ଲିଭିଗଲା ଦୀପ୍ତିଙ୍କ ଜୀବନ ଦୀପ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

କଟକ: ଯୌତୁକ ପାଇଁ ଶାଶୁ ଘର ଲୋକେ ବୋହୂକୁ  ହତ୍ୟା କରିଲେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବୋହୂର ବାପଘର ଲୋକେ। ଯାହାକୁ ନେଇ ପୁରୀଘାଟ ଥାନାରେ ବାପଘର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପଟେ ହତ୍ୟାର ଶିକାର ହୋଇଥିବା ବୋହୂ ଦୀପ୍ତି ମଲ୍ଲିକଙ୍କର ଆଜି ପୁଲିସ ଉପସ୍ଥିତିରେ ଏସସିବିରେ ଶବ ବ୍ୟବଚ୍ଛେଦ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ୨୦୧୯ ଜୁଲାଇ ୭ ତାରିଖରେ ପୁରୀଘାଟ ଥାନା ଅନ୍ତର୍ଗତ ତଳତେଲେଙ୍ଗା ବଜାର ବିଜୁ ମଲ୍ଲିକଙ୍କ ସହିତ ଦୀପ୍ତିଙ୍କର ବିବାହ ହୋଇଥିଲା । ବିବାହର ମାତ୍ର ୩ ସପ୍ତାହ ନ ପୁରୁଣୁ ଦୀପ୍ତିଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବାର ଆରମ୍ଭ କରିଥିଲେ ଶାଶୂ ଘର ଲୋକେ । ବିଭିନ୍ନ ସମୟରେ ସ୍ୱାମୀ ବିଜୁଙ୍କ ସହିତ ତାଙ୍କ ମା ଓ ଭଉଣୀ ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ ।

ଏ ବାବଦରେ ଦୀପ୍ତି ପରିବାର ଲୋକଙ୍କୁ ଅବଗତ ମଧ୍ୟ କରାଇଥିଲେ । ମାତ୍ର ଦୀପ୍ତିଙ୍କ ବାପ ଘର ଲୋକଙ୍କର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିବାରୁ ଦାବି ଟଙ୍କା ଦେବାରେ ଅସମର୍ଥ ହୋଇଥିଲେ । ଯାହାକୁ ନେଇ ବିଭିନ୍ନ ସମୟରେ ସ୍ୱାମୀ, ଶାଶୁ ଓ ନଣନ୍ଦ ମାଡ ମାରୁଥିବା ଅଭିଯୋଗ ହୋଇଛି । ତେବେ ଆଜି ହଠାତ ଶଶୁର ଘର ଲୋକ ଦୀପ୍ତିଙ୍କ ବାପ ଘରକୁ ଫୋନ ଯୋଗେ ମୃତ୍ୟୁ ଖବର କହିଥିଲେ ।

ଏହାପରେ ବାପଘର ଲୋକେ ଆସି ଦେଖିବା ସମୟରେ ଦୀପ୍ତିଙ୍କ ବେକ ଓ ମୁଣ୍ଡ ପଛପଟ ଭାଗରେ ଗଭୀର ଆଘାତ ଲାଗିବା ସହିତ ରକ୍ତ ଦେଖିଥିଲେ । ଏହାକୁ ଆଧାର କରି ପରିବାର ଲୋକେ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ଅପରପଟେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର