ଧରାପଡ଼ିଲେ ନକଲି ମହିଳା ଡାକ୍ତର

ସ୍ତ୍ରୀ ରୋଗ ବିଶେଷଜ୍ଞ ପରିଚୟରେ ଚିକିତ୍ସା କରୁଥିଲେ

ବୀରମିତ୍ରପୁର: ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପରିଚୟ ଦେଇ ବୀରମିତ୍ରପୁର ସମେତ ୩ଟି ସ୍ଥାନରେ କ୍ଲିନିକ୍‌ ଖୋଲି ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ମହିଳା ସ୍ବାସ୍ଥ୍ୟ ବିଭାଗ ଓ ପୁଲିସର ମିଳିତ ଚଢଉ ବେଳେ ଧରାପଡ଼ିଛନ୍ତି। କ୍ଲିନିକ୍‌ଗୁଡ଼ିକରେ ଥିବା ଅଲ୍‌ଟ୍ରା ସାଉଣ୍ଡ ମେସିନ ସମେତ ସମସ୍ତ ଡାକ୍ତରୀ ଉପକରଣକୁ ଜବତ କରି ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ନୂଆଗାଁ ବ୍ଲକ୍‌ ପୁରୁଣାପାଣି ଗ୍ରାମର ଶ୍ରୀମତୀ ସିମ୍‌ରନ ବୀରମିତ୍ରପୁର ରାଏବଗା ରୋଡ଼ରେ ଏକ ଭଡ଼ା ଘରେ ‘ମଦର ଏଣ୍ଡ ଚାଇଲ୍‌ଡ ନାମରେ ଏକ କ୍ଲିନିକ୍‌ ଖୋଲିଥିଲେ। ତାଙ୍କ କ୍ଲିନିକ୍‌ ବୋର୍ଡରେ ନିଜକୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଶିକ୍ଷାଗତ ଯୋଗ୍ୟତା ଡିଇଏଚ୍‌ଏମ୍‌, ଏଏମ୍‌ପିଇଏଚ୍‌ (ଏମ୍‌ଏଆଇଇଏଚ୍‌ଏମ୍‌ଏ) ବୋଲି ଦର୍ଶାଇଥିଲେ। କ୍ଲିନିକ୍‌ରେ ଅଲ୍‌ଟ୍ରାସାଉଣ୍ଡ ମେସିନ ସମେତ ବହୁ ଅତ୍ୟାଧୁନିକ ସ୍ବାସ୍ଥ୍ୟ ପରୀକ୍ଷା ଉପକରଣ ରହିଥିଲା। ତେଣୁ ତାଙ୍କୁ କେହି ଅବିଶ୍ବାସ କରୁନଥିଲେ। ପ୍ରତିଦିନ ଶହ ଶହ ରୋଗୀ ଏହି କ୍ଲିନିକ୍‌କୁ ଆସୁଥିଲେ। ସିମ୍‌ରନଙ୍କର ନୂଆଗାଁ ଗ୍ରାମପଞ୍ଚାୟତର ଝାରବେଡ଼ା ଛକରେ ଓ ବୀରମିତ୍ରପୁରର ଅନ୍ୟ ଏକ ସ୍ଥାନରେ ଆଉ ଦୁଇଟି କ୍ଲିନିକ୍‌ ଅଛି। ସବୁ କ୍ଲିନିକ୍‌ରେ ଅଲ୍‌ଟ୍ରାସାଉଣ୍ଡ ମେସିନ ରହିଥିଲା। ତେବେ ସିମ୍‌ରନଙ୍କର ଚିକିତ୍ସା ଶୈଳୀରେ ସନ୍ଦେହ କରି ଅନେକ ରୋଗୀ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଆକର୍ଷଣ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ଏସ୍‌ଡିଏଫ୍‌ଡବ୍ଲୁ ରାଜ୍ୟ ନୋଡାଲ ଅଫିସର ପିସିପିଏମ୍‌ଡିଟି ଆଡଭାଇଜର ଡ. ବିନୋଦ ବିହାରୀ ରଥଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ସିମ୍‌ରନଙ୍କ ଘର, ଝାରବେଡା ଓ ବୀରମିତ୍ରପୁରର ଦୁଇଟି କ୍ଲିନିକ୍‌ ଉପରେ ଏକକାଳୀନ ଚଢଉ କରିଥିଲେ। ଏହି ସମୟରେ ସିମ୍‌ରନ ବୀରମିତ୍ରପୁର କ୍ଲିନିକ୍‌ରେ ‌ରୋଗୀ ଚିକିତ୍ସା କରୁଥିଲେ। ଅଧିକାରୀମାନେ ତାଙ୍କୁ ପଚରା ଉଚରା ବେଳେ ସେ ଜଣେ ନକଲି ଡାକ୍ତର ବୋଲି ଜାଣିବାକୁ ପାଇଥିଲେ। ପୁଲିସ୍‌ ୩ କ୍ଲିନିକ୍‌ରୁ ବହୁ ବହୁ ରୋଗ ନିରୂପଣ ଯନ୍ତ୍ର ସମେତ ଚିକିତ୍ସା ଉପକରଣ ଜବତ କରିଛି। ସିମ୍‌ରନଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର