୧୨୦୦ କୋଟି ଟଙ୍କାରେ ହେବ ୯ ପାନୀୟ ଜଳ ପ୍ରକଳ୍ପ

୧୭ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ବର : ଢେଙ୍କାନାଳ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୧୨୦୦ କୋଟି ଟଙ୍କା ବ୍ୟୟରେ ୯ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ୨୪ ମାସ ମଧ୍ୟରେ ସବୁ ପ୍ରକଳ୍ପ ସରିବ। ଏଥି ପାଇଁ ଡକାଯାଇଥିବା ଟେଣ୍ଡର୍‌ରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ଏହି ପାନୀୟ ଜଳ ପ୍ରକଳ୍ପ ସହ ମୋଟ୍‌ ୧୭ଟି ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି।

ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିଥିଲା। ଜଳଜୀବନ ମିସନ୍ ଯୋଜନାରେ ଢେଙ୍କାନାଳ ଜିଲ୍ଲାରେ ୪ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡର୍‌ରେ କୋହ୍ଲାପୁରର ଲକ୍ଷ୍ମୀ ସିଭିଲ୍‌ ଇଞ୍ଜିନିୟରିଂ ସର୍ଭିସ୍ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଚୟନ କରାଯାଇଛି। ଏହି ସଂସ୍ଥା ୫୦୧ କୋଟି ୮୫ ଲକ୍ଷ ଟଙ୍କାରେ କାମ କରିବ। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ୪ଟି ବ୍ଲକ୍ କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ ଓ ସଦର ବ୍ଲକ୍ ଅଧୀନରେ ୨୭୧ଟି ଗ୍ରାମରେ ବାସ କରୁଥିବା ୩ ଲକ୍ଷରୁ ଅଧିକ ଲୋକ ଶୁଦ୍ଧ ପାନୀୟ ଜଳ ପାଇବେ। କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡର୍‌ରେ ମଧ୍ୟ ଲକ୍ଷ୍ମୀ ସିଭିଲ୍‌ ଇଞ୍ଜିନିୟରିଂ ସଭିସେସ୍ ଯୋଗ୍ୟ ବିବେଚିତ ହୋଇଛି। ୪୧୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରାଯିବ। ଏହା ଦ୍ବାରା ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ବ୍ଲକ୍ ଅଧୀନରେ ଥିବା ୫୨୨ଟି ଗ୍ରାମର ୪ ଲକ୍ଷ ୩୫ ହଜାର ଲୋକ ଉପକୃତ ହେବେ। ବାଲେଶ୍ବର ଜିଲ୍ଲାର ଦୁଇଟି ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡର୍‌ରେ ହାଇଦ୍ରାବାଦର ଏନ୍‌ସିସି ଲିମିଟେଡ୍‌ ୨୯୧ କୋଟି ୬୨ ଲକ୍ଷ ଟଙ୍କାରେ କାମ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ପ୍ରକଳ୍ପ ଦ୍ବାରା ବାଲେଶ୍ବର, ରେମୁଣା ଓ ଖଇରା ବ୍ଲକ୍‌ ଅଧୀନରେ ଥିବା ୩୦୧ଟି ଗ୍ରାମର ୨ ଲକ୍ଷ ୬୨ ହଜାର ଲୋକ ପାନୀୟ ଜଳ ପାଇବେ।

ମିଲେଟ୍‌ ମିସନ୍ ପାଇଁ ୨୮୦୮ କୋଟି
ବର୍ଷା ଜଳ ଅମଳ ପାଇଁ ‘ଛାତ’ ଯୋଜନା

ଓଡ଼ିଶା ମିଲେଟ୍‌ ମିସନ୍‌କୁ ସମ୍ପ୍ରସାରଣ କରିବାକୁ ଥିବା ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ୨୦୧୭-୧୮ ମସିହାରେ ୭ଟି ଜିଲ୍ଲାର ୩୦ଟି ବ୍ଲକ୍‌ରୁ ମିସନ୍ ଆରମ୍ଭ ହୋଇଥିଲା। ଏହା ପରେ ବିଭିନ୍ନ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୮୪ଟି ବ୍ଲକ୍‌କୁ ଏହା ସମ୍ପ୍ରସାରିତ ହୋଇଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ୨୦୨୨-୩ରୁ ୧୯ଟି ଜିଲ୍ଲାର ୧୪୨ଟି ବ୍ଲକ୍‌ରେ ମି‌ଲେଟ୍‌ ମିସନ୍ କାର୍ଯ୍ୟକାରୀ ହେବ। ଏଥିରେ ୬ ବର୍ଷ ପାଇଁ ସରକାର ୨୮୦୮.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଭୂତଳ ଜଳ ଉପରୁ ଚାପ କମାଇବା ସହ ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପର ବର୍ଷା ଜଳ ଅମଳ ପଦ୍ଧତ୍ତିରେ ‘ଛାତ’ ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଯିବ। ଏହି ଯୋଜନା ଜଳକ୍ଳିଷ୍ଟ ୫୨ଟି ବ୍ଲକ୍‌ ଓ ୨୨ଟି ସହରାଞ୍ଚଳରେ ୨୭୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରାଯିବ। ବ୍ୟକ୍ତିଗତ କୋଠାରେ ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ ସର୍ବାଧିକ ୫୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି।

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ, ୬ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଭୂତଳ ପାଇପ ଦ୍ବାରା ଜଳସେଚନ ବ୍ୟବସ୍ଥା ର ପର୍ଯ୍ୟବେକ୍ଷଣ ନିମନ୍ତେ ଏକ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା(ପିଏମ୍‌ସି) ନିୟୋଜିତ କରାଯିବ। ଏହି ପିଏମ୍‌ସି ସଂପୃକ୍ତ ପ୍ରକଳ୍ପଗୁଡ଼ିକର ପୂର୍ଣ୍ଣାଙ୍ଗ ନିମନ୍ତେ ଆବଶ୍ୟକ ହେଉଥିବା ବୈଷୟିକ ସହାୟତା, ଡିଜାଇନ ଓ ଆକଳନ, ନିର୍ମାଣ ଆଦି କାର୍ଯ୍ୟର ସହାୟତା କରି‌ବ। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୧୧୫ କୋଟି ୭୬ ଲକ୍ଷ ଟଙ୍କାର ଟେଣ୍ଡର୍‌କୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ପ୍ରକଳ୍ପ ଅଧୀନରେ ବ୍ରାହ୍ମଣୀ ନଦୀରେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ବ୍ଲକ୍‌ର ଖଲପାଳ ଗ୍ରାମ ନିକଟରେ ଆନିକଟ ସେତୁ ନିର୍ମାଣ ହେବ। ସେହିପରି କୋଏଲ ନଦୀରେ ସୁନ୍ଦରଗଡ଼ ଜିଲ୍ଲାର ହମୀରପୁର ଗ୍ରାମ ନିକଟରେ ଏକ ଆନିକଟ ସେତୁ ନିର୍ମାଣ ହେବ। ଏହି ଦୁଇଟି ପ୍ରକଳ୍ପ ପାଇଁ ଯଥାକ୍ରମେ ୨୧୯ କୋଟି ୫୦ ଲକ୍ଷ ଓ ୩୦୯ କୋଟି ଟଙ୍କାର ଟେଣ୍ଡର୍‌ କ୍ୟାବିନେଟ୍‌ ସ୍ବୀକୃତି ପାଇଛି।

ଓଡ଼ିଶା ରାଜସ୍ବ ସେବା(ଗ୍ରୁପ୍ ବି) କ୍ୟାଡର୍‌ରେ ଅତିରିକ୍ତ ପଦବି ସୃଷ୍ଟି କରାଯାଇଛି। ପୂର୍ବରୁ ଏହି କ୍ୟାଡର୍‌ରେ ୧୦୯୨ ପଦବି ଥିଲା ବେଳେ ଆଜିର କ୍ୟାବିନେଟ୍‌ ନିଷ୍ପତ୍ତି ମୁତାବକ ଏହି ସଂଖ୍ୟା ୧୨୯୦ରେ ପହଞ୍ଚିଛି। ସେହିପରି ଖଣିଜ ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ଆଣିବା ପାଇଁ ଲାଗୁ କରାଯାଇଥିବା ‘ଇଣ୍ଟିଗ୍ରେଟେଡ୍‌ ମାଇନ୍ସ ଆଣ୍ଡ୍‌ ମିନେରାଲ୍ସ ମନିଟରିଂ ବ୍ୟବସ୍ଥା’ ନିମନ୍ତେ ୩୨୬ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୨ରୁ ୨୦୨୭ ଭିତରେ ଏହି ଅର୍ଥ ଖର୍ଚ୍ଚ ହେବ। ଏହି ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି।

ସମ୍ବନ୍ଧିତ ଖବର