ଡିଆରଡିଏକୁ ବିପଦ ବଢିଲା : କର୍ମଚାରୀଙ୍କ ଦରମା ଅର୍ଥ ଦେଉନି କେନ୍ଦ୍ର, ଅନ୍ୟ ଯୋଜନାରୁ ଅର୍ଥ ଭରଣା କରୁଛି ରାଜ୍ୟ

ଭୁବନେଶ୍ବର : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି। ଅଥଚ ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବାବଦ ନିଜସ୍ବ ଅଂଶଧନ ଅର୍ଥ ଚଳିତ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ଏବେ ରାଜ୍ୟ ସରକାର ଅନ୍ୟ ଯୋଜନା ଅର୍ଥରୁ ଟଙ୍କା ଆଣି କେନ୍ଦ୍ର ଅଂଶଧନ ସହ ନିଜସ୍ବ ଅଂଶଧନ ବାବଦରେ ୩୦ଟି ଜିଲ୍ଲାର ଡିଆରଡିଏ କର୍ମଚାରୀଙ୍କ ଦରମା ଓ ପେନସନ୍ ଅର୍ଥ ପ୍ରଦାନ କରୁଥିବା ଜଣାପଡିଛି। ଶେଷଥର ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୭ ତାରିଖରେ ଅଂଶଧନ ପ୍ରଦାନ କରିଥିଲେ। ତା ପରଠୁ ଆଉ ଟଙ୍କାଟିଏ ବି ପ୍ରଦାନ କରିନାହାନ୍ତି।

ଗ୍ରାମାଞ୍ଚଳରେ ଦାରିଦ୍ର ଦୂରୀକରଣ ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାଠୁ ଆରମ୍ଭ କରି ଜାତୀୟ ଜୀବିକା ମିସନ, ଦୀନ ଦୟାଲ ଅନ୍ତୋଦୟ ଯୋଜନା ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏସବୁ ଯୋଜନା ପାଇଁ ପାଣ୍ଠି ଯୋଗାଣ, ପରିଚାଳନା ଓ ତଦାରଖ ଭାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ପ୍ରଦାନ କରାଯାଇଛି। ଏଥିପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ପ୍ରତ୍ୟେକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଜନସଂଖ୍ୟା ଓ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ୪ଟି ବର୍ଗରେ ବାଣ୍ଟି ଦିଆଯାଇଛି। ‘ଏ’ ଶ୍ରେଣୀର ଡିଆରଡିଏ କର୍ମଚାରୀଙ୍କ ଦରମା ବାବଦରେ ପ୍ରତିମାସରେ ୩ ଲକ୍ଷ ଟଙ୍କା, ‘ବି’ ଶ୍ରେଣୀର ଡିଆରଡିଏ ସଂସ୍ଥାର କର୍ମଚାରୀଙ୍କ ବାବଦରେ ମାସିକ ୩ରୁ ୭ ଲକ୍ଷ, ‘ସି’ ଶ୍ରେଣୀର ସଂସ୍ଥା ପାଇଁ ୭ରୁ ୧୦ ଲକ୍ଷ ଓ ‘ଡି’ ଶ୍ରେଣୀର ଡିଆରଡିଏ ସଂସ୍ଥାର କର୍ମାଚାରୀଙ୍କ ଦରମା ଓ ପେନସନ ବାବଦରେ ୧୦ ଲକ୍ଷରୁ ଅଧିକ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରହିଛି। ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କଠୁ ଆରମ୍ଭ କରି ଅତିରିକ୍ତି ପ୍ରକଳ୍ପ ଅଧିକାରୀ ଓ ଅଧିକାଂଶ ତୃତୀୟ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ଡେପୁଟେସନରେ ଆସିଥାନ୍ତି। ସେମାନଙ୍କ ଦରମା ଓ ପେନସନ ବାବଦରେ ସମ୍ପୃକ୍ତ ଡିଆରଡିଏକୁ ଅର୍ଥ ପ୍ରଦାନ କରିବାକୁ ପଡ଼ିଥାଏ। କର୍ମଚାରୀଙ୍କ ଦରମା ଓ ପେନସନ ବାବଦରେ କେନ୍ଦ୍ର ସରକାର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅର୍ଥ ପ୍ରଦାନ କରିଥାଏ। ଯୋଜନାର କାର୍ଯ୍ୟକାରିତା ପାଇଁ ଅଂଶଧନ ବାବଦରେ ୬୦:୪୦ ଅନୁପାତ ଭଳି କର୍ମଚାରୀଙ୍କ ଦରମା ବାବଦରେ କେନ୍ଦ୍ର ସରକାର ୬୦% ବହନ କରୁଥିବାବେଳେ ରାଜ୍ୟ ସରକାର ୪୦% ବହନ କରନ୍ତି। ଦୁଇଟି କିସ୍ତିରେ କେନ୍ଦ୍ର ସରକାର ପ୍ରତିବର୍ଷ ଅଂଶଧନ ଅର୍ଥ ପ୍ରଦାନ କରିଥାନ୍ତି। ପ୍ରଥମ କିସ୍ତି ଅର୍ଥ ଆର୍ଥିକ ବର୍ଷ ଆରମ୍ଭ ଅର୍ଥାତ ଏପ୍ରିଲ ମାସରେ ପ୍ରଦାନ କରାଯାଏ ଓ ଦ୍ବିତୀୟ କିସ୍ତି ଅର୍ଥ ସେହିବର୍ଷ ସେପ୍ଟେମ୍ବର ମାସରେ ମିଳିଥାଏ। ଏହାସହିତ ନିୟମାନୁଯାୟୀ, ଗୋଟିଏ ଜିଲ୍ଲାର ଡିଆରଡିଏ କର୍ମଚାରୀଙ୍କ ଦରମା ବାବଦରେ ଗୋଟିଏ ଆର୍ଥିକ ବର୍ଷ ପାଇଁ ଯେତିକି ଅର୍ଥ ଆବଣ୍ଟନ କରାଯାଇଥାଏ ତା ପରବର୍ତ୍ତୀ ବର୍ଷ ଏହି ଅର୍ଥ ବାବଦରେ ୫% ଅଧିକ ଅର୍ଥ ମିଳିଥାଏ। କିନ୍ତୁ ବର୍ତ୍ତମାନର କେନ୍ଦ୍ର ସରକାର ଅର୍ଥ ପ୍ରଦାନ ନ କରିବାରୁ ଡିଆରଡିଏକୁ ନେଇ ରାଜ୍ୟ ସରକାର ଚାପରେ।

ସରକାରୀ ତଥ୍ୟ କହୁଛି, ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶାର ୩୦ଟି ଜିଲ୍ଲାରେ ଥିବା ଡିଆରଡିଏ କର୍ମଚାରୀଙ୍କ ଦରମା ଓ ପେନସନ୍ ବାବଦରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୩୩ କୋଟି ୬୫ ଲକ୍ଷ ୯୬ ହଜାର ଟଙ୍କା ପ୍ରଦାନ କରିବାକୁ ଆବଣ୍ଟନ ହୋଇଥିଲା। ଏହି ଟଙ୍କାର ରାଜ୍ୟ ଅଂଶ ବାବଦରେ ରାଜ୍ୟ ସରକାର ୨୨ କୋଟି ୪୩ ଲକ୍ଷ ୯୯ ହଜାର ଟଙ୍କା ପ୍ରଦାନ କରିବାର ଥିଲା। କିନ୍ତୁ ଆର୍ଥିକ ବର୍ଷ ସରିବା ବେଳକୁ କେନ୍ଦ୍ର ସରକାର ପ୍ରଥମ ଓ ଦ୍ବିତୀୟ କିସ୍ତି ମିଶି ୧୦ କୋଟି ୨୯ ଲକ୍ଷ ୫୪ ହଜାର ଟଙ୍କା ପ୍ରଦାନ କରିଥିଲେ। ଫଳରେ କର୍ମଚାରୀଙ୍କ ଦରମା ବାବଦରେ ରାଜ୍ୟ ସରକାର ନିଜ ଅଂଶଧନ ବାବଦରେ ୪୦% ଅର୍ଥ ସହ ୮ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କା ଅତିରିକ୍ତ ଅର୍ଥ ସବୁ ଡିଆରଡିଏକୁ ଅଗ୍ରୀମ ଆକାରରେ ପ୍ରଦାନ କରିଥିବା ଜଣାପଡିଛି। ଏପରିକି କେନ୍ଦ୍ର ସରକାର ଅଧାପନ୍ତରିଆ ଅର୍ଥ ଦେଉଥିବାରୁ ରାଜ୍ୟ ସରକାର ପ୍ରକଳ୍ପ କାର୍ଯ୍ୟକରିବାରେ କର୍ମଚାରୀଙ୍କ ସହଯୋଗ ପାଇଁ ସବୁ ଡିଆରଡିଏକୁ ଅଗ୍ରୀମ ବାବଦରେ ଅର୍ଥ ପ୍ରଦାନ କରିଛନ୍ତି।
୨୦୧୯ ମାର୍ଚ୍ଚରେ ଶେଷଥର ପାଇଁ ପ୍ରତି ଡିଆରଡିଏ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଅର୍ଥରୁ ରାଜ୍ୟ ସରକାର ଅଗ୍ରୀମ ବାବଦ ଅର୍ଥ କାଟି ଦେଇଛନ୍ତି। ଉଦାହରଣ ସ୍ବରୂପ ‘ବି’ ଶ୍ରେଣୀଭୁକ୍ତ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀଙ୍କ ଦରମା ଓ ପେନସନ୍ ବାବଦରେ କେନ୍ଦ୍ର ସରକାର ଦୁଇଟି କିସ୍ତିରେ ୧୭ ଲକ୍ଷ ୭ ହଜାର ଟଙ୍କା ଲେଖାଏଁ ମିଳିଥିଲା। ମେଳକ ରାଶି ବାବଦରେ ଦୁଇଟି କିସ୍ତିରେ ରାଜ୍ୟ ସରକାର ୧୧ ଲକ୍ଷ ୩୮ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା କଥା। କିନ୍ତୁ ଅଗ୍ରୀମ ବାବଦରେ ରାଜ୍ୟ ସରକାର ମାଲକାନଗିରି ଡିଆରଡିଏକୁ ପ୍ରଦାନ କରିଥିବା ୧ କୋଟି ୫ ଲକ୍ଷ ଟଙ୍କା ବାବଦରେ ଅଂଶଧନ ଅର୍ଥ କାଟି ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ଆରମ୍ଭ ହେବାଦିନଠାରୁ ଏବେସୁଦ୍ଧା ଆଉ ଗୋଟିଏ ବି କିସ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଡିଆରଡିଏ କର୍ମଚାରୀଙ୍କ ଦରମା ଓ ପେନସନ୍ ବାବଦରେ ନିଜସ୍ବ ଅଂଶଧନ ପ୍ରଦାନ କରିନାହାନ୍ତି।

ଅନ୍ୟ ଯୋଜନାରୁ ଟଙ୍କା ଅଗ୍ରୀମ ଦେଇ ସରକାର ଦୀର୍ଘ ଦିନ ପର୍ଯ୍ୟନ୍ତ ଡିଆରଡିଏକୁ ଚଳାଇପାରିବେ ନାହିଁ। ଏ ଟଙ୍କାକୁ ଭରଣା କରିବାକୁ ଏଯାଏ କୌଣସି ବ୍ୟବସ୍ଥା ହୋଇନାହିଁ। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରିନାହାନ୍ତି। ରାଜ୍ୟ ସରକାର ନିଜ ଅର୍ଥରେ ଡିଆରଡିଏ ଚଳାଇବେ ନା ଏହି ବ୍ୟବସ୍ଥାର ପରିବର୍ତନ କରାଯିବ?

ସମ୍ବନ୍ଧିତ ଖବର