ଶ୍ରମିକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚରେ ଅସଙ୍ଗତି: ଆଦାୟ ୨୬୦ କୋଟି, ଖର୍ଚ୍ଚ ମାତ୍ର ୬୧ ‌‌କୋଟି

ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାଜ୍ୟରେ ଶ୍ରମିକଙ୍କ କଲ୍ୟାଣ ପାଇଁ ସେସ୍ ଆକାରରେ ଯେତିକି ଟଙ୍କା ଆଦାୟ ହେଉଛି, ତାହାର ୪ ଭାଗରୁ ଭାଗେ ବି ଶ୍ରମିକଙ୍କ କଲ୍ୟାଣ ଦିଗରେ ଖର୍ଚ୍ଚ ହୋଇନି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୬ ମାସର ଏଭଳି ସ୍ଥିତିକୁ ନେଇ ଏ ସଂପର୍କିତ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ହାଇକୋର୍ଟରେ ଶ୍ରମିକଙ୍କ କଲ୍ୟାଣ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ନଭେମ୍ବର ୨୩ର ସତ୍ୟପାଠ ଅନୁସାରେ ୨୦୧୮-୧୯ ବର୍ଷରୁ ସେସ୍ ଆଦାୟ ପରିମାଣ ବଢ଼ିଚାଲିଛି। ୨୦୨୨-୨୩ ବର୍ଷରେ ଏଯାଏ ଅର୍ଥାତ୍‌ ପ୍ରଥମ ୬ ମାସରେ ପ୍ରାୟ ୨୬୦.୧୪ କୋଟି ଟଙ୍କା ସେସ୍‌ ଆଦାୟ ହୋଇଛି। ମାତ୍ର, ୬୧.୬୧ କୋଟି ଟଙ୍କା ଶ୍ରମିକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ, ୨୦୨୧ରେ ଖର୍ଚ୍ଚ ପରିମାଣ ୨୭୦ କୋଟି ଟଙ୍କା ଥିଲା। ଚଳିତବର୍ଷ ନାଟକୀୟ ଢଙ୍ଗରେ ଶ୍ରମିକଙ୍କ କଲ୍ୟାଣ ପାଇଁ କମ୍ ଖର୍ଚ୍ଚ ହୋଇଥିବା ସ୍ପଷ୍ଟ ହେବାପରେ ହାଇକୋର୍ଟ ଏହି ପ୍ରସଙ୍ଗରେ ସାନି ସତ୍ୟପାଠ ୨୦୨୩, ଜାନୁଆରି ୯ ସୁଦ୍ଧା ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଦାୟ ହେଉଥିବା ସେସ୍‌ ବିନିଯୋଗ ହୋଇନପାରିବା ପ୍ରସଙ୍ଗରେ ଜବାବ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଆଦାୟ ତୁଳନାରେ ଅପେକ୍ଷାକୃତ ବହୁତ କମ୍‌ ସେସ ଅର୍ଥ ଶ୍ରମିକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହୋଇଥିବାରୁ ଏହାର କାରଣ ସହ ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡିଶା ରାଜ୍ୟ ଅାଇନସେବା ପ୍ରାଧିକରଣ ପକ୍ଷରୁ ଦାୟର ଜନସ୍ବାର୍ଥ ଅାବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ନିର୍ମାଣ ଶ୍ରମିକ କଲ୍ୟାଣ ଆଇନ ଅନୁସାରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କଠାରୁ ବାର୍ଷିକ ୫୦ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲେ ମଧ୍ୟ ଏ ବାବଦ ତଥ୍ୟ ରାଜ୍ୟ ସରକାରଙ୍କ ସତ୍ୟପାଠରେ ଦିଆଯାଇନାହିଁ ବୋଲି ଆଜି ମାମଲା ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ପ୍ରତିବର୍ଷ ଲକ୍ଷାଧିକ ଶ୍ରମିକଙ୍କ ନିକଟରୁ ପଞ୍ଜୀକରଣ ପାଇଁ ୫୦ ଟଙ୍କା ନିଆଯାଉଥିବା ବେଳେ ଏ ବାବଦରେ କେତେ ଖର୍ଚ୍ଚ ହୋଇଛି ଓ କେତେ ଆଦାୟ ହୋଇଛି, ସେ ନେଇ ସ୍ଥିତି ସ୍ପଷ୍ଟ କରାଯିବା ଉଚିତ। ଏଥିସହିତ ଏପରି ୫୦ ଟଙ୍କା ଆଦାୟ ବ୍ୟବସ୍ଥା କୋହଳ କରାଯିବା ସପକ୍ଷରେ ଆବେଦନକାରୀଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହି ପ୍ରସଙ୍ଗରେ ମଧ୍ୟ ସତ୍ୟପାଠରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଜାନୁଆରି ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସେସ୍ ଆଇନ, ୧୯୯୬ ଓ କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ରେଗୁଲେସନ୍ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ୍) ଆଇନ କଡ଼ାକଡ଼ି କାର୍ଯ୍ୟକାରୀ ପ୍ରସଙ୍ଗ ନେଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା।

ସମ୍ବନ୍ଧିତ ଖବର