ମରୁଡ଼ି ରିପୋର୍ଟ କେନ୍ଦ୍ରକୁ ପଠାଯାଇଛି: ରାଜସ୍ବ ମନ୍ତ୍ରୀ

ରାଜ୍ୟର ୯ଟି ଜିଲ୍ଲାର ୭୦ଟି ବ୍ଲକ ମରୁଡ଼ି କ୍ଷତିଗ୍ରସ୍ତ, ଓଡ଼ିଶା କହିଲା କେନ୍ଦ୍ରକୁ ୧୫୩୪ କୋଟିର ସହାୟତା ମଗାଯାଇଛି

ଭୁବନେଶ୍ବର : ବର୍ଷା ଅଭାବରୁ ସୁନ୍ଦରଗଡ଼, ସମ୍ବଲପୁର ସମେତ ୯ଟି ଜିଲ୍ଲାର ୭୦ଟି ବ୍ଲକ ମରୁଡ଼ି କ୍ଷତିଗ୍ରସ୍ତ । ଏଥିପାଇଁ ରାଜ୍ୟ ସରକାର ୧୫୩୪ କୋଟି ୮୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କେନ୍ଦ୍ରକୁ ବହୁ ପୂର୍ବରୁ ମାଗିଛନ୍ତି । ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ ଓଡ଼ିଶା ମରୁଡ଼ି ବାବଦରେ କିଛି ବି ସହାୟତା ମାଗିନଥିବା କହିଥିଲେ କେନ୍ଦ୍ର ସରକାର।

ସଚିବାଳୟରେ ଏ ସମ୍ପର୍କରେ ସୂଚନା ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତି କହିଛନ୍ତି, ଚଳିତବର୍ଷ ଖରିଫ ଫସଲ କଟା ଆରମ୍ଭ ହେବା ବେଳକୁ ରାଜ୍ୟ ସରକାର ସମ୍ପୃକ୍ତ ଜିଲ୍ଲାର ମରୁଡ଼ିଜନିତ କ୍ଷୟକ୍ଷତି ଆକଳନ କରି ଫସଲ ହାନିର ଫଟୋ ସହିତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି । ବୋଧହୁଏ ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରଶ୍ନର ଉତ୍ତର ଲେଖାହେବା ବେଳକୁ ରାଜ୍ୟ ସରକାରଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିନଥିବ। ବର୍ଷା ଅଭାବ ଯୋଗୁଁ ରାଜ୍ୟର ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ମରୁଡ଼ି ଦ୍ବାରା ପ୍ରଭାବିତ ବୋଲି ଗତ ଅକ୍ଟୋବର ମାସରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର