‘ଦମନ’ ଦେଖିବେ ଜିଲ୍ଲା ସରକାରୀ କର୍ମଚାରୀ: ସିନେମା ହଲ୍ ବୁକ୍ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ

ଭୁବନେଶ୍ବର: ୩ଦିନ ତଳେ ଲୋକସେବା ଭବନରେ ସ୍ବତନ୍ତ୍ରଭାବେ ପ୍ରଦର୍ଶିତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ପରେ ଏହାକୁ ଜିଲ୍ଲା/ଉପଖଣ୍ଡସ୍ତରରେ ପ୍ରଦର୍ଶନ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଉପଯୁକ୍ତ ସିନେମା ହଲ୍‌ ବୁକ୍ କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି।

ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ନୂଆପଡ଼ା ଓ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮ହଜାର ମ୍ୟାଲେରିଆ ପ୍ରବଣ ଗାଁମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା। କ୍ଷେତ୍ରସ୍ତରରେ କାର୍ଯ୍ୟରତ ଡାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକରଣ ଦିଗରେ ଉଲ୍ଲେଖନୀୟ ସଫଳତା ମିଳିଥିଲା। ତେବେ ସଫଳତାର ରାସ୍ତା ସହଜ ନ ଥିଲା। ପାହାଡ଼, ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଗ୍ରାମମାନଙ୍କରେ ପ୍ରଚଳିତ ଅନ୍ଧ ବିଶ୍ବାସ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଯୋଗାଯୋଗର ଅଭାବ ଆଦି ଏ ଦିଗରେ ବଡ଼ ପ୍ରତିବନ୍ଧକ ସାଜିଥିଲା। ଏସବୁକୁ ଅତିକ୍ରମ କରି ‘ଦମନ’ର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ନିଷ୍ଠାପର ଡାକ୍ତର ଓ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ବାସ୍ତବ କଥା ଉପରେ ‘ଦମନ’ ସିନେମା ପ୍ରସ୍ତୁତ ହୋଇଛି। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ସିନେମା ଦେଖିବା ସହିତ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ସିନେମାଟିକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ସ୍ତରରୁ ଆସିଥିବା ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମାକୁ ଜିଲ୍ଲା/ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଉପଖଣ୍ଡସ୍ତରରେ ଗୋଟିଏ ସୋ’ ପାଇଁ ସର୍ବାଧିକ ୪୦ହଜାର ଟଙ୍କା ଖର୍ଚ୍ଚ ହୋଇପାରିବ। ଏ ବାବଦ ଅର୍ଥ ସ୍ବାସ୍ଥ୍ୟ ବିଭାଗର ସଚେତନତା(ଆଇଇସି) କ୍ଷେତ୍ରରୁ ଭରଣା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର