ସ୍ନାୟୁ ଶଲ୍ୟ ଚିକିତ୍ସାର ଭୀଷ୍ମ ସନାତନ

କଟକ : ପ୍ରଫେସର ଡାକ୍ତର ସନାତନ ରଥ। ଦୀର୍ଘ ୫୦ ବର୍ଷ ଧରି ଚିକିତ୍ସା ଜଗତର ଜାଜ୍ଜ୍ବଲ୍ୟମାନ ତାରକା ଭାବେ ପରିଗଣିତ ହୋଇ ଆସୁଥିଲା ଏହି ନାଁ। ସେ କେବଳ ଜଣେ ପ୍ରଖ୍ୟାତ ନ୍ୟୁରୋ ସର୍ଜନ ନଥିଲେ, ଜଣେ ଚିକିତ୍ସିକ ଆଉ ଭଲ ମଣିଷ ଭାବେ ଅନେକ ବିଶେଷଗୁଣର ଅଧିକାରୀ ଥିଲେ। ସେ ଥିଲେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ସ୍ବଳ୍ପ ଆଉ ମିଷ୍ଟଭାଷୀ। ସମ୍ବେଦନଶୀଳ, ସାହାଯ୍ୟକାରୀ, ପରୋପକାରୀ। ରାଜ୍ୟରେ ନ୍ୟୁରୋସର୍ଜରିର ଜନକ ଆଉ ନ୍ୟୁରୋସର୍ଜରି ଚିକିତ୍ସାର ଧନ୍ବନ୍ତରି ଭଳି ଅନେକ ଉପମା ତାଙ୍କ ନାମ ସହ ଆପେଆପେ ଯୋଡ଼ି ହୋଇଯାଏ। ବାସ୍ତବରେ ସେ ଥିଲେ ସ୍ନାୟୁ ଶଲ୍ୟ ଚିକିତ୍ସାର ଭୀଷ୍ମ ପିତାମହ। ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରକୁ ବାଦ ଦେଲେ କଟକର ସାମାଜିକ, ସାଂସ୍କୃତିକ ତଥା ସାହିତ୍ୟିକ ଜନଜୀବନ ସହ ତାଙ୍କର ଅର୍ଦ୍ଧଶତାବ୍ଦୀର ସଂପୃକ୍ତିରେ ଆଜି ଯବନିକା ପଡିଛି ସତ, ହେଲେ ଜନମାନସରେ ସେ ଚିର ଅମର ହୋଇ ରହି ଯାଇଛନ୍ତି।

ଶେଷ ପର୍ଯ୍ୟନ୍ତ ଲକ୍ଷଲକ୍ଷ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଦେଇ ସେ ଅମର ହୋଇ ଯାଇଛନ୍ତି
ପ୍ରଫେସର ଡାକ୍ତର ସଦାତନ ରଥ ଓଡିଶା ଚିକିତ୍ସା ଆକାଶର ଉଜ୍ଜଳ ନକ୍ଷତ୍ର। ସଫଳ ସ୍ନାୟୁଶଲ୍ୟ ଚିକିତ୍ସିକଭାବେ ତାଙ୍କର ଆନ୍ତର୍ଜାତିକ ଖ୍ୟାତି ଥିଲା। ସମାଜର ପ୍ରତ୍ୟେକଟି ବ୍ୟକ୍ତି ପାଇଁ ତାଙ୍କ ଦୃଦୟରେ ଦରଦ ଥିଲା। ଚିକିତ୍ସା ବିଜ୍ଞାନଠାରୁ ଆରମ୍ଭ କରି ସାମାଜିକ ଓ ସାଂସ୍କୃତିକ ବିକାଶରେ ତାଙ୍କ ଅବଦାନ ଅତୁଳନୀୟ। ମାତ୍ର ୩୧ ବର୍ଷ ବୟସରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଭାବେ ସ୍ନା୍ୟୁଶଲ୍ୟ ବିଭାଗ ପ୍ରତିଷ୍ଠା କରିଥିଲେ। ୪୦ବର୍ଷ ତଳେ ଏସ୍‌ସିବିରେ ସିଟି ସ୍କାନ୍‌ ସେବା ଆରମ୍ଭ କରିଥିଲେ। ଡାକ୍ତରୀ ଶିକ୍ଷା ଓ ତାଲିମ୍‌ର ନିର୍ଦ୍ଦେଶକଭାବେ ଓଡିଶା ଡାକ୍ତରମାନଙ୍କ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ। ଶେଷ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ରୋଗୀଙ୍କୁ ଉତ୍କୃଷ୍ଟ ସେବାର ସୁଯୋଗ ଦେଇ ସେ ଅମର ହୋଇ ଯାଇଛନ୍ତି। ସନାତନ ରଥ ଆଜି ଆମ ଗହଣରେ ନାହାନ୍ତି, ତାହା ବିଶ୍ବାସ କରିବା ଅସମ୍ଭବ। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ଅପୂରଣୀୟ।
ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ପରାମର୍ଶଦାତା; ଭେଷଜ ବିଶେଷଜ୍ଞ ଏସ୍‌ସିବି

ସୁନ୍ଦର ଓ ପ୍ରାଞ୍ଜଳ ଭାବେ ଲେଖୁଥିଲେ
ନା ହିଁ ତାଙ୍କ ପରିଚୟ। ପ୍ରଫେସର ଗିରିଜା ଶଙ୍କର ଦାସ ମହାପାତ୍ର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଶଲ୍ୟ ବିଭାଗର ମୁଖ୍ୟ ଥିବାବେଳେ ଡାକ୍ତର ରଥଙ୍କୁ ସ୍ନାୟୁଶଲ୍ୟ ଚିକିତ୍ସାରେ ଉଚ୍ଚତର ଶିକ୍ଷାଲାଭ ପାଇଁ ଭେଲୋର ମେଡିକାଲ କଲେଜକୁ ଯିବା ପାଇଁ ସୁପାରିସ କରିଥିଲେ। ୧୯୬୭ରେ ଭେଲୋରରୁ ଫେରି ଡାକ୍ତର ରଥ ଏସ୍‌ସିବିରେ ସ୍ନାୟୁଶଲ୍ୟ ବିଭାଗ ପ୍ରତିଷ୍ଠା କରିଥିଲେ। ସେତେବେଳେ ମସ୍ତିଷ୍କ ଓ ସ୍ନାୟୁଶଲ୍ୟ ଚିକିତ୍ସା ଏକ ପ୍ରାରମ୍ଭିକ ସ୍ତରରେ ଥିଲା। ଆଧୁନିକ ଯୁଗର ନିଦାନ ଓ ପରୀକ୍ଷା ଅଭାବରୁ ମସ୍ତିଷ୍କ, ମେରୁଦଣ୍ଡ ଓ ସ୍ନାୟୁର ବିଭିନ୍ନ ଜଟିଳ ରୋଗର ସଫଳ ଚିକିତ୍ସା ସେତେ‌ବେଳେ କଷ୍ଟସାଧ୍ୟ ଥିଲା। ମାତ୍ର ଡାକ୍ତର ରଥଙ୍କ କର୍ତ୍ତବ୍ୟନିଷ୍ଠା ଫଳରେ ଏହି ବିଭାଗର ମୂଳଦୁଆ ପଡିଥିଲା। ସାଧାରଣ ଶଲ୍ୟ ଚିକିତ୍ସାରେ ଉତ୍ତୀଣ୍ଣ ହେବାପରେ ମୁଁ ସ୍ନାୟୁଶଲ୍ୟ ବିଭାଗରେ ଅଧ୍ୟୟନ କରିବା ପାଇଁ ଲକ୍ଷ୍ୟ ରଖିଥିଲି। ଏହାର କାରଣ ଥିଲେ ଡାକ୍ତର ରଥ। ତାଙ୍କ ସହିତ ପ୍ରଥମେ କାମ କରିବା ସମୟରେ ମୁଁ ପୁରୁଣ‌ା ରୋଗୀଙ୍କର ଥିବା ଶଯ୍ୟା ପତ୍ରିକା ଅନୁଧ୍ୟାନ କରିବା ସମୟରେ ପ୍ରଫେସର ରଥଙ୍କର ଅତି ସୁନ୍ଦର ଓ ପ୍ରାଞ୍ଜଳ ଭାବରେ ଲିପିବଦ୍ଧ ହସ୍ତଲିପିରୁ ପ୍ରେରଣା ପାଇଛି। ବର୍ତ୍ତମାନ ନିଦାନ ଓ ଚିକିତ୍ସା ପଦ୍ଧତି ବଦଳିଗଲାଣି। କିନ୍ତୁ ସ୍ନାୟୁ ବିଜ୍ଞାନର ଅଗ୍ରଗତିରେ ମୂଳଦୁଆ ପକାଇଥିବା ସେହି ଚିର ନମସ୍ୟ ଡାକ୍ତର ରଥଙ୍କ ଅବଦାନ ଚିରକାଳ ଲିପିବଦ୍ଧ ହୋଇ ରହିବ। ଆମେ ଆଜି ଯାହା ହୋଇପାରିଛୁ, ତାରି ପଛରେ ରହିଛି ତାଙ୍କ ଦିଗ୍‌ଦର୍ଶନ।
ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ବିଭାଗୀୟ ମୁଖ୍ୟ, ସ୍ନାୟୁଶଲ୍ୟ ବିଭାଗ, ଏସ୍‌ସିବି

ତାଙ୍କ ପ୍ରସ୍ତୁତ ରୋଗୀଙ୍କ ଡାଟା ବେସ୍ ୨୦ ବର୍ଷ ପରେ ବି ମିଳୁଥିଲା
ସେ ଥିଲେ ମୋ ଶିକ୍ଷକ। ତାଙ୍କ ହାତଗଢା ମଣିଷ ଆମେ। ସେ ଯେଉଁ ସମୟରେ ଓଡିଶାରେ ନ୍ୟୁରୋସର୍ଜରି ବିଭାଗରେ ଆସି ଯୋଗଦେଲେ, ସେତେବେଳେ ସେ ଏକୁଟିଆ। ଅନ୍ୟ ବିଭାଗରୁ ଡାକ୍ତରଙ୍କୁ ଆଣି ନ୍ୟୁରୋସର୍ଜରି ସଂପର୍କରେ ତାଲିମ୍‌ ଦେଲେ। ତାଙ୍କର ଏକାଜିଦ୍‌ ଯେଉଁ ଉପାୟରେ ହେଉ ପଛେ ନ୍ୟୁରୋସର୍ଜନ ସୃଷ୍ଟି କରିବାକୁ ପଡିବ। ଏମ୍‌ସିଏଚ୍‌ ପାଠ୍ୟକ୍ରମ ଆରମ୍ଭ କଲେ ଏସ୍‌ସିବିରେ। ରାଜ୍ୟରେ କଟକ ବଡ ଡାକ୍ତରଖାନା ହେଉଛି ନ୍ୟୁରୋସର୍ଜନଙ୍କ ଅନ୍ତୁଡିଶାଳ। ସମସ୍ତେ ଏଇଠୁ ସୃଷ୍ଟି ଓ ସମସ୍ତେ ସାରଙ୍କ ହାତଗଢା। ନିଜେ ଦିନ ରାତି ବିଭାଗରେ ରହି କାମ କରୁଥିଲେ। ରାତି ଅଧରେ ବି ଯଦି କିଛି ଅସୁବିଧା ହେଉଥିଲା, ଖବର ପାଇବାମାତ୍ରେ ପହଞ୍ଚି ଯାଉଥିଲେ। ଯାହାକି ଆମ ମନୋବଳକୁ ବଢାଉଥିଲା। ଅନେକ ସମୟରେ ଗୁରୁତର ରୋଗୀଙ୍କ ସଂପର୍କୀୟ ଉତ୍ତ୍ୟକ୍ତ ହୋଇପଡୁଥିଲେ। କିନ୍ତୁ ସାର ଯେଉଁଭଳି ଭାବରେ ବୁଝାଉଥିଲେ, ଲୋକ ବୁଝିଯାଉଥିଲେ। ସେତେବେଳେ କମ୍ପୁଟର ନଥିଲା। ନିଜ ହାତରେ ପ୍ରତି ରୋଗୀଙ୍କ ଡାଟା ବେସ୍‌ ତିଆରି କରି ରଖୁଥିଲେ, ଯାହାକି ୨୦ ବର୍ଷ ପରେ ବି ଖୋଜିଲେ ମିଳୁଥିଲା। ସେ ସବୁ ସେ ନିଜେ ପ୍ରସ୍ତୁତ କରୁଥିଲେ। ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗ ହେଉଛି ତାଙ୍କ ମାନସ ପୁତ୍ର, କେହି ଅଙ୍ଗୁଳି ଦେଖାଇପାରେନି ବିଭାଗକୁ। ଭାରତର ୨ୟ ସିଟି ସ୍କାନ ମେସିନ ତାଙ୍କରି ଉଦ୍ୟମରେ ଆସିଥିଲା ଏସସିବିକୁ। ସେହି ସମୟରେ ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରରେ ନଥିଲା ସିଟି ସ୍କାନ୍‌ ମେସିନ୍। କେବଳ ଦିଲ୍ଲୀ ଓ କଟକ ବଡ ଡାକ୍ତରଖାନାରେ ଥିଲା।
ପ୍ରଫେସର ଡାକ୍ତର ଶ୍ରୀକାନ୍ତ ଦା‌ସ
ବିଭାଗୀୟ ମୁଖ୍ୟ, ସ୍ନାୟୁଶଲ୍ୟ ବିଭାଗ, , ଭୀମସାର, ବୁର୍ଲା

ସମ୍ବନ୍ଧିତ ଖବର