ରାଜ୍ୟର ଆଉ ୩ଟି ଜିଲ୍ଲାରେ ଖୋଲିବ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର

୧୦ ଜିଲ୍ଲାରେ ନିଶାମୁକ୍ତି ଅଭିଯାନ

ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟର ୮ଟି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର(ଡିଡିଆର୍‌ସି) କାର୍ଯ୍ୟ କରୁଛି। ରାଜ୍ୟରେ ଆଉ ତିନିଟି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର ଓ ଅନୁଗୁଳରେ ଏହି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏ ସମ୍ପର୍କରେ କେନ୍ଦ୍ର ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଫଳରେ ଏହି ତିନିଟି ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଡିଡିଆର୍‌ସି ଖୋଲିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଓଡ଼ିଶାରେ ଶିକ୍ଷାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୫% ସିଟ୍‌ ସଂରକ୍ଷିତ ରହିବା ପାଇଁ ବ୍ୟବସ୍ଥା ରହିଛି। ଏହାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ସାମାଜିକ ପରାମର୍ଶ ଦାତା ବୈଠକରେ ସୁପାରିସ୍‌ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅଗଷ୍ଟ ୧୫ ତାରିଖରୁ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ କିଛି ଜିଲ୍ଲାରେ ନିଶାମୁକ୍ତି ଅଭିଯାନ ଆରମ୍ଭ କରାଯାଉଛି। ଏଥିରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ସାମିଲ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, କଟକ, ଦେବଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, ପୁରୀ, ରାୟଗଡ଼ା ଓ ସମ୍ବଲପୁର। ଏହି ଅଭିଯାନରେ ମୁଖ୍ୟତଃ ଡ୍ରଗ୍ସ ସେବନର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ପ୍ରତି ଜିଲ୍ଲାକୁ ଏ ବାବଦରେ ୧୦ ଲକ୍ଷ ଟଙ୍କା ଦିଆଯିବ। ରାଜ୍ୟସ୍ତରୀୟ ସଚେତନତା ଅଭିଯାନ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର