ରାଜ୍ୟ ବଜେଟ୍ ୨୦୧୮-୧୯: ରାଜନୈତିକ ପ୍ରତିକ୍ରିୟା

ଗରିବ ଓ ସାଧାରଣ ଲୋକଙ୍କ ବଜେଟ୍‌ : ମୁଖ୍ୟମନ୍ତ୍ରୀ

୨୦୧୮-୧୯ ବଜେଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଓ ସାଧାରଣ ଲୋକଙ୍କ ବଜେଟ୍‌ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ଏହା ଏକ ସନ୍ତୁଳିତ ବଜେଟ୍‌। ଏହା ସମନ୍ଵିତ ବିକାଶକୁ ଆଗେଇ ନେବ। ଏହା ଓଡ଼ିଶାର ଜନତାଙ୍କ ଆଶା ପୂରଣ କରିବାରେ ସମର୍ଥ ହେବ।

ନୈରାଶ୍ୟଜନକ: ବିରୋଧୀ ଦଳ ନେତା

ବଜେଟ୍‌କୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ଏହି ବଜେଟ୍‌ରେ ଧନୀ-ଗରିବ ତାରତମ୍ୟ ହ୍ରାସ କରିବା ପାଇଁ କୌଣସି ଉଦ୍ୟମ କରାଯାଇନାହିଁ। ଆଞ୍ଚଳିକ ବୈଷମ୍ୟ ଦୂର କରିବା ନେଇ କୌଣସି ବ୍ୟବସ୍ଥା ନାହିଁ। କେବିକେ, ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଇଛି। ବେକାରୀ ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇଦେବା ପାଇଁ ଅର୍ଥ ବରାଦ କରାଯାଇନାହିଁ। ୨୦୦୬ରେ ଏହି ସରକାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦୦୯ରେ ପ୍ରତିଶ୍ରୁତି ଦେଇଥିଲେ, ଯେଉଁ ଗାଁରେ ୩୫ ପ୍ରତିଶତରୁ କମ୍‌ ଜଳସେଚନ ସୁବିଧା ଅଛି, ସେହି ଗାଁଗୁଡ଼ିକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ୨୦୦୯ରେ ଚାଷୀଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ସରକାର ବଜେଟ୍‌ରେ କୌଣସି ବ୍ୟବସ୍ଥା କରିନାହାନ୍ତି। କୃଷକ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସରକାର ଯେଉଁ ପ୍ରତିଶ୍ରୁତିମାନ ଦେଇଥିଲେ, ସେ ଦିଗରେ କି ବ୍ୟବସ୍ଥା କରିଛନ୍ତି କି? ୧.୨୦ ଲକ୍ଷ କୋଟିର ଏହି ବଜେଟ୍‌ରେ ଓଡ଼ିଶା ସରକାରଙ୍କ ଅବଦାନ ମାତ୍ର ୩୮ ହଜାର କୋଟି। ସଂଜୀବ ହୋତା କମିସନଙ୍କ ସୁପାରିସ କାର୍ଯ୍ୟକାରୀ କରିଥିଲେ, ଖାଲି ଖଣି କ୍ଷେତ୍ରରୁ ବାର୍ଷିକ ୫୦ ହଜାର କୋଟି ମିଳିଥାନ୍ତା ବୋଲି ସେ କହିଛନ୍ତି।

ଜନଆକାଂକ୍ଷା ପୂରଣ କରିବାରେ ବ୍ୟର୍ଥ : ଧର୍ମେନ୍ଦ୍ର

ରାଜ୍ୟ ବଜେଟ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ଓ ଜନ ଆକାଂକ୍ଷା ପୂରଣ କରିବାରେ ସମ୍ପୂର୍ଣ୍ଣ ବ୍ୟର୍ଥ ସାବ୍ୟସ୍ତ ହେବ। ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆହୁରି କହିଛନ୍ତି, ବଜେଟ୍‌ରେ ରାଜ୍ୟର ଯୁବକ, ମହିଳା, ଚାଷୀ, ଜନଜାତି, ଦଳିତ ଓ ପଛୁଆ ବର୍ଗଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କିଛି ଠୋସ୍‌ କାର୍ଯ୍ୟକ୍ରମ ନାହିଁ।

ବିକାଶ ନୁହେଁ, ଭୋଟ ପାଇଁ ବଜେଟ୍‌: ପିସିସି ସଭାପତି

ବଜେଟ୍‌ରେ ସରକାରୀ ଅର୍ଥକୁ ଦଳୀୟ ପାଣ୍ଠି ଭାବେ ଖର୍ଚ୍ଚ କରିବାକୁ କାରସାଦି କରାଯାଇଛି। ଟଙ୍କା ବାଣ୍ଟି ଭୋଟ ସାଉଣ୍ଟିବା ଲକ୍ଷ୍ୟ ନେଇ ବଜେଟ୍‌ରେ ବ୍ୟୟବରାଦ କରାଯାଇଛି ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଗ୍ରାମାଞ୍ଚଳର ଉନ୍ନତି ପାଇଁ ୧୪ଶ ଅର୍ଥ କମିସନ ଏବଂ ୪ର୍ଥ ରାଜ୍ୟ ଅର୍ଥ କମିସନ ଅନୁଦାନ ଖର୍ଚ ହୋଇନପାରି ପଡ଼ିରହିଥିବା ବେଳେ ଆମ ଗାଁ ଆମ ବିକାଶ ନାଁରେ ୧୨୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଅର୍ଥ କେବଳ ହରିଲୁଟ୍‌ ପାଇଁ ଉଦ୍ଦିଷ୍ଟ। କୃଷକ କଲ୍ୟାଣ ପାଇଁ ୨୫୦ କୋଟି ଟଙ୍କା ରଖାଯାଇଥିବା ବେଳେ ଏହାର କୌଣସି ଲକ୍ଷ୍ୟ ନାହିଁ କି ଉଦ୍ଦେଶ୍ୟ ନାହିଁ। ଏହା ଏକ ଚିରାଚରିତ ବିକଶ ଏବଂ ଲୋକହିତ ବିରୋଧୀ ବଜେଟ୍‌ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିି।

ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍‌ : ବିଜେଡି

ଚଳିତ ରାଜ୍ୟ ବଜେଟ୍‌ ଏକ ଦୂରଦୃଷ୍ଟିସମ୍ପନ୍ନ ବଜେଟ୍‌ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି, ଏଥିରେ ସବୁ ବର୍ଗର କଲ୍ୟାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି। କୃଷି ଓ କୃଷକ, ଓଡ଼ିଆ ଉପରେ ପ୍ରାଧାନ୍ୟ ଦିଆଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଥମେ ସ୍ୱତନ୍ତ୍ର କୃଷି ବଜେଟ୍‌ ୭୧୬୨ କୋଟି ଟଙ୍କାର ଉପସ୍ଥାପିତ ହୋଇଥିଲା। ଏଥର ୧୩୦ ପ୍ରତିଶତ ବୃଦ୍ଧି କରି ୧୬,୭୬୫ କୋଟି ଟଙ୍କାର ସ୍ୱତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପିତ ହୋଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ମଧ୍ୟ ବହୁ ବ୍ୟୟବରାଦ ହୋଇଛି। ବିଜେଡି ସରକାର ଗଠନ ହେବା ପରେ ଦଳର ଇସ୍ତାହାରକୁ ସଂକଳ୍ପ ଭାବେ ଗ୍ରହଣ କରି ତାହାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଆସୁଛନ୍ତି।

ଅସ୍ତଗାମୀ ବଜେଟ୍‌ : ବିଜେପି

ରାଜ୍ୟ ବଜେଟ୍‌କୁ ଅସ୍ତଗାମୀ ବଜେଟ୍‌ କହି ସମାଲୋଚନା କରିଛି ବିଜେପି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ବଜେଟ୍‌ ଦିଶାହୀନ ଓ ନୈରାଶ୍ୟଜନକ। ବଜେଟ୍‌ରେ କୌଣସି ନୂତନତ୍ୱ ନାହିଁ। ସାଧାରଣ ଜନତାଙ୍କୁ ସରକାର ବିଭ୍ରାନ୍ତି କରାଇଛନ୍ତି। ବଜେଟ୍‌ରେ ଚାଷୀଙ୍କ ସମସ୍ୟା ଦୂର ହେବ ନାହିଁ କି କୌଣସି ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ନାହିଁ। ସାମାଜିକ ନିରାପତ୍ତା ବାବଦରେ ଅର୍ଥ ଦିଆଯାଇ ନାହିଁ। ରାଜ୍ୟ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୫୧.୧୧ ପ୍ରତିଶତ ଅର୍ଥାତ ୬୧,୩୫୦ କୋଟି ଟଙ୍କା। ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୨.୨୬ ପ୍ରତିଶତ ଅର୍ଥାତ ୩୮,୮୨୫ କୋଟି ଟଙ୍କା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜ୍ୟ ସରକାର କେବଳ କେନ୍ଦ୍ର ସରକାରଙ୍କ ଅର୍ଥରେ ନିଜ ପ୍ରଚାର କରୁଛନ୍ତି। ରାଜ୍ୟର ରାଜସ୍ୱ ଖସୁଛି ଓ ଏହାକୁ ସଜାଡ଼ିବା ପାଇଁ ସରକାରଙ୍କ ପାଖରେ ରଣନୀତି ନାହିଁ। ଓଡ଼ିଶାରେ ୧୦ ଲକ୍ଷ ହେକ୍ଟର୍‌ ଜଳସେଚନ କରିବାର ପ୍ରତିଶ୍ରୁତିରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ଅର୍ଥ ମନ୍ତ୍ରୀଙ୍କ କବିତା

ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରଥମେ କୃଷି ବଜେଟ୍‌ ଓ ପରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିଥିଲେ। ଦୁଇଟି ବଜେଟ୍‌ର ଦୁଇଟି କବିତା ପଢ଼ିଲେ। କୃଷି ବଜେଟ୍‌ରେ ଶେଷରେ ପ୍ରଖ୍ୟାତ କବି ଗଙ୍ଗାଧର ମେହେରଙ୍କ କବିତାକୁ ଉଦ୍ଧୃତ କରି କହିଲେ, ‘ବାର ମାସ କ୍ଷେତେ ମୋ ଲାଗିଥାଏ କାମ…ମାସେ, ପକ୍ଷେ କେବେ ହେଁ ନଥାଏ ବିଶ୍ରାମ…କ୍ଷେତ ମୋର ଲକ୍ଷ୍ମୀର ବିପୁଳ ଭଣ୍ଡାର…ଦେଉଅଛି ଅଶନ ବସନ ଇତ୍ୟାଦି…ବାରମ୍ବାର ହେ।’ ପୁଣି ସାଧାରଣ ବଜେଟ୍‌ରେ ଓଡ଼ିଆ ଭାଷା ପ୍ରସଙ୍ଗରେ କହୁଥିଲା ବେଳେ ଭକ୍ତିକବି ମଧୁସୂଦନ ରାଓଙ୍କ ପ୍ରସିଦ୍ଧ ଉକ୍ତିକୁ ଅବତାରଣା କରି କହିଥିଲେ, ‘ମାତୃଭୂମି ମାତୃଭାଷା ଉଭୟେ ଜନନୀ…ସେବି ତାଙ୍କୁ ଭକ୍ତି ଭରେ ଦିବସ ରଜନୀ’।

ପ୍ରଥମ ଓ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌

ଗତ ବର୍ଷ ମେ’ ମାସରେ ଶଶିଭୂଷଣ ବେହେରା ମନ୍ତ୍ରିମଣ୍ଡଳରେ ସାମିଲ୍‌ ହେବା ସହ ଅର୍ଥ ବିଭାଗ ଦାୟିତ୍ୱ ନେଇଥିଲେ। ଆଜିର ବଜେଟ୍‌ ଉପସ୍ଥାପନ ଥିଲା ତାଙ୍କର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌। ଏହା ପୂର୍ବରୁ ଡିସେମ୍ବରରେ ସେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ। ଚଳିତ ସରକାର ସମୟରେ ଆଜିର ବଜେଟ୍‌ ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌। ୨୦୧୯ରେ ନିର୍ବାଚନ ଥିବାରୁ ଆଉ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ପାଇଁ ସରକାରଙ୍କୁ ସମୟ ନାହିଁ। ତେଣୁ ଅର୍ଥ ମନ୍ତ୍ରୀ ଭାବେ ଆଜିର ବଜେଟ୍‌ ହିଁ ଶ୍ରୀ ବେହେରାଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ।

ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱ

ଅର୍ଥ ମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କଲା ବେଳେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ନାମ ନେଉଥା’ନ୍ତି। ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱ….ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଆଦି କହୁଥା’ନ୍ତି। ଦୁଇଟି ଯାକ ବଜେଟ୍‌ରେ ମୋଟ୍‌ ୧୪ ଥର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ କଥା ସେ ଉଠାଇଥିଲେ।

ସମ୍ବନ୍ଧିତ ଖବର