ବିଜୁଳି ବଳକା ଓଡ଼ିଶାରେ ବିଜୁଳି ମହଙ୍ଗା

ଶୁଳ୍କ ହ୍ରାସ ନ କଲେ ଆନ୍ଦୋଳନ କରିବ ସମାଜବାଦୀ ପାର୍ଟି

ଭୁବନେଶ୍ୱର : ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ। ବିଜୁଳିର କଞ୍ଚାମାଲ୍‌ ପାଣି ଓ କୋଇଲା ଏଠାରେ ପ୍ରଚୁର ମିଳେ। ଏହା ସତ୍ତ୍ବେ ଓଡ଼ିଶାବାସୀଙ୍କୁ ପ୍ରତିବର୍ଷ ବିଜୁଳି ଶୁଳ୍କବୃଦ୍ଧିର ବୋଝ ବୋହିବାକୁ ପଡ଼ୁଛି। ଆମଠାରୁ ବିଜୁଳି କିଣୁଥିବା ଦିଲ୍ଲୀରେ ୦-୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ମିଳୁଥିବା ବେଳେ ଛତିଶଗଡ଼ରେ ୦-୧୦୦ ୟୁନିଟ୍ ପର୍ଯ୍ୟନ୍ତ ୧ଟଙ୍କା, ତାମିଲ୍‌ନାଡୁରେ ବିଦ୍ୟୁତ୍ ଶୁଳ୍କ ୦ -୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା, ଆନ୍ଧ୍ରପ୍ରଦେଶରେ ୦-୫୦ ୟୁନିଟ୍ ପର୍ଯ୍ୟନ୍ତ ୧ଟଙ୍କା ୪୫ପଇସା ଦେଉଛନ୍ତି। କିନ୍ତୁ ଏସବୁ ବଡ଼ବଡ଼ ରାଜ୍ୟଙ୍କ ତୁଳନାରେ ଓଡ଼ିଶାବାସୀ ବେଶି ଟଙ୍କା ଦେଉଛନ୍ତି। ଏଠାରେ ଟାଟା ପାୱାର୍‌ ୦-୫୦ ୟୁନିଟ୍ ୩ଟଙ୍କା, ୫୧ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ୪ଟଙ୍କା ୮୦ ପଇସା, ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୫ଟଙ୍କା ୮୦ ପଇସା ନେଉଛି। କରୋନା ଭଳି ସଂକଟ ସମୟରେ ଲୋକେ ଜୀବନଜୀବିକା ପାଇଁ ସଂଘର୍ଷ କରୁଥିବା ବେଳେ ବିଜୁଳି ଶୁଳ୍କ ବୃଦ୍ଧି ହେବା ଘୋର୍‌ ନିନ୍ଦନୀୟ ବୋଲି ସମାଜବାଦୀ ପାର୍ଟି କହିଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ବିଦ୍ୟୁତ୍‌ ଶୁଳ୍କ ହ୍ରାସ ଓ ପାୱାର-କଟ୍‌ ବନ୍ଦ ଦିଗରେ ଯଦି ପଦକ୍ଷେପ ନିଆ ନଗଲେ, ଆଗାମୀ ଦିନରେ ପାର୍ଟି ରାସ୍ତାକୁ ଓହ୍ଲାଇବ।

ଶ୍ରୀ ବେହେରା ଆହୁରି କହିଛନ୍ତି ଯେ ସମଗ୍ର ଭାରତବର୍ଷରେ ବିଦ୍ୟୁତ୍ ସଂସ୍କାର ବା ବିଜୁଳିର ଘରୋଇକରଣ କରିବା କ୍ଷେତ୍ରରେ ଓଡ଼ିଶା ପ୍ରଥମ ରାଜ୍ୟ ଥିଲା। ୧୯୯୪-୯୫ ମସିହାରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଏହି ବିଦ୍ୟୁତ୍ ସଂସ୍କାର ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା; ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ, ଗୁଣାତ୍ମକ ବିଜୁଳି ସେବା ଓଡ଼ିଶାବାସୀଙ୍କୁ ଯୋଗାଇଦେବା। କିନ୍ତୁ ସେ ବିଦ୍ୟୁତ୍ ସଂସ୍କାର ଶେଷ ନ ହେଉଣୁ ବିଜୁବାବୁଙ୍କ ସରକାର ନିର୍ବାଚନରେ ହାରି ଯାଇଥିଲେ। ୧୯୯୫ମସିହାରୁ ସରକାର ଗଠନ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିଦ୍ୟୁତ୍ ଘରୋଇକରଣକୁ ଆହୁରି ତ୍ୱରାନ୍ୱିତ କରିଥିଲେ। ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ବିଦ୍ୟୁତ୍ ସଂସ୍କାର ହେଲେ ପରିବହନ ଜନିତ କ୍ଷତି କମିବ, ନିରବଚ୍ଛିନ୍ନ, ଗୁଣାତ୍ମକ ବିଜୁଳି ସେବା ଲୋକମାନେ ପାଇପାରିବେ ଓ ବିଦ୍ୟୁତ କାଟ ହେବ ନାହିଁ ଏବଂ ଶସ୍ତା ଓ ସୁଲଭ ମୂଲ୍ୟରେ ବିଜୁଳି ଉପଲବ୍ଧ ହେବ। କିନ୍ତୁ ବିଦ୍ୟୁତ୍ ସଂସ୍କାରର ୨୬ବର୍ଷ ପରେ ମଧ୍ୟ ଖୋଦ୍‌ ରାଜଧାନୀ ଭୁବନେଶ୍ବରରେ ବିଜୁଳି ସେବା ନିରବଚ୍ଛିନ୍ନ ନୁହେଁ। ଅଧିକାଂଶ ଅଞ୍ଚଳରେ ଦିନକୁ ୫ରୁ ୧୦ଥର ବିଜୁଳି କାଟ ହେଉଛି। ଗ୍ରାମାଞ୍ଚଳରେ ବିଜୁଳି କାଟ ଜନ ଅସନ୍ତୋଷର ରୂପ ନେବାରେ ଲାଗିଛି। ପଡ଼ୋଶୀ ରାଜ୍ୟ ତୁଳନାରେ ଓଡ଼ିଶାରେ ବର୍ଷକୁ ବର୍ଷ ବିଜୁଳି ଶୁଳ୍କ ବୃଦ୍ଧି ପାଇବା ସହିତ ବିଜୁଳି ସେବା ମହଙ୍ଗା ହେଉଛି। ଏପରିକି କରୋନା ସମୟରେ ମଧ୍ୟ ଓଡ଼ିଶାରେ ୟୁନିଟ୍ ପିଛା ବିଦ୍ୟୁତ୍ ଶୁଳ୍କ ଦୁଇଥରରେ ୫୦ ପଇସା ବୃଦ୍ଧି ପାଇଛି। ତେଣୁ ଟାଟାପାୱାର କମ୍ପାନି, ବିଦ୍ୟୁତ୍ ନିୟାମକ ଆୟୋଗ ଓ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର