ଗାଁକୁ ଫେରିଲେ ଦ୍ରୌପଦୀ ମୁର୍ମୁ

ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଦ୍ରୌପଦୀ ମୁର୍ମୁ ଏକ ଜଣାଶୁଣା ନାମ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୦୦ ଓ ୨୦୦୪ରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଓ ଅଗଷ୍ଟ ୬, ୨୦୦୨ରୁ ମେ ୧୬, ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ରାଜନୀତିରେ ଅନେକ ଅଭିଜ୍ଞତା ରଖିଥିବା ‌ଦ୍ରୌପଦୀଙ୍କୁ ୨୦୧୫ ମସିହା ମେ ୧୮ ତାରିଖରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୧ ମସିହା ଜୁଲାଇ ୬ ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ। କାର୍ଯ୍ୟକାଳ ସରିବା ପରେ ଶ୍ରୀମତୀ ମୁର୍ମୁ ଆଜି ତାଙ୍କ ଘର ରାଇରଙ୍ଗପୁର ମହୁଲଡ଼ିହାକୁ ଫେରିଛନ୍ତି। ଏହି ଅବସରରେ ତାଙ୍କୁ ଭେଟିଥିଲେ ଆମ ରାଇରଙ୍ଗପୁର ‘ସମ୍ବାଦ’ ପ୍ରତିନିଧି ତୁଷାରକାନ୍ତ ମହାନ୍ତ।

ରାଇରଙ୍ଗପୁର : ଜୁଲାଇ ୬ ତାରିଖରେ ଝାଡ଼ଖଣ୍ତ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନିଜ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହୁଲଡ଼ିହାକୁ ଫେରିଛନ୍ତି।

ସୋମବାର ପୂର୍ବାହ୍ନରେ ଶ୍ରୀମତୀ ମୁର୍ମୁ ରାଞ୍ଚି ରାଜଭବନରୁ ହେଲିକ୍ୟାପ୍‌ଟର ଯୋଗେ ବାହାରି ରାଇରଙ୍ଗପୁର କଚେରି ପଡ଼ିଆରେ ସକାଳ ୧୧ଟା ୧୫ରେ ଅବତରଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, ସାରସକଣା ବିଧାୟକ ଡ.ବୁଢ଼ାନ୍‌ ମୁର୍ମୁ, ରାଇରଙ୍ଗପୁର ଏଏସ୍‌ପି ମନୋରଞ୍ଜନ ବିଶ୍ବାଳ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ମନୋଜ କୁମାର ଦାସ, ଟାଉନ୍‌ ସଭାପତି ମନୋଜ କୁମାର ଦାସ, ଏସ୍‌ସି ମୋର୍ଚ୍ଚା ସଭାପତି କିଶୋର ରଜକ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ କୁମାର ମହାନ୍ତ, ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ, ଶିବ କୁମାର ଅଗ୍ରୱାଲ, ଶଶାଙ୍କ କୁମାର, ଜିତେନ୍ଦ୍ର ବାରିକ, ବରିଷ୍ଠ ନେତା ଇଶାନ ମିଶ୍ର, ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, ଶ୍ୟାମଚରଣ ଟୁଡୁ, ପ୍ରହ୍ଲାଦ ପୂର୍ତିଙ୍କ ସମେତ ରାଇରଙ୍ଗପୁର ନାଗରିକ ମଞ୍ଚ, ବାର୍‌ ଆସୋସିଏସନ୍‌, ବ୍ରହ୍ମକୁମାରୀ, ପ୍ରେସ୍‌ କ୍ଲବ୍, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ ଆଦି ଅନୁଷ୍ଠାନର ସଦସ୍ୟମାନେ ଦ୍ରୌପଦୀଙ୍କୁ ଜନ୍ମମାଟିରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦୁର୍ଗାମଣ୍ଡପସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ଦ୍ରୌପଦୀ ମାଲ୍ୟାର୍ପଣ କରିବା ପରେ ନିଜ ଘର ମହୁଲଡ଼ିହା ଅଭିମୁଖେ ଯାଇଥିଲେ।

jagran.com

‘ସକ୍ରିୟ ରାଜନୀତିରେ ରହିବି’

ସମ୍ବାଦ: ଜଣେ ସଫଳ ରାଜନେତ୍ରୀ ଭାବେ ଦେଶ ଦ୍ରୌପଦୀ ମୁର୍ମୁଙ୍କୁ ଜାଣେ। ରାଜନୀତିର ଊର୍ଦ୍ଧ୍ବକୁ ଯାଇ ଆପଣ ଝାଡ଼ଖଣ୍ତର ପ୍ରଥମ ନାଗରିକ ହେଲେ। କାର୍ଯ୍ୟକାଳ ଭିତରେ କ’ଣ ଅନୁଭବ ସାଉଁଟିଛନ୍ତି।
ଦ୍ରୌପଦୀ: ରାଜ୍ୟପାଳ ଭାବେ ମୁଁ ୬ ବର୍ଷ କାର୍ଯ୍ୟ କରିଛି। ସାଧାରଣତଃ ରାଜ୍ୟପାଳଙ୍କ କାର୍ଯ୍ୟକାଳ ୫ ବର୍ଷ ଥାଏ। ମୋତେ ଅଧିକ ୧ ବର୍ଷ କାର୍ଯ୍ୟ କରିବାର ସୁଯୋଗ ମିଳିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି। ମୋ କାର୍ଯ୍ୟକାଳ ବହୁତ ଭଲ ଥିଲା। ଲୋକଙ୍କ ସାହାଯ୍ୟ, ସହଯୋଗ ପାଇଛି। ଝାଡ଼ଖଣ୍ଡର ଲୋକମାନେ ବହୁତ ସରଳ ଓ ସ୍ନେହୀ।

ସମ୍ବାଦ: ବହୁ ଦିନ ପରେ ଆପଣ ପୁଣି ନିଜ ସହକର୍ମୀ ଓ ଅନୁଗାମୀଙ୍କ ଗହଣକୁ ଫେରିଛନ୍ତି। କେମିତି ଲାଗୁଛି?
ଦ୍ରୌପଦୀ: ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଭିତରେ ରହିବାକୁ ପଡ଼େ। ଇଚ୍ଛା ଥିଲେ ମଧ୍ୟ ସାଧାରଣ ଲୋକଙ୍କ ସହ ଖୋଲାଖୋଲି ମିଶିବାର ସୁଯୋଗ ନ ଥାଏ। ମୋତେ ଲାଗୁଛି କି ମୁଁ ଏକପ୍ରକାର ବନ୍ଧନରୁ ମୁକ୍ତ ହୋଇଛି। ଏବେ ମୁଁ ଯେତେବେଳେ ଚାହିଁବି ମୋର ସହଯୋଗୀ ତଥା ସହକର୍ମୀଙ୍କ ସହ ମିଶିପାରିବି।

ସମ୍ବାଦ: ବିଜେପି ସରକାରରେ ଆପଣ ରାଜ୍ୟପାଳ ହୋଇଥିଲେ। ଏବେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳିଛି। ଜଣେ ମୟୂରଭଞ୍ଜବାସୀ ଭାବେ ଆପଣ ଏହାକୁ କେମିତି ଦେଖୁଛନ୍ତି?
ଦ୍ରୌପଦୀ: ମୟୂରଭଞ୍ଜବାସୀ ବହୁତ ଭାଗ୍ୟବାନ। ଜିଲ୍ଲାକୁ ସବୁବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଯେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ମୟୂରଭଞ୍ଜକୁ ଭାଷା କ୍ଷେତ୍ରରେ ଗୁରୁତ୍ବ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ ମୋ ଭଳି ଜଣେ ମହିଳାଙ୍କୁ ଗୁରୁତ୍ବ ଦେଲେ ଓ ରାଜ୍ୟପାଳ କଲେ। ସେହିପରି ଏବେ ସାଂସଦ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ କରାଯାଇଛି। ମୟୂରଭଞ୍ଜ ରାଜ୍ୟର ସବୁଠାରୁ ବଡ଼ ଜିଲ୍ଲା, କିନ୍ତୁ ଏହାକୁ ପଛୁଆ ଜିଲ୍ଲା ଭାବେ ଗଣାଯାଏ। କାହାକୁ ଦାୟିତ୍ବ ଦେଲେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରରେ ବିକାଶ ହେବ; ସେକଥା କେନ୍ଦ୍ର ସରକାର ଭଲ ଭାବେ ଜାଣନ୍ତି। ମନ୍ତ୍ରୀ ବିଶେଶ୍ବର ଟୁଡୁ ଯୋଗ୍ୟ ଓ ଦକ୍ଷ। ସେ ତାଙ୍କ ଦାୟିତ୍ବକୁ ଠିକ୍‌ ଭାବେ ତୁଲାଇବେ।

ସମ୍ବାଦ: ଓଡ଼ିଶା ଓ ଝାଡ଼ଖଣ୍ତ ମଧ୍ୟରେ ଭାବଗତ ତଥା ସାମାଜିକ ସମ୍ପର୍କ ଅତି ନିବିଡ଼ ବୋଲି କୁହାଯାଏ। ଆପଣ ଏ ଦୁଇ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ସ୍ଥିତିକୁ କିପରି ଚିତ୍ରଣ କରିବେ?
ଦ୍ରୌପଦୀ: ଉଭୟ ଓଡ଼ିଶା ଓ ଝାଡ଼ଖଣ୍ତ ଆଦିବାସୀବହୁଳ ରାଜ୍ୟ। ଓଡ଼ିଶା ପରି ଝାଡ଼ଖଣ୍ଡବାସୀଙ୍କ ବେଶ ପୋଷାକ, ଖାଦ୍ୟ, ସାମାଜିକ ଚଳଣି ପ୍ରାୟ ସମାନ। ଓଡ଼ିଶା ପରି ସେଠି ମଧ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟସେବା ସ୍ଥିତି ଏତେ ଉନ୍ନତ ନୁହେଁ।

ସମ୍ବାଦ: ଆପଣ ଭାବନ୍ତି କି ଲିଙ୍ଗଗତ ଓ ସଂପ୍ରଦାୟଗତ ତାରତମ୍ୟ ଉନ୍ନତ ରାଷ୍ଟ୍ର ଗଠନରେ କେଉଁଠି ନା କେଉଁଠି ପ୍ରତିବନ୍ଧକ ହେଉଛି?
ଦ୍ରୌପଦୀ: ନାରୀଶକ୍ତି ଆମ ଦେଶର ଏକ ବଡ଼ଶକ୍ତି। ଏଠାରେ ଯେତିକି ଜନସଂଖ୍ୟା ଅଛି, ତାର ଅଧା ହେଉଛନ୍ତି ନାରୀ। ଅଟଳବିହାରୀ ବାଜପେୟୀ କହିଥିଲେ; ‘ମୋ ଦେଶର ଦୁଇଟି ଶକ୍ତି।’ ଗୋଟିଏ ନାରୀ ଶକ୍ତି ଆଉ ଗୋଟିଏ ପୁରୁଷ ଶକ୍ତି। ଦୁଇଟି ଶକ୍ତିକୁ ଯଦି ଉପଯୋଗ କରାଯିବନି ତେବେ ଦେଶର ଆର୍ଥିକ ଓ ସାମାଜିକ ବିକାଶ ଆଗକୁ ଯାଇପାରିବନି। ବର୍ତ୍ତମାନ ଯେଉଁ ଆଶାକର୍ମୀ ଓ ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ଦେଖୁଛନ୍ତି; ଏମାନଙ୍କ ପରିଚୟ ବାଜପେୟୀ ହିଁ ତିଆରି କରିଛନ୍ତି।

ସମ୍ବାଦ: ଅବସର ସମୟ ପରିବାର ସହ କାଟିବେ ନା ରାଜନୀତି ପାଇଁ ଦେବେ?
ଦ୍ରୌପଦୀ: ମୁଁ ମୋ ପରିବାର ପାଇଁ ରାଜନୀତିକୁ ଆସିପାରିଥିଲି। ମୋ ଝିଅ ଚାକିରି କରୁଛି। ମୋର ବନ୍ଧନ ନାହିଁ। ମୁଁ ଲୋକଙ୍କ ସହ ଜଡ଼ିତ ଥିବାରୁ ସକ୍ରିୟ ରାଜନୀତିରେ ରହିବି। ଶେଷ ନିଶ୍ବାସ ଥିବା ଯାଏ ଲୋକଙ୍କ ସେବା କରୁଥିବି।

ସମ୍ବନ୍ଧିତ ଖବର