ଢେଙ୍କାନାଳ: ଶନିବାର ଭୋର୍ ପାଞ୍ଚଟା ପରେ ଗେଙ୍ଗୁଟିଆ ଲେବଲ୍ କ୍ରସିଙ୍ଗ୍ ନିକଟରେ ହାତୀ କଚଡ଼ା ଖାଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ବ୍ୟକ୍ତିଜଣକ ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ଏବଂ ତାଙ୍କ ନାଅାଁ ସୁଶାନ୍ତ ବେହେରା ବୋଲି ଜଣାପଡ଼ିଛି।
ଆଜି ଭୋର୍ ପ୍ରାୟ ୫ଟା ବେଳେ ଶ୍ରମିକ ଭାବେ କାମ କରୁଥିବା ୩୫ ବର୍ଷିୟ ସୁଶାନ୍ତ ସାଇକେଲ ଚଳାଇ ନିଜ ଗ୍ରାମ ଠାରୁ ୧୫ କିଲୋମିଟର ଦୂର ଢେଙ୍କାନାଳ ସହରର କାମାକ୍ଷା ଛକ ଅଭିମୁଖେ ଯାଉଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଛି ଲେବଲ୍ କ୍ରସିଙ୍ଗ୍ ଟପିବା ସମୟରେ ଗୋଟାଏ ବଣୁଆ ହାତୀ ଦେଖି ପକାଇବାରୁ ସୁଶାନ୍ତ ସାଇକେଲ୍ ଛାଡ଼ି ଦୌଡ଼ି ପଳାଉଥିଲେ। କିନ୍ତୁ ହାତୀଟି ଧାଇଁ ଯାଇ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବାରୁ ସେ ସାଙ୍ଘାତିକ ଆହତ ହୋଇ ମରିଯାଇଛନ୍ତି। ତାଙ୍କ ମୁହଁରେ ଭୀଷଣ କ୍ଷତ ହୋଇ ରକ୍ତ ବାହାରୁ ଥିବା ଦେଖାଯାଉଛି।
ସକାଳ ଛଅଟା ପରେ ନିକଟବର୍ତ୍ତୀ ଅଞ୍ଚଳର ଲୋକେ ଲେବଲ୍ କ୍ରସିଙ୍ଗ୍ ପାର ହେବା ବେଳେ ସୁଶାନ୍ତଙ୍କ ଶବ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେବାରୁ ସେମାନେ ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ।
ସ୍ଥାନୀୟ ଅଧିବାସୀଙ୍କ କହିବାନୁସାରେ, କିଛି ଦିନ ହେବ ସେଠାରେ ଏକ କଣା ହାତୀ ବୁଲାବୁଲି କରୁଛି। ଏଇଟା ସେ ହାତୀର କାମ ହୋଇଥାଇ ପାରେ।
ଘଟଣାସ୍ଥଳରେ ସଦର ରେଞ୍ଜ୍ ବନ ବିଭାଗ ସହ ସଦର ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।
ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି।