ପିପିଲିରେ ନିର୍ବାଚନୀ ହିଂସା, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ଆକ୍ରମଣ ହେବା ନେଇ ଅଭିଯୋଗ

ଭୁବନେଶ୍ବର: ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡି ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ତାଙ୍କ ଗାଡିର କାଚ ଭାଙ୍ଗିଯାଇଛି । ଆଜି କିଛି ବିଜେଡି କର୍ମୀ ଆହତ ହୋଇ ଡେଲାଙ୍ଗରେ ଭର୍ତି ହୋଇଥିବା ଖବର ପାଇ ସେମାନଙ୍କୁ ଭେଟିବାକୁ ଯାଇଥିଲେ ମନ୍ତ୍ରୀ । ଆହତ ବିଜେଡି କର୍ମୀଙ୍କୁ ଭେଟି ଫେରିବା ସମୟରେ ମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ବିଜେପି ଅଭିଯୋଗ କରିଛି ତାଙ୍କ କର୍ମୀଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି । ଆଜି ଡେଲାଙ୍ଗର ପ୍ରଚାର ବେଳେ ବିଜେଡି-ବିଜେପି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଜେଡି କର୍ମୀଙ୍କ ମାଡରେ ୩ ଜଣ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଭୁବନେଶ୍ୱର ଏମ୍ସ ଯାଇ ବିଜେପି ସଭାପତି ସମୀର ମହାନ୍ତି ଗୁରୁତର ବିଜେପି କର୍ମୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଡେଲାଙ୍ଗ ଜେନାପୁରର ବାହ୍ମଣ ବାଡ଼ ଅଂଚଳରେ ବିଜେପି କର୍ମୀ ପ୍ରଚାର କରୁଥିବା ବେଳେ ଏହି ଗଣ୍ଡଗୋଳ ହୋଇଥିଲା । ଘଟଣା ପରେ ପଟନେକିଆ ରାସ୍ତାକୁ ହାଟଡେଲାଙ୍ଗ ଠାରେ ଅବରୋଧ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି ।

ସମ୍ବନ୍ଧିତ ଖବର