ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ ଘଟଣା: ୧୩୩କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ଜବତ

ଭୁବନେଶ୍ବର : ପୂର୍ବତନ ଚମ୍ପୁଆ ବିଧାୟକ ତଥା ବିଡି ମାଇନ୍ସର ମାଲିକ ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ବରସ୍ଥିତ ଘରେ ଏବଂ କାର୍ଯ୍ୟାଳୟରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଚଢ଼ଉ ଆଜି ଶେଷ ହୋଇଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ଇଡି ଚଢ଼ଉ କରି ଶ୍ରୀ ପଟ୍ଟନାୟକଙ୍କ ଘରୁ ଓ ଅଫିସ୍‌ରୁ ନଗଦ ୭୦ଲକ୍ଷ ଟଙ୍କା ଓ ୧୨୪ଟି ଫିକ୍ସଡ୍ ଡିପୋଜିଟ୍‌ର ପ୍ରାୟ ୧୩୩.୧୭କୋଟି ଟଙ୍କା ଜବତ କରିଛି। ୧୯୯୦ରୁ ୨୦୧୦ ମଧ୍ୟରେ ବିଡି ମାଇନ୍ସ ବେଆଇନ୍ ଭାବେ ଖଣି ଉତ୍ତୋଳନ କରିଥିଲେ। ଏହି ୨୦ ବର୍ଷ ମଧ୍ୟରେ ବେଆଇନ୍ ଖଣି ଖନନ ଯୋଗୁଁ ୧୩୦ କୋଟି ସରକାରୀ ରାଜସ୍ବ କ୍ଷତି ହୋଇଥିଲା। ତେଣୁ ଖଣିରୁ ଉପାର୍ଜିତ ୧୩୦କୋଟି ଟଙ୍କା ଦୁର୍ନୀତିର ତଦନ୍ତ ଦାୟିତ୍ବ ନେଇ ରାଜ୍ୟ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଇଡିକୁ ଏହି ଖଣି ଦୁର୍ନୀତିର ତଦନ୍ତ ଦାୟିତ୍ବ ମିଳିଥିଲା। ତେଣୁ ଇଡି ଘଟଣାର ତଦନ୍ତ କରିବା ପରେ ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ଉ କରିଥିଲା।

ଅପରପକ୍ଷରେ ସରକାର କ୍ଷତି ସହିଥିବା ଏହି ୧୩୦ କୋଟି ଟଙ୍କା ଫେରସ୍ତ ହୋଇଛି ବୋଲି ଇଡି ସୂଚନା ଦେଇଛି। ତେବେ ଏନେଇ ଜିତୁ ପଟ୍ଟନାୟକ କହିଛନ୍ତି, ତାଙ୍କର କୌଣସି କଳାଧନ ନାହିଁ। ସବୁ କିଛିର ହିସାବ କିତାବ ତାଙ୍କ ପାଖରେ ଅଛି। ତେଣୁ ଜବତ ସବୁ ଟଙ୍କାର ତଥ୍ୟ ପ୍ରମାଣ ଦେଖାଇବା ପାଇଁ ସେ ଇଡିକୁ କିଛିଦିନ ସମୟ ମାଗିଛନ୍ତି। ଏହି ଆଧାରରେ ଇଡି ଆସନ୍ତା ମେ’ ୨୨ତାରିଖ ସୁଦ୍ଧା କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର