୭ ବର୍ଷ ହେଲା ରିପୋର୍ଟ ଚାପିଛି ନଗର ଉନ୍ନୟନ ବିଭାଗ
ଏନ୍ଡିଏମ୍ଏ ଗାଇଡଲାଇନ୍ ବି ମାନୁନାହାନ୍ତି
ଡ୍ରେନ୍ ସଫେଇ ପାଇଁ ୧୫୩କୋଟିର ଯୋଜନାକୁ ବି ଚାପି ଦେଇଛନ୍ତି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର,(ବିଶ୍ୱଜିତ ଦାଶ): ଅସରାଏ ବଡ଼ ବର୍ଷା ହେଲେ ରାଜ୍ୟର ୧୧୪ଟି ସହରାଞ୍ଚଳ ଅବସ୍ଥା ସାଂଘାତିକ ହୋଇଯାଉଛି। ଅଧଘଣ୍ଟା ୪୦ରୁ ୫୦ମିମି ବର୍ଷା ହେଲେ ସହର ଜଳବନ୍ଦୀ ହୋଇଯାଉଛି। ୨୪ଘଣ୍ଟାରେ ୧୦୦ମିମି ବର୍ଷା ହେଲେ କଟକ, ଭୁବନେଶ୍ବର, ପୁରୀ ଭଳି ସହରରେ ତ ରାସ୍ତାରୁ, ଲୋକଙ୍କ ଘରୁ ଦିନ ଦିନ ଯାଏଁ ପାଣି ନିଷ୍କାସନ ହେଉନି। ଡ୍ରେନ୍ରେ ପଡ଼ି ପ୍ରତି ବର୍ଷ ନିରୀହ ଲୋକଙ୍କର ମୃତ୍ୟୁ ହେଉଛି। ଦୀର୍ଘ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ହେଲେ ନଗର ଉନ୍ନୟନ ବିଭାଗ ଏହାର ସ୍ଥାୟୀ ପ୍ରତିକାର କରିପାରୁନି। ବରଂ ପଚାରିଲେ ଉତ୍ତର ମିଳୁଛି ମେଟ୍ରୋ ସହରରେ ତ ପାଣି ଜମୁଛି, ଆମର ଜମିଲା। ବେଙ୍ଗାଲୁର, ମୁମ୍ବାଇ, ଦିଲ୍ଲୀ ଭଳି ବଡ଼ ବଡ଼ ସହରରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଉଛି ସେଭଳି ତ ଆମର ହେଉନି। ବିଭାଗୀୟ ଅଧିକାରୀମାନେ ଏହିଭଳି ବିତଣ୍ଡା ଯୁକ୍ତି ବାଢ଼ୁଛନ୍ତି।
ପ୍ରାୟ ୮ ବର୍ଷ ତଳେ ସହରାଞ୍ଚଳ ବନ୍ୟାର କାରଣ ନେଇ ଏକ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ସମସ୍ତ ସହରାଞ୍ଚଳରେ ପାଣି ଜମିବାର ମୁଖ୍ୟ କାରଣ ହେଲା ଆବଶ୍ୟକ ଡ୍ରେନ୍ ନାହିଁ। ଯେଉଁ ଅଞ୍ଚଳରେ ଡ୍ରେନ୍ ଅଛି ସେଗୁଡ଼ିକ ଠିକ୍ ଡିଜାଇନରେ ନିର୍ମାଣ ହୋଇନି କି ଏହି ଡ୍ରେନ୍କୁ ପାଣି ନିଷ୍କାସନ କରିବା ପାଇଁ ବାଟ ରଖାଯାଇନି। ଏପରିକି ବହୁ ସ୍ଥାନରେ ଡ୍ରେନ୍ ଠାରୁ ରାସ୍ତାର ଉଚ୍ଚତା ଅଧିକ ଥିବାରୁ ପାଣି ଯାଇପାରୁନି। ଡ୍ରେନ୍ଗୁଡ଼ିକ ଏପରି ନିର୍ମାଣ ହୋଇଛି ଯେ ଏଥିରେ ଘଣ୍ଟାକୁ ୪୫ରୁ ୫୦ମିମି ବର୍ଷା ଜଳ ବହିବାର କ୍ଷମତା ଅଛି। ଏହାର ନିରାକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଲାଗୁ କରାଯାଉନାହିଁ।
୨୦୧୪ରେ ଏହି ରିପୋର୍ଟକୁ ଆଧାର କରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ‘ସହରାଞ୍ଚଳ ଡ୍ରେନେଜ୍’ ବିଭାଗ ଖୋଲାଯାଇଥିଲା। ରାଜ୍ୟର ସହରାଞ୍ଚଳରେ କିପରି ଡ୍ରେନ୍ ନିର୍ମାଣ ହେବ, କେଉଁ ଡ୍ରେନ୍ ଡିଜାଇନ୍ କିପରି ହେବ, ଡ୍ରେନ୍ ନିକଟରେ ରାସ୍ତା କିପରି ହେବ, ଯେକୌଣସି ବିଭାଗ ଡ୍ରେନ୍ ନିର୍ମାଣ କଲେ କିମ୍ବା ଡ୍ରେନ୍ କଡ଼ରେ ରାସ୍ତା ନିର୍ମାଣ କଲେ ସିଙ୍ଗିଲ୍ ୱିଣ୍ଡୋରେ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଓଡ଼ିଶା ଜଳଯୋଗାଣ ଓ ସ୍ବେରେଜ ବୋର୍ଡ (ଓଡବ୍ଲ୍ୟୁଏସ୍ଏସ୍ବି) ଅଧୀନରେ ଜଣେ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀଙ୍କୁ ‘ସହରାଞ୍ଚଳ ଡ୍ରେନେଜ୍’ ଦାୟିତ୍ବରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବତନ ସ୍ବେରେଜ୍ ବୋର୍ଡ ସଦସ୍ୟ ସଚିବ ଇ˚. ମନୋରଞ୍ଜନ ଦାସଙ୍କୁ ଏହି ପଦବିରେ କିଛି ଦିନ ପାଇଁ ନିଯୁକ୍ତି ଦିଆଯାଇଥିଲା। ହେଲେ ଶ୍ରୀ ଦାସଙ୍କର ପଦୋନ୍ନତି ଏବଂ ବିଭାଗର ସଚିବ ବଦଳିବା ପରେ ପଦବି ଉଭେଇଗଲା।
ଏହାପରେ ଯିଏ ଯେମିତି ପାରିଲେ ସେମିତି ରାସ୍ତା, ଡ୍ରେନ୍ ନିର୍ମାଣ କଲେ। ବର୍ଷା ପାଣି ଯାଇପାରିବ କି ନାହିଁ ତାହା ଦେଖିଲେନି। ଫଳ ହେଲା ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ବର୍ଷକୁ ବର୍ଷ ବଢ଼ିଚାଲିଲା। ସାରା ରାଜ୍ୟରେ ସହରାଞ୍ଚଳ ବନ୍ୟା ବଢ଼ି ଚାଲିଥିବା ବେଳେ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ଡ୍ରେନେଜ୍ ବିଭାଗ ସୃଷ୍ଟି କରିବା, ପଦବି ମଞ୍ଜୁର କରିବା ବଦଳରେ ଏହି ପ୍ରସଙ୍ଗକୁ ଏଡ଼ାଇ ଦେବା ସମସ୍ତଙ୍କୁ ଚକିତ କରିଛି। ନଗର ଉନ୍ନୟନ ବିଭାଗର ସଚିବ ଭାବେ ଜି.ମାଥିଭାଥନନ୍ ୬ ବର୍ଷରୁ ଅଧିକ ସମୟ ଥିବା ବେଳେ ରାଜ୍ୟର କୌଣସି ଗୋଟିଏ ସହରରେ ବି ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇ ନ ପାରିବା ଆଶ୍ଚର୍ଯ୍ୟର ବିଷୟ। ବରଂ ସଚିବ କାହିଁକି ଗୋଟିଏ ବିଭାଗରେ ୫ବର୍ଷରୁ ଅଧିକ ସମୟ ଅଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ ହେବାରୁ ସରକାରଙ୍କ ପକ୍ଷରୁ ଉତ୍ତର ମିଳୁଛି ଯେ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ତାଙ୍କୁ ନଗର ଉନ୍ନୟନ ବିଭାଗରେ ରଖାଯାଇଛି।
ଦେଶର ବିଭିନ୍ନ ସହରାଞ୍ଚଳରେ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହାର ନିରାକରଣ ପାଇଁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନ୍ଡିଏମ୍ଏ) ପକ୍ଷରୁ ଏକ ଗାଇଡଲାଇନ୍ ଜାରି ହୋଇଥିଲା। ଏନେଇ ଏନ୍ଡିଏମ୍ଏ ପକ୍ଷରୁ ୨୦୧୬ ମସିହାରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ତିନି ଥାକିଆ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ସହରାଞ୍ଚଳ ବନ୍ୟା ମୁକାବିଲା କରିବା ପୌରସ˚ସ୍ଥା କର୍ତ୍ତୃପକ୍ଷଙ୍କ ମୁଖ୍ୟ ଦାୟିତ୍ବ ହେବ ବୋଲି ଏନ୍ଡିଏମ୍ଏ ପକ୍ଷରୁ କୁହାଯାଇଥିଲା। ଭୁବନେଶ୍ବରରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏଠାରେ ହିଁ ପ୍ରଥମେ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ୫ବର୍ଷ ପରେ କେହି କିଛି ପଦକ୍ଷେପ ନେଲେନି।
ଏନ୍ଡିଏମ୍ଏ ପକ୍ଷରୁ କୁହାଯାଇଛି ଯେ ସାଧରଣତଃ ଡ୍ରେନ୍ ସମସ୍ୟା, କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି, ସହରାଞ୍ଚଳ ଯୋଜନା ନିର୍ମାଣରେ ତ୍ରୁଟି, କେତେ ବର୍ଷା ହେଲେ ସହରାଞ୍ଚଳରେ ବନ୍ୟା ହେବ ଏବ˚ ଏହାର ପ୍ରତିକାରଣ ନେଇ ଉପାୟ ସ୍ଥିର ନ କରିବା ଏବଂ ଜବରଦଖଲ ସମସ୍ୟା ଯୋଗୁଁ ସହରାଞ୍ଚଳରେ ବନ୍ୟା ହେଉଛି। ଏହାର ଉଦାହରଣ ହେଲା ୨୦୧୩ରେ ଉତ୍ତରାଖଣ୍ତରେ ବନ୍ୟା, ୨୦୧୪ରେ ଜମ୍ମୁ ଓ କଶ୍ମୀରରେ ବନ୍ୟା ଏବ˚ ୨୦୧୫ରେ ଚେନ୍ନାଇରେ ବନ୍ୟା। ତେଣୁ ସହରାଞ୍ଚଳରେ ବନ୍ୟା ହେବା ପୂର୍ବରୁ ଏହାର କିପରି ମୁକାବିଲା କରାଯିବ ସେଥିପାଇଁ ପ୍ରତ୍ୟେକ ସହରାଞ୍ଚଳ କର୍ତ୍ତୃପକ୍ଷ ତିନିଟି ପର୍ଯ୍ୟାୟରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ। ଏଥିରେ ୨୦୧୬-୨୦୨୦ ପର୍ଯ୍ୟନ୍ତ ସ୍ବଳ୍ପକାଳୀନ, ୨୦୨୦-୨୦୨୫ ପର୍ଯ୍ୟନ୍ତ ମଧୢବର୍ତ୍ତୀକାଳୀନ ଏବ˚ ୨୦୨୫-୨୦୩୦ ପର୍ଯ୍ୟନ୍ତ ଦୀର୍ଘକାଳୀନ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। କିନ୍ତୁ ଏନ୍ଡିଏମ୍ଏ ଗାଇଡଲାଇନ୍କୁ ନଗର ଉନ୍ନୟନ ବିଭାଗ ଏବଂ ପୌର ସଂସ୍ଥା କର୍ତ୍ତୃପକ୍ଷ ମାନିବାକୁ ନାରାଜ।
ଅପରପକ୍ଷେ ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ତିନି ବର୍ଷ ତଳେ ହଜାରେ କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ। ହେଲେ ବିଏମ୍ସିକୁ ତିନି ବର୍ଷରେ ଡ୍ରେନ୍ ନିର୍ମାଣ ପାଇଁ ପ୍ରାୟ ୧୫୦କୋଟି ମିଳିଛି। ସବୁ ଡ୍ରେନ୍କୁ ନିୟମିତ ସଫା କରିବା ପାଇଁ ବିଏମ୍ସି ୧୫୩କୋଟିର ଏକ ଡିପିଆର୍ ପ୍ରସ୍ତୁତ କରିଥିଲା। ତାହାକୁ ବି ନଗର ଉନ୍ନୟନ ବିଭାଗ ଚାପି ଦେଇଛି।