ମୂକ ବଧିର +୨ ପରୀକ୍ଷାର୍ଥୀଙ୍କ ଭାଗ୍ୟଙ୍କ ସହ ଖେଳ : ସାଧାରଣ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ରରେ ପରୀକ୍ଷା ଦେଲେ ମୂକ ବଧିର ପରୀକ୍ଷାର୍ଥୀ 

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷାରେ ବିଶୃଙ୍ଖଳାର ଚିତ୍ର ଏଯାଏଁ ମନରୁ ହଟିନି। ଏଣେ ଆଜି +୨ ମୂକ ବଧିର ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳିଛି ଉଚ୍ଚଶିକ୍ଷା ବିଭାଗ। ସତ୍ୟଭାମା ଦେବୀ ଉଚ୍ଚ ମାଧ୍ୟମିକ ମୂକ ବଧିର ବିଦ୍ୟାଳୟର ୭୯ ଜଣ ମୂକ ବଧିର ଛାତ୍ରଛାତ୍ରୀଙ୍କୁ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ର ଦେବା ପରିବର୍ତେ ସାଧାରଣ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଦିଆଯାଇଥିଲା। ଭାରତ ସରକାରଙ୍କ ଗାଇଡ୍‌ଲାଇନ୍‌ ମୁତାବକ, ୨୦୧୫ରୁ ମୂକ ବଧିର ପିଲାମାନଙ୍କୁ କେବଳ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ର ଦିଆଯାଉଛି। ୭ ତାରିଖରୁ ପରୀକ୍ଷା ଦେଉଥିବା ମୂକ ବଧିର ଛାତ୍ରଛାତ୍ରୀ ୫ଟି ବିଷୟରେ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନ ପତ୍ର ପାଇ ପରୀକ୍ଷା ଦେଇଥିଲେ। ମାତ୍ର ଆଜି ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏନେଇ ଉକ୍ତ ଅନୁଷ୍ଠାନର ସମ୍ପାଦିକା ନିରୋଜାଲକ୍ଷ୍ମୀ ମହାପାତ୍ର କଣ୍ଟ୍ରୋଲ୍‌ ରୁମ୍‌କୁ ଜଣାଇଥିଲେ। ଏ ବାବଦରେ ପରୀକ୍ଷା ନିୟନ୍ତ୍ରକ ନିରୋଜାଲକ୍ଷ୍ମୀଙ୍କ ସହ କଥାବାର୍ତା ବେଳେ ପରୀକ୍ଷା ଆଉ ଥରେ କରାଯିବ ବୋଲି କହିଛନ୍ତି। ମାତ୍ର ପିଲାମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। କହିଛନ୍ତି, ଏହା ସହ ସମ୍ପୃକ୍ତ କର୍ତୃପକ୍ଷଙ୍କ ଭୁଲ୍‌। ତେଣୁ ଆମେ ଆଉ ଥରେ ପରୀକ୍ଷା ଦେବୁ ନାହିଁ। ଏନେଇ ନ୍ୟାୟ ଦାବି କରିବା ସହ ସମସ୍ୟାର ସମାଧାନ ନହେଲେ ମୂକ ବଧିର ପରୀକ୍ଷାର୍ଥୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି।

 

ବିଡ଼ମ୍ବନା ଏହିକି ଯେ ବିଜେବି କଲେଜ୍‌ରେ ପରୀକ୍ଷା ଦେଉଥିବା +୨ ମୂକ ବଧିର ପରୀକ୍ଷାର୍ଥୀଙ୍କ ପାଇଁ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ର ଦିଆଯାଇଥିବା ବେଳେ ସତ୍ୟଭାମା ଦେବୀ ଉଚ୍ଚ ମାଧ୍ୟମିକ ମୂକ ବଧିର ବିଦ୍ୟାଳୟର ପିଲାମାନଙ୍କ ଭାଗ୍ୟ ସହ ଖେଳିବା ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମାର୍ଗଦର୍ଶୀ ଅନୁଯାୟୀ, ପରୀକ୍ଷା କେନ୍ଦ୍ରର ପର୍ଯ୍ୟବେକ୍ଷକ ପ୍ରଶ୍ନପତ୍ର ପଢ଼ିପାରିବେ ନାହିଁ। ତେଣୁ ଯଦିଓ ସମ୍ପୃକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକମାନେ ଥିଲେ, କିନ୍ତୁ ପ୍ରଶ୍ନପତ୍ରରେ ଥିବା ଏହି ତ୍ରୁଟି ସମ୍ବନ୍ଧରେ ଜାଣି ପାରିନଥିଲେ। ଆଗକୁ ୨୦ ତାରିଖରେ ମନୋବିଜ୍ଞାନ ଏବଂ ୨୭ରେ ଅର୍ଥନୀତି ପରୀକ୍ଷା ଅଛି। ଏଇ ୨ ପ୍ରଶ୍ନପତ୍ର ଯଦି ନିୟମ ମୁତାବକ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ର ନ ହୋଇନଥାଏ, ତେବେ ଆହୁରି ଅଡ଼ୁଆ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର