କଟକ : ଓଡ଼ିଶା ଅଲିମ୍ପିକ ସଂଘର ଆର୍ଥିକ ଅନିୟମିତତା ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସରକାରୀ ଜମିରେ ବେଆଇନ୍ ଭାବେ ବାରବାଟୀ ପ୍ୟାଲେସ୍ ଓ ଦୋକାନ ଘର ନିର୍ମାଣ ହୋଇଥିବା ନେଇ ପୂର୍ବରୁ ଏକାଧିକ ତଦନ୍ତକାରୀ ସଂସ୍ଥା ମାମଲା ରୁଜୁ କରିଥିଲାବେଳେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜଆଡ଼ୁ ଏହି ଆର୍ଥିକ ଅନିୟମିତତା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ମାମଲାରେ ଅଲମ୍ପିକ ସଂଘ ସହିତ ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରା, ଏନ୍କନ୍ ଆସୋସିଏଟ୍ସର ପାର୍ଟନର ତଥା ଆଶୀର୍ବାଦ ବେହେରାଙ୍କ ସାନ ପୁଅ ସଂଜୟ ବେହେରା ଓ ଜ୍ୱାଇଁ ସଂଜିତ ସାମଲଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିଏଜି ପକ୍ଷରୁ ଅଲିମ୍ପକ୍ ସଂଘ ଓ ଏନ୍କନ୍ର ଆର୍ଥିକ ଅନିୟମିତତା ବାବଦରେ ଅଡିଟ୍ ହୋଇଥିଲା। ସେଥିରୁ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଧରା ପଡ଼ିଥିଲା। ୧୯୯୦-୯୧ ରୁ ୧୯୯୫-୯୬ ବର୍ଷ ମଧ୍ୟରେ ଓଡ଼ିଶା ଅଲିମ୍ପିକ ସଂଘ ୧୪.୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉକ୍ତ ୨୩ ଦୋକାନ ଘର ନିର୍ମାଣ କରିଥିଲା। ହେଲେ ଖର୍ଚ୍ଚ ହୋଇଥିବା କୌଣସି ଭାଉଚର ଅଲିମ୍ପକ ସଂଘ ପାଖରେ ମିଳିନଥିଲା। ବାର୍ଷିକ ଆକାଉଣ୍ଟ ଲେଜର ଅନୁଯାୟୀ ଦୋକାନ ଘର ପାଇଁ ହୋଇଥିବା ଖର୍ଚ୍ଚକୁ ସ୍ୱତନ୍ତ୍ର ଭାବେ ଦର୍ଶାନଯାଇ ତାହାକୁ ଷ୍ଟାଡିୟମ, ଅଫିସ କୋଠା ଇତ୍ୟାଦିରେ ବିନିଯୋଗ ହୋଇଥିବା ଟଙ୍କା ମଧ୍ୟରେ ମିଶାଇ ଦିଆଯାଇଥିଲା। ତେଣୁ ଏହାକୁ ନେଇ ଅଡିଟ୍ ସନ୍ଦେହ ପ୍ରକଟ କରିଥିଲେ।
ଅନ୍ୟପକ୍ଷରେ ବାରବାଟୀ ପ୍ୟାଲେସକୁ ନେଇ ଏନକନ୍ ଆସୋସିଏଟ୍ସ ପାଖରେ କୌଣସି ଆର୍ଥିକ ଦେଣନେଣର ହିସାବ ନଥିଲା। ଏହାର ତିନି ବ୍ୟବସାୟ ପ୍ୟାଲେସ, ଗେଷ୍ଟ ହାଉସ ଓ କ୍ୟାଟରିଂରେ ସବୁକିଛି ମିଶାଇ ଦିଆଯାଇଥିଲା। ଫଳରେ ପ୍ୟାଲେସ ପିଛା କେତେ ଟଙ୍କା ଖର୍ଚ୍ଚ କରାଯାଇଛି ତାହାର ସଠିକ୍ ହିସାବ ଏନ୍କନ୍ ପାଖରେ ନଥିଲା। ଅଡିଟ୍ ପକ୍ଷରୁ ଏହାର କ୍ୟାସ ବୁକ୍, ବୁକିଂ ଓ ଆଦାୟ ରେଜିଷ୍ଟର, ରସିଦ ବହି, ବିଲ୍ କପି, ବିଲ୍ ରେଜିଷ୍ଟର, ପ୍ୟାଲେସର ତାରିଫ ଚାର୍ଜ ଇତ୍ୟାଦି ବାବଦରେ ତଥ୍ୟ ଲୋଡିଥିଲେ ବି ଇନ୍କନ୍ ପକ୍ଷରୁ ସେଗୁଡିକୁ ଦାଖଲ କରାଯାଇନଥିଲା। ତେଣୁ ଏହାର ଆକାଉଣ୍ଟକୁ ଅଡିଟ୍ ଦ୍ୱାରା ଭରଷା କରାଯାଇନପାରେ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ବିଭିନ୍ନ ସମୟରେ ହୋଇଥିବା ଚୁକ୍ତିରେ ଏନକନ୍ ପକ୍ଷରୁ ପ୍ୟାଲେସର ନିର୍ମାଣ ଖର୍ଚ୍ଚକୁ ବିଭିନ୍ନ ସମୟରେ ଅଧିକ କରି ଦେଖାଉଥିଲା। ହେଲେ ତାହାକୁ ସାଧାରଣ ପରିଷଦ ବୈଠକରେ ପାସ୍ ନକରି ଚୁକ୍ତି କରିଦିଆଯାଉଥିବା ଅଭିଯୋଗ ହୋଇଥିଲା।
ଓଡ଼ିଶା ଅଲିମ୍ପିକ୍ ସଂଘ ପକ୍ଷରୁ ସରକାରୀ ଜମି ଜବର ଦଖଲ କରାଯାଇଥିବା ନେଇ ୧୯୯୧ ମସିହାରେ ଅଭିଯୋଗ ଆସିଥିଲା। ପୂର୍ବରୁ ସଂଘ ପାଖରେ ୨୫ଏକର ୪୫୦ ଡିସିମିଲ୍ ଜମି ରହିଥିଲାବେଳେ ସେଥିରୁ ୨୪ ଏକର ୩୩୩ ଡିସିମିଲ୍ ଜମି ସଂଘ ନାମରେ ରେକର୍ଡଭୁକ୍ତ ହୋଇଥିଲା। ଅବଶିଷ୍ଟ ୭୧୭ ଡିସିମିଲ୍ ଜମିରୁ ୬୩୪ ଡିସିମିଲ୍ ଜମି ଜବରଦଖଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଜବରଦଖଲ ଜମି ଉପରେ ୨୩ ଦୋକାନ ଘର ନିର୍ମାଣ ହୋଇଥିଲା। ଏହାକୁ ନେଇ ୧୯୯୧ ମସିହାରେ ତହସିଲ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ସେବେଠାରୁ ଲଢେଇ ଆରମ୍ଭ ହୋଇଥିଲାବେଳେ ୨୦୦୧ରେ ହାଇକୋର୍ଟ ଓ ୨୦୧୪ରେ ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିଥିଲା। ଏନ୍କନ୍ ଆସୋସିଏଟ୍ସ ମଧ୍ୟ ୧୯୯୯ ମସିହାରେ ଅଲିମ୍ପିକ ସଂଘ ଜମିରେ ପ୍ରଥମ ପାଦ ଦେଇଥିଲା। ପୁଅ ଓ ଜ୍ୱାଇଁଙ୍କ ନାମରେ ଏହାଥିବାରୁ ସେବେଠାରୁ ବ୍ୟବସାୟିକ ଫାଇଦା ମଧ୍ୟ ଉଠାଯାଇଥିବା ଅଭିଯୋଗ ହୋଇଥିଲା। ପରେ ମାମଲାର ଶୁଣାଣି କରି ୨୦୧୬, ମାର୍ଚ୍ଚ ୩ ତାରିଖରେ ସୁପ୍ରିମ କୋର୍ଟ ଆଶୀର୍ବାଦ ବେହେରାଙ୍କୁ ଅଲିମ୍ପିକ୍ ସଂଘଠୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ୨୦୧୭ ଏପ୍ରିଲ ୩ ତାରିଖରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ଆଶୀର୍ବାଦ ଓ ତାଙ୍କର ପୁଅ, ଜ୍ୱାଇଁଙ୍କୁ କୋର୍ଟ କଡା ଭାଷାରେ ଭର୍ତ୍ସନା କରିଥିଲେ। ଏଥିସହିତ ଏହାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ମାମଲା ରୁଜୁ କରିବା ସହିତ ଅଲିମ୍ପିକ ସଂଘ ଓ ଆଶୀର୍ବାଦ ବେହେରାଙ୍କ ଘରେ ଚଢାଉ କରି କେତେକ କାଗଜପତ୍ର ଜବତ କରିଥିଲା। ବର୍ତ୍ତମାନ ଇଡି ଆର୍ଥିକ ଅନିୟମିତତା ମାମଲା ନିଜ ହାତକୁ ନେଇଥିବାରୁ ଆର୍ଶୀବାଦ ଓ ତାଙ୍କ ପୁଅ, ଜ୍ୱାଇଁଙ୍କ ପାଇଁ ସମସ୍ୟା ବଢିଯାଇଥିବା ଆଲୋଚନା ହେଉଛି।