ଓବିସି ଓ ଏସ୍‌ଇବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ଶିକ୍ଷାନୁଷ୍ଠାନରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ(ଏସ୍‌ଇବିସି)ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଓଡ଼ିଶାରେ ଓବିସି ଓ ଏସ୍‌ଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ। ଏମାନଙ୍କ ମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ ଥିବାରୁ ଏମାନଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ।

କେନ୍ଦ୍ର ମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି, ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଅନୁଯାୟୀ ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି। ଅନେକ ରାଜ୍ୟ ସରକାର ରାଜ୍ୟର ଜନସଂଖ୍ୟାର ଏପରି ଏକ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ମାତ୍ର ଓଡ଼ିଶା ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସିମାନଙ୍କୁ ସଂରକ୍ଷଣ ସୁବିଧା ଦେଉ ନ ଥିବା ବେଳେ ଏସ୍‌ଇବିସିମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଦେଇ ନାହାନ୍ତି। ଉଭୟ ଓବିସି ଓ ଏସ୍‌ଇବିସି ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଯୋଗ ଦେବାରୁ ବଞ୍ଚିତ ହୋଇଛନ୍ତି ଓ ଏହା ପଛରେ ସେମାନଙ୍କ ସାମାଜିକ ଓ ଆର୍ଥିକ ପରିସ୍ଥିତି ମୁଖ୍ୟତଃ ଦାୟୀ। ତେଣୁ ଏହି ବର୍ଗର ଲୋକମାନଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରି‌େର ଅଧିକ ସୁଯୋଗ ଉପଲବ୍ଧ କରାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର