ଆଳିରେ ଖାରବେଳଙ୍କୁ ଆକ୍ରମଣ : ମାଇକ ଓ ଗାଡ଼ି ଭଙ୍ଗାରୁଜା

ଶାସକ ଦଳ କର୍ମୀଙ୍କ ବିରୋଧରେ ଅଭିଯୋଗ

ଆଳି/କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆଳି ନୂଆ ବଜାରରେ ଉତ୍କଳ ଭାରତ ପାର୍ଟିର ରାଜ୍ୟ ସଭାପତି ଖାରବେଳ ସ୍ବାଇଁଙ୍କୁ ଆକ୍ରମଣ ହୋଇଛି। ଆଜି ଅପରାହ୍ନରେ ଏକ ପଥପ୍ରାନ୍ତ ସଭାରେ ସେ ରାଜ୍ୟ ସରକାରର ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଭାଷଣ ଦେଉଥିବା ବେଳେ ସ୍ଥାନୀୟ ଶାସକ ଦଳ କର୍ମୀ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଛନ୍ତି।

ଖାରବେଳଙ୍କ କହିବା ଅନୁଯାୟୀ, ଆଜି ଅପରାହ୍ନ ୩ଟା ବେଳେ ସେ ନିଜ ଦଳର ସମର୍ଥକ ମାନଙ୍କୁ ନେଇ ‘ଓଡିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ସଭାପତି ଦେବେନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରି ଭାଷଣ ଦେଉଥିବାବେଳେ କିଛି ଯୁବକ ସେଠା‌ରେ ପହଞ୍ଚି ତାଙ୍କୁ ଅତର୍କିତ ଆକ୍ରମଣ କରି ମାଇକ ଭାଙ୍ଗି ଦେଇଥିଲେ। ଏଭଳି ଘଟଣାର ପ୍ରତିବାଦରେ ସେ ସେହି ପଡ଼ିଆରେ ବସି ରହିଥିଲେ। କିନ୍ତୁ କେତେକ ଯୁବକ ତାଙ୍କ ବେକ ଧରି ଘୋଷାଡି ନେଇ ଗାଲିଗୁଲଜ କରିବା ସହିତ ତାଙ୍କ ସହ ସେଠାକୁ ଯାଇଥିବା ଦିଲ୍ଲୀପ ମଲିକଙ୍କ ଗାଡିକୁ ଭାଙ୍ଗି ଦେଇଥିଲେ। ସଭା ପାଇଁ ପୂର୍ବରୁ ଅନୁମତି ଦେଇଥିଲେ ବି କାର୍ଯ୍ୟକ୍ରମ ସମୟରେ ପୁଲିସ ଅନୁପସ୍ଥିତ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଖାରବେଳ ଏସ୍‌ପି ନୀତି ଶେଖରଙ୍କୁ ଦେଇଥିବା ଏଫ୍‌ଆଇଆର‌୍‌ରେ ଅଭିଯୋଗ କରିଛନ୍ତି, ମହ୍ଲା ସାହିର ନୀର ସେନାପତି, ମାଧ ସେଠୀ, ନରି, ପ୍ରଫୁଲ୍ଲ, ସ˚ଜୁ, ଗୁନା ଓ ଅନ୍ୟମାନେ ଗାଳିଗୁଲଜ କରିଥିଲେ। ଗାଡ଼ିର ଡ୍ରାଇଭର‌୍‌ ଓ ଦିଲୀପଙ୍କୁ ମାଡ଼ ମାରିଥିଲେ। ଏଠି ସଭା କଲେ ଜୀବନରୁ ମାରି ଦେବେ‌ ବୋଲି ଧମକ ଦେଇଥିଲେ। ‌ବୈଜୟନ୍ତ ପଣ୍ଡା ଓ ଅଭିଜିତ୍‌ ଆୟାର ମିତ୍ରଙ୍କ ସପକ୍ଷରେ କାହିଁକି ଗଣମାଧ୍ୟମରେ ମନ୍ତବ୍ୟ ଦେଲ ବୋଲି ପ୍ରଶ୍ନ କରି ତାଙ୍କୁ ଆକ୍ରମଣ କରିଥିଲେ। ଆଳି ଥାନା ପୁଲିସ୍‌କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଖାରବେଳ କହିଛନ୍ତି ଯେ, ‘ ଏପରି ଧମକରେ ସେ ଡରିଯିବା ଲୋକ ନୁହନ୍ତି। ମୁଁ ଏ ସରକାରକୁ ବିଦା କରିବା ପାଇଁ ସାରା ରାଜ୍ୟରେ ବୁଲି ବୁଲି ପ୍ରଚାର କରିବି। ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ପ୍ରରୋଚନାରେ ଏହି ଆକ୍ରମଣ ହୋଇଛି। ସାଂସଦ ଶ୍ରୀ ଦେବ ଏହାକୁ ଅସ୍ବୀକାର କରିବା ସହିତ ଏ ସଂପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି। ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ଶାସକ ଦଳର ଏଭଳି ଆକ୍ରମଣ ନିନ୍ଦନୀୟ ବୋଲି ଆଳି ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର