ଚନ୍ଦ୍ରଭାଗାରେ ଫିସଫେଡ୍ ଖୋଲିବ ଡ୍ରାଏ ଫିସ୍ ୟୁନିଟ୍

ଭୁବନେଶ୍ବର : ଚନ୍ଦ୍ରଭାଗାଠାରେ ଫିସ୍‌ଫେଡ୍ ‌ପକ୍ଷରୁ ଖୋଲିବ ଡ୍ରାଏ ଫିସ୍ ୟୁନିଟ୍। ଏଠାରୁ ଲୋକମାନେ ସ୍ବାସ୍ଥ୍ୟକର ଓ ଉପଯୁକ୍ତ ପ୍ୟା‌କିଂ ଜରିଆରେ ଶୁଖୁଆ ପାଇପାରିବେ। ଚନ୍ଦ୍ରଭାଗା ଓ ଏହାର ଆଖପାଖ ଅଞ୍ଚଳରେ ଶୁଖୁଆ ପାଇଁ ଉପଲବ୍ଧ ୧୦ରୁ ଅଧିକ ପ୍ରକାରର ମାଛ ଏଠାରେ ମିଳିବ। ତେବେ ରାଜ୍ୟରେ ପ୍ରଥମଥର ଲାଗି ସୋଲାର ଓ ଏଲ୍‌ପିଜିରେ ଏହି ୟୁନିଟ୍‌ଟି କାର୍ଯ୍ୟ କରିବ। ଏଥିପାଇଁ କୋଚିନ୍‌ସ୍ଥିତ କେନ୍ଦ୍ରୀୟ ମତ୍ସ୍ୟ ପ୍ରାଦ୍ୟୋଗିକ ପ୍ରତିଷ୍ଠାନ ବା ସିଆଇଏଫ୍‌ଟି ଏଥିପାଇଁ ସମସ୍ତ ପ୍ରକାର ଜ୍ଞାନ କୌଶଳ ଯୋଗାଇ ଦେବ। ଏହା ସଫଳ ହେଲେ ଆହୁରି ୨ଟି ୟୁନିଟ୍ ଖୋଲାଯିବ ବୋଲି ସୂଚନା ମିଳିଛି।

ଫିସ୍‌ଫେଡର ଜଣେ ଅଧିକାରୀଙ୍କ ସୂଚନା ଅୁନଯାୟୀ, ପୂର୍ବରୁ ଫିସ୍‌ଫେଡ୍‌ ପକ୍ଷରୁ ଚାଲୁଥିବା ଅଚଳ ବରଫ କଳ ଜାଗାରେ ଏହି ଡ୍ରାଏ ଫିସ୍ ୟୁନିଟ୍ ନିର୍ମାଣ କରାଯିବ। ମାଛକୁ ଶୁଖାଇବା ପାଇଁ ସିଆଇଏଫ୍‌ଟିରୁ ସ୍ବତନ୍ତ୍ରଭାବେ ମେସିନ୍ ଅଣାଯିବ। ଟେଣ୍ଡର୍‌ ଜରିଆରେ ଏହି ମେସିନ୍ କିଣାଯିବ। ବର୍ଷା ଦିନ ବ୍ୟତିତ ଅନ୍ୟ ସମୟରେ ସୋଲାର ପ୍ୟାନେଲ ଜରିଆରେ ଏହି ମେସିନ୍ କାର୍ଯ୍ୟ କରିବେ। ତେବେ ବର୍ଷା ଦିନେ ଏଲ୍‌ପିଜିର ବ୍ୟବହାର କରାଯିବ। ପୂର୍ବରୁ ରାଜ୍ୟରେ ସୋଲାର ଓ ବିଦ୍ୟୁତ୍ ଜରିଆରେ ଡ୍ରାଏ ଫିସ୍ ୟୁନିଟ୍ କାର୍ଯ୍ୟ କରୁଛି। ତେବେ ସୋଲାର ଓ ଏଲ୍‌ପିଜିରେ କାର୍ଯ୍ୟ କରିବା ଏଭଳି ୟୁନିଟ୍ ରାଜ୍ୟରେ ପ୍ରଥମ। ଏଥିପାଇଁ ୧କୋଟି ୨୩ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ବା ଆର୍‌କେଭିୱାଇ ଜରିଆରେ ଏହାକୁ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ପାରାଦୀପ ଓ ବ‌ାଲେଶ୍ବରର ବାହାଦଳପୁରରେ ଏଭଳି ୟୁନିଟ୍ ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଫିସ୍‌ଫେଡ୍ ପକ୍ଷରୁ ଆଗାମୀ ଦିନରେ ଭଦ୍ରକ, ପୁରୀ, ସୋନପୁର ଓ ନୟାଗଡ଼ରେ ୪ଟି ଚିଲିକା ଫ୍ରେସ୍ ୟୁନିଟ୍ ଖୋଲିବ। ପିପିପି ମୋଡ୍‌ରେ ଏହାକୁ ଖୋଲାଯିବ। ରାଜଧାନୀରେ ଫିସ୍‌ଫେଡ୍ ପକ୍ଷରୁ ଏବେ ୩ଟି ଚିଲିକା ଫ୍ରେସ୍ ଚାଲୁଥିବା ବେଳେ ପିପିପି ମୋଡ୍‌ରେ ୧୨ଟି ୟୁନିଟ୍ ଚାଲୁଛି। ରାଜଧାନୀରେ ଆହୁରି ୧୩ଟି ଚିଲିକା ଫ୍ରେସ୍ ପିପିପି ମୋଡ୍‌ରେ ଖୋଲିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର