାରେ ପୂର୍ବରୁ ୧୨ରୁ ୧୫ ଲକ୍ଷ ଶୌଚାଳୟ ଥିଲା ବେଳେ ମୋଦୀ ଆସିବା ପରେ ଏହା ବୃଦ୍ଧି ପାଇ ୭୮ ପ୍ରତିଶତରେ ପହଞ୍ଚିଲାଣି। ୨୪ ଲକ୍ଷ ଲୋକଙ୍କ ଘରେ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି ଏବଂ ୪୦ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲ୍ପିଜି ସିଲିଣ୍ଡର୍ ଦିଆଯାଇଛି।