ନଦୀକୂଳିଆ ଗାଁ ରେ ଜଳସଂକଟ, ପାନୀୟ ଜଳ ପାଇଁ ବାଲିଚୂଆ ଭରସା

ଗୋଲାମୁଣ୍ତା : ଚଳିତ ମାସର ମୁଣ୍ତଫଟା ଖରା ଏବଂ ପାନୀୟ ଜଳ ସଂକଟ ଯୋଗୁଁ ନଦୀକୂଳିଆ ଅଞ୍ଚଳରେ ମଧ୍ୟ ଲୋକେ ଡହଳବିକଳ ହେଉଥିବା ବେଳେ ପ୍ରଶାସନ ତରଫରୁ ସ୍ଥାୟୀପ୍ରତିକାର ବ୍ୟବସ୍ଥା କରାଯାଉ ନଥିବାରୁ ଏହି ସମସ୍ୟାକୁ ନେଇ ଏହି ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଗୋଲାମୁଣ୍ଡା ବ୍ଲକ ଉଦନ୍ତି ନଦୀକୂଳରେ ଥିବା ଲେତେର, ଭତାପଡା, ମକ୍ରାଗୁଡା, ତୁରେଛଡା, ମହାଲିଙ୍ଗ, କେଗାଁ, ସିନାପାଲି, ଭାଟିପଡା, ଲାଞ୍ଜି, ବୋର୍ଡିରେ ଲୋକଙ୍କୁ ପାନୀୟଜଳ ପାଇଁ ପ୍ରଶାସନ ତରଫରୁ ନଳକୂପମାନ କରାଯାଇଛି। ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ନଳକୂପ ଖରାପ ହୋଇ ପଡ଼ି ରହିଥିବା ବେଳେ କାର୍ଯ୍ୟକାରୀ ହେଉଥିବା ନଳକୂପର ପାଣି ମଧ୍ୟ ପାନୀୟଜଳ ପାଇଁ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ। ଏପରିକି ଏହି ନଳକୂପମାନଙ୍କରୁ ବିଭିନ୍ନ ସମୟରେ ଗୋଳିଆ ପାଣି ଓ ଜିଆ ବାହାରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇଁ ଗ୍ରାମବାସୀ ଦୁଇ କିଲୋମିଟର ଦୂରରେ ଥିବା ଉଦନ୍ତି ନଦୀ ଉପରେ ଭରସା କରୁଛନ୍ତି। ନଦୀପଠାରେ ବାଲିଚୂଆ କରି ପାନୀୟ ଜଳ ସଂଗ୍ରହ କରିବା ଏହି ଅଞ୍ଚଳର ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ଅଟେ।

ବାଲିଚୂଆର ପାଣି ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ ବୋଲି ଜାଣି ମଧ୍ୟ ବାଧ୍ୟହୋଇ ଲୋକେ ଏହି ପାଣି ବ୍ୟବହାର କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏପରିକି ତେଲ ନଦୀକୂଳରେ ଥିବା ମଖଲା, ମେରମହୁଲ, ଫଟାମୁଣ୍ତା, ଗୁଣ୍ତୁରୀ, କର୍ଲା, ବଡଚେରଗାଁ, ଉଛୁଲା ଗ୍ରାମରେ ମଧ୍ୟ ପାନୀୟ ଜଳ ସମସ୍ୟା ବହୁଦିନରୁ ଲାଗି ରହିଛି ଓ ଏହି ଗ୍ରାମବାସୀମାନେ ମଧ୍ୟ ତେଲ ନଦୀ ପଠାରେ ବାଲି ଚୂଆ କରି ପାଣି ସଂଗ୍ରହ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଉଦନ୍ତୀ ଓ ତେଲ ନଦୀକୂଳରେ ଥିବା ଗ୍ରାମବାସୀମାନେ ବର୍ଷ ତମାମ ଏହି ନଦୀରେ ବାଲି ଚୂଆ କରି ପାନୀୟ ଜଳ ସଂଗ୍ରହ କରୁଥିବା ବେଳେ ବର୍ଷା ଋତୁରେ ପାଣି ଆସିଲେ ଲୋକଙ୍କ ସମସ୍ୟା ବଢିଯାଇଥାଏ ଓ ସେମାନେ ବାଧ୍ୟ ହୋଇ ଗୋଳିଆ ଥିବା ନଦୀପାଣିକୁ ମଧ୍ୟ ପାନୀୟ ଜଳଭାବେ ନେଇ ବ୍ୟବହାର କରିଥାନ୍ତି। ଫଳରେ ଏହି ଗ୍ରାମର ଲୋକେ ବିଭିନ୍ନ ସମୟରେ ରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ଏହି ନଦୀକୂଳିଆ ଗ୍ରାମଗୁଡ଼ିକରେ ପାଇପ ପାଣି ଯୋଗାଣ କରିବା ପାଇଁ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ବିଡିଓ, ଜଳଯୋଗାଣ ବିଭାଗ, ସରପଞ୍ଚଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମଳୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା‌ ଦେଉଛି। ପାନୀୟ ଜଳ ସମସ୍ୟା ପ୍ରତି ପ୍ରଶାସନ ଶିଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର