ଦାୟିତ୍ବରେ ଧର୍ମେନ୍ଦ୍ର: ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା ବାଟ ଫିଟିଲା
ବଦଳିପାରେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭାଗ୍ୟ
ନୂତନ ଶିକ୍ଷା ନୀତିର କାର୍ଯ୍ୟକାରିତା ସାଜିବ ଆହ୍ବାନ
କେନ୍ଦ୍ରରେ ଧର୍ମେନ୍ଦ୍ର, ରାଜ୍ୟରେ ଅରୁଣ ଯୋଡ଼ି ନିର୍ଣ୍ଣାୟକ ହେବେ!
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ୨୦୨୦ ନଭେମ୍ବର ୨୭। ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ। ଏଭଳି ଏକ ଦିବସରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେତେବେଳେର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କ ନିକଟକୁ ପତ୍ର ଲେଖିଥିଲେ। ଓଡ଼ିଶାର ଶିକ୍ଷାବିତ୍ମାନଙ୍କ ଦୀର୍ଘ ଦିନର ଦାବି ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଶିଳ୍ପଯୋଗୀ ମାନବ ସମ୍ବଳ ସୃଷ୍ଟି କରିବା ପାଇଁ ଏହାର ବହୁତ ଆବଶ୍ୟକତା ରହିଛି। ଏହା ହୋଇପାରିଲେ ଓଡ଼ିଶାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଥିଲେ। ସମୟ ସ୍ରୋତରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏବେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବ ଗ୍ରହଣ କରିଛନ୍ତି। ଶିକ୍ଷାମନ୍ତ୍ରୀ ଭାବେ ସେ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ କରିଥିବାରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଶିକ୍ଷାବିତ୍ଙ୍କଠାରୁ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ, ସମସ୍ତେ ଉତ୍ସାହିତ ହେବା ସହ ୨୦୨୪ ସୁଦ୍ଧା ଉତ୍କଳକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ନେଇ ଆଶାବାଦୀ ଅଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶ୍ରୀ ପ୍ରଧାନ ଗୁରୁବାରଠାରୁ କେନ୍ଦ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ସେହି ସମୟରେ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅରୁଣ କୁମାର ସାହୁ ଦାୟିତ୍ବରେ ରହିଛନ୍ତି। ଯେଉଁଥିପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ମିଳିବା ସମ୍ଭାବନା ସୃଷ୍ଟି ହେଉଛି। କାରଣ ଉଭୟ କେନ୍ଦ୍ର ଓ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗୋଟିଏ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ତଥା ସହପାଠୀ ରହିଥିଲେ। ଏମିତିକି ପରସ୍ପର ବିରୋଧରେ ଛାତ୍ର ସଂସଦ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ସଂଯୋଗ ବଶତଃ ଉତ୍କଳର ଏହି ଦୁଇ ବନ୍ଧୁ ଏବେ କେନ୍ଦ୍ର ଓ ରାଜ୍ୟରେ ଶିକ୍ଷା ମନ୍ତ୍ରୀ ହୋଇଥିବାରୁ କ୍ୟାମ୍ପସ ଲାଗି ଗର୍ବ ଓ ଗୌରବର ବିଷୟ ପାଲଟିଛି। ପ୍ରଫେସରଙ୍କଠାରୁ ଆରମ୍ଭ କରି ପୁରାତନ ଛାତ୍ରଛାତ୍ରୀ ଏମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାମ୍ପସର ଉନ୍ନତି ଦିଗରେ ଏହି ଦୁଇ ବନ୍ଧୁ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସାମାଜିକ ଗଣମାଧ୍ୟମରେ ମତ ଦେଇଛନ୍ତି। କାରଣ ପୂର୍ବରୁ ମଧ୍ୟ ଏହି ଦୁଇ ମନ୍ତ୍ରୀଙ୍କ ଉଦ୍ୟମକ୍ରମେ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସଫଳତାର ସହ ସଂପନ୍ନ ହୋଇଥିଲା। ଶିକ୍ଷାବିତ୍ଙ୍କ ମତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଉତ୍କଳକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିପାରିବ। ଯଦି କେନ୍ଦ୍ର ସରକାର ଏନେଇ ରାଜ୍ୟକୁ ପ୍ରସ୍ତାବ ଦିଅନ୍ତି ଏବଂ ରାଜ୍ୟ ସରକାର ତାହାକୁ ଗ୍ରହଣ କରନ୍ତି ତାହାହେଲେ ମାନ୍ୟତା ମିଳିପାରିବ। ନ ହେଲେ ରାଜ୍ୟ ସରକାର ପ୍ରସ୍ତାବ ପଠାଇବା ପରେ କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିବା ପରେ ତାହା ସଫଳ ହୋଇପାରିବ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଠାରୁ ଓଡ଼ିଶା ଏବେ ବହୁତ କିଛି ଆଶା ରଖିଛି। ବିଶେଷକରି ଉପକୂଳ ଓଡ଼ିଶାରେ ଆଉ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା। କାରଣ ଗତ ନଭେମ୍ବରରେ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ନିଜେ ଲେଖିଥିବା ଚିଠିରେ ଭୁବନେଶ୍ୱର ନିକଟରେ ଦ୍ୱିତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ବିହାର ଓ ଆନ୍ଧ୍ରପ୍ରଦେଶ ଭଳି ପଡୋଶୀ ରାଜ୍ୟ ସହ ତୁଳନା କଲେ ବିହାରରେ ୪ଟି, ଆନ୍ଧ୍ରପ୍ରଦେଶରେ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି। ମାତ୍ର ଓଡ଼ିଶାରେ କେବଳ ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଠାରେ କୋରାପୁଟରେ ରହିଛି। ଏହାଦ୍ୱାରା କେବଳ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀ ଲାଭ ପାଉଛନ୍ତି। ଆଗାମୀ ଦିନରେ ଭୁବନେଶ୍ୱର ପୂର୍ବ ଭାରତର ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରର ପେଣ୍ଠ ସ୍ଥଳୀ ହେବାକୁ ଯାଉଛି। ତେଣୁ ଉତ୍କଳ ବିଶ୍ବବିଦ୍ୟାଳୟ କେନ୍ଦ୍ରୀୟ ମାନ୍ୟତା ପାଇଲେ ଉପକୂଳ ଓ ପୂର୍ବ ଓଡ଼ିଶାର ଛାତ୍ରଛାତ୍ରୀ ଉପକୃତ ହେବା ସହ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଉଲ୍ଲେଖ କରିଥିଲେ।
ଉଚ୍ଚ ଶିକ୍ଷାନୁଷ୍ଠାନକୁ ସଶକ୍ତ କରିବା, ଗବେଷଣାକୁ ପ୍ରୋତ୍ସାହନ ସହ ଶିଳ୍ପଯୋଗୀ ମାନବ ସମ୍ବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ରହିଥିଲେ ମଧ୍ୟ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଦେଶ ବିଦେଶର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ସେତେଟା ସଫଳ ହୋଇ ନାହିଁ। ଗବେଷଣାରେ ବି ସଫଳତା ମିଳିନି। ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଦାୟିତ୍ବରେ ରହିଥିବାରୁ ଓଡ଼ିଶାରେ ବୈଷୟିକ ଶିକ୍ଷାନୁଷ୍ଠାନର ବିକାଶ, ବେଙ୍ଗାଲୁରୁ ଆଇଆଇଏସ୍ସି ପରି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବେ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି। ନୂତନ ଶିକ୍ଷା ନୀତିର କାର୍ଯ୍ୟକାରିତା, କରୋନା ସମୟରେ ପିଲାଙ୍କ ପାଠପଢ଼ା, ଶିକ୍ଷାବର୍ଷ ପ୍ରସ୍ତୁତ, ଗୁଣାତ୍ମକ ଶିକ୍ଷାର ବିକାଶ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଲାଗି ଆହ୍ବାନ ରହିବ ବୋଲି କୁହାଯାଉଛି।