ଦନ୍ତା ଆତଙ୍କ: ଯାଜପୁର ପରେ ପିପିଲି

ପଲ ହୋଇ ଆସିଥିଲେ, ତିନି ରହିଗଲେ
ପିପିଲିରେ ପ୍ରଥମ ଥର ହାତୀ ପଶିଲା
ନିଆଁହୁଳା, ବାଣ ଫୁଟାଇ ଘଉଡ଼ାଉଛି ବନବିଭାଗ

ପୁରୀ/ପିପିଲି/ବଳଙ୍ଗା : କିଛିଦିନ ତଳେ ଯାଜପୁରରେ ଆତଙ୍କ ଖେଳାଇ ଦେଇଥିଲା ଦନ୍ତାହାତୀ। ଆକ୍ରମଣରେ ୩ ଜଣଙ୍କର ପ୍ରାଣହାନି ଘଟିଥିଲା। ଏବେ ଏହିଭଳି ଏକ କେବଳ ବଳଙ୍ଗା, ପିପିଲି କାହିଁକି, ପୂରା ପୁରୀ ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଛି। ବିଶେଷ କରି ବ୍ରହ୍ମଗିରି, କଣାସ, ଡେଲାଙ୍ଗ ଓ ସଦର ବ୍ଲକ୍‌ର ଲୋକେ ଏହାକୁ ନେଇ ଅଧିକ ଆତଙ୍କିତ ଅଛନ୍ତି। ବନ ବିଭାଗ ସୂଚନା ମୁତାବକ, ଚନ୍ଦକା ଅଞ୍ଚଳରୁ ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳକୁ ୧୦ରୁ ୧୫ ଘରର ଏକ ହାତୀପଲ ଗତ ୪/୫ ବର୍ଷ ‌ତଳେ ଆସିଥିଲେ। ଏହି ହାତୀ ସଂଖ୍ୟା ଏବେ ୪୦ ଟପିଛି। ଏଥିରୁ କେତେକ ବେଗୁନିଆ ବ୍ଲକ୍‌ ଅଞ୍ଚଳରେ ଥିବା ବେଳେ ଅଧିକାଂଶ ଟାଙ୍ଗୀ ବ୍ଲକ୍‌ ନିରାକାରପୁର ଅଞ୍ଚଳକୁ ଚାଲିଯାଇଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ତିନୋଟି ହାତୀ ପୁରୀ ଜିଲ୍ଲାର ଜଙ୍ଗଲିଆ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି। ଦିନକ ତଳେ କଣାସ ଓ ଡେଲାଙ୍ଗ ଅଞ୍ଚଳରେ ଏହି ହାତୀମାନଙ୍କୁ ଦେଖିବାକୁ ମିଳିଥିଲା। ଏଥିରୁ ଗୋଟିଏ ହାତୀ ବଳଙ୍ଗା ଓ ପିପିଲି ଅଞ୍ଚଳକୁ ଚାଲି ଆସି ଆତଙ୍କ ସୃଷ୍ଟି କରିଛି। ଏକୁଟିଆ ହୋଇଯିବା ପରେ ଦନ୍ତାଟି ଅଧିକ ହିଂସ୍ର ହୋଇଯାଇଛି। ଅନ୍ୟପଟେ ବାକି ଦୁଇ ହାତୀ କୁଆଡ଼େ ଗଲେ ସେ ସୂଚନା ବନ ବିଭାଗ ପାଖରେ ନାହିଁ। ଯାହାକୁ ନେଇ ସମଗ୍ର ଜିଲ୍ଲାବାସୀ ଆତଙ୍କିତ ରହିଛନ୍ତି। ସେପଟେ ନରହନ୍ତା ଦନ୍ତାକୁ ଘଉଡ଼ାଇବା ଅଭିଯାନ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଛି। ନିଆଁ ହୁଳା, ବାଣ ଫୁଟାଇ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା ଚାଲିଛି। ୩୧୬ ନଂ ଜାତୀୟ ରାଜପଥ ଅତିକ୍ରମ କରିଗଲେ ବିପଦ ଟଳିଯିବ ଆଶା କରି ବନ ବିଭାଗ ଜାତୀୟ ରାଜପଥର ଅନ୍ୟପାର୍ଶ୍ବକୁ ଦନ୍ତାକୁ ଘଉଡ଼ାଇ ଦେବା ପାଇଁ ଚେଷ୍ଟା କରୁଛି। ଖବର ଲେଖା ହେବା ସୁଦ୍ଧା ଏହି ଦନ୍ତା ହାତୀ ଜାତୀୟ ରାଜପଥଠାରୁ ଅଳ୍ପ କିଛି ଦୂରରେ ଥିଲେ ବି ଜାତୀୟ ରାଜପଥ ଅତିକ୍ରମ କରି ନାହିଁ। ମଝିରେ ମଝିରେ ଏହି ହାତୀ ଲୁଚି ଯାଉଥିବାରୁ ବନ ବିଭାଗ ବି ଅଡ଼ୁଆରେ ପଡ଼ିଛି।

ମନେପଡ଼ିଲା ଶଙ୍କର, ତିନି ଜଣଙ୍କୁ ମାରିଥିଲା, ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ରେ ଅସ୍ତି ଶୋଭାପାଉଛି
ଆଜି ନରହନ୍ତା ଦନ୍ତା ପିପିଲି ଓ ବଳଙ୍ଗା ଅଞ୍ଚଳରେ ଯେଉଁଭଳି ଜଣକ ପରେ ଜଣକୁ ମାରିଲା, ତାହା ଅତୀତର ଦନ୍ତା ହାତୀ ‘ଶଙ୍କର’ କଥାକୁ ମନେ ପକାଇଦେଇଛି। ୨୦୦୬ ମସିହାରେ ଚନ୍ଦକା ଜଙ୍ଗଲରୁ ଖସି ଆସି ଦନ୍ତା ହାତୀ ‘ଶଙ୍କର’ ସତ୍ୟବାଦୀ ବ୍ଲକ୍ ବୀରାମଚନ୍ଦ୍ରପୁର ଗାଁ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ୨୦୦୬ ମେ ୪ ତାରିଖରେ ‘ଶଙ୍କର’ ବୀରାମଚନ୍ଦ୍ରପୁର ଗାଁରେ ପଶି ତିନିଜଣଙ୍କୁ ପାଦରେ ଦଳି ମାରି ଦେଇଥିଲା। ପରେ ବନ ବିଭାଗ ‘ଶଙ୍କର’କୁ ଟ୍ରାଙ୍କୁଲାଇଜ୍ କରିଥିଲା। ଟ୍ରାଙ୍କୁଲାଇଜ୍‌ ପରେ ଲୁହାରେ ବେଡ଼ିରେ ବାନ୍ଧି ରଖାଯାଇଥିଲା। କିନ୍ତୁ ବନ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଶଙ୍କର ଅସୁସ୍ଥ ହୋଇପଡ଼ିଥିଲା। ଲୁହାର ବେଡ଼ି ପାଦକୁ ପଚାଇ ଦେଇଥିଲା। ଅସୁସ୍ଥତା କାରଣରୁ ଶଙ୍କରକୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଇଥିଲା। କିନ୍ତୁ ସେଠାରେ ସେ ଆଖିବୁଜି ଥିଲା। ପରେ ଶଙ୍କରର ପୂର୍ଣ୍ଣ ଅସ୍ତିକୁ ଭୁବନେଶ୍ବରସ୍ଥିତ ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ରେ ‘ସ୍ମୃତି’ ହିସାବରେ ରଖାଯାଇଛି। ଶଙ୍କର ଉପଦ୍ରବର ପୁନରାବୃତ୍ତି ଘଟାଇଛି ଆଜିର ଦନ୍ତା ହାତୀ। ଶଙ୍କର ତିନିଜଣଙ୍କୁ ମାରିଥିଲା, ଇଏ କିନ୍ତୁ ୪ ଜଣଙ୍କୁ ମାରିବା ସହ ୫ଜଣଙ୍କୁ ଗୁରୁତର କରିଛି।

ଚନ୍ଦକାରୁ ଆସି ଆତଙ୍କ
ଚନ୍ଦକା ଜଙ୍ଗଲରୁ ଆସି ପୁରୀରେ ଆତଙ୍କ ସୃଷ୍ଟି କରିବା ସହିତ ରକ୍ତର ହୋଲି ଖେଳିଛି ଗୋଟିଏ ନରହନ୍ତା ଦନ୍ତା। ଭାର୍ଗବୀ ନଦୀର ଉଭୟ ପାର୍ଶ୍ବରେ ଏହି ମୃତ୍ୟୁର ଖେଳ ଖେଳିଛି ଦନ୍ତାଟି। ଜଣକ ପରେ ଜଣେ, ଏଭଳି ୪ଜଣଙ୍କୁ କଚାଡ଼ି ମାରିବା ସହ ପାଦରେ ଦଳି ଦେଇଛି। ଆଜି ଭୋରରୁ ନରହନ୍ତା ଦନ୍ତାର ଏହି ରକ୍ତର ଖେଳ ଆଖପାଖ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଲୋକେ ଘରୁ ପାଦ କାଢ଼ିବାକୁ ବି ଭୟ କରିଛନ୍ତି। ସେପଟେ ଅନେକ ଗାଁ ଛାଡ଼ି ପଳାଇଥିବା ଦେଖିବାକୁ ମିଳିଛି। ଯେଉଁମାନେ ରାତିରେ ଗାଁକୁ ଫେରିବାର ଥିଲା, ସେମାନେ ଆଉ ଗାଁକୁ ଫେରିନାହାଁନ୍ତି। କେତେକ ଗାଁ ଏକପ୍ରକାର ଜନଶୂନ୍ୟ ହୋଇଯାଇଛି। ଏହି ଦନ୍ତା ଚନ୍ଦକାରୁ ଆସି ଖୋର୍ଦ୍ଧା ପରେ କଣାସ, ଡେଲାଙ୍ଗ ଅଞ୍ଚଳରେ ଚଳପ୍ରଚଳ କରୁଥିଲା। ସେଠାରେ ଅନେକ ଘର ଭଙ୍ଗାରୁଜା କରିବା ସହ ଫସଲ ନଷ୍ଟ କରିଥିଲା। କଣାସ ଓ ଡେଲାଙ୍ଗ ଅଞ୍ଚଳରେ ଦିନକ ପାଇଁ ଆତଙ୍କ ଖେଳାଇବା ସହ ନିରାକାରପୁର କୁନିଆଁ ସାମନ୍ତରାପୁର ଗାଁର ବିରଞ୍ଚି ରାଉତଙ୍କୁ ଦୁଇଦିନ ତଳେ ଏହି ଦନ୍ତା ମାରିଥିଲା। ପରେ ଏହି ନରହନ୍ତା ଦନ୍ତା ଅଧିକ ହିଂସ୍ର ପାଲଟି ଯାଇଥିଲା। ୩୨୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଆଜି ଭୋରରୁ ପିପିଲି ଓ ବଳଙ୍ଗା ଅଞ୍ଚଳରେ ଆତଙ୍କ ଖେଳାଇଥିଲା।

ଲୁହରେ ଭିଜିଲା ଗାଁ’
ନରହନ୍ତା ଦନ୍ତା ପିପିଲି ବ୍ଲକ୍ ଅଞ୍ଚଳରେ ଯେଉଁ ରକ୍ତର ହୋଲି ଖେଳିଛି, ତାହା ଏକାଧିକ ଗାଁକୁ ଲୁହରେ ଭିଜାଇଛି। ଏଥିରେ କିଏ ତା’ର ବାପାକୁ ହରାଇଛି ତ କିଏ ପୁଅ ପୁଣି କିଏ ଭାଇକୁ ହରାଇଛି। ଗୋଟିଏ ଦିନରେ ୪ ଜଣଙ୍କୁ ଦନ୍ତା ଦଳି ଚକଟି ମାରି ଦେବା ସହିତ ୫ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି। ଆହତମାନେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ଚନ୍ଦ୍ରାଦେଇପୁର ପଞ୍ଚାୟତ ମାଟିଘର ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଏହି ଗାଁର ମକର ପଲେଇଙ୍କ ମୃତ୍ୟୁ ପରେ ଆଜି ଗାଁ’ରେ କାହାରି ଚୁଲି ଜଳିନି। ପୂରା ଦିନ କାନ୍ଦବୋବାଳିରେ ଫାଟିପଡ଼ିଛି ଏହି ଗାଁ। ସମାନ ପରିସ୍ଥିତି ଦେଖିବାକୁ ମିଳିଛି ସଁପୁର ପଞ୍ଚାୟତ ରାଜତେଇ ଗାଁ, ମଙ୍ଗଳପୁର ଜମାଲପୁର ଓ ଗୋପୀନାଥପୁର ଶଙ୍କରୀସାହିରେ । ମହିଳାଙ୍କଠାରୁ ଆରମ୍ଭ କରି ଆବାଳବୃଦ୍ଧବନିତା ମୁଣ୍ଡବାଡ଼େଇ କାନ୍ଦୁଥିବାର ଦୃଶ୍ୟ ବେଶ୍ ହୃଦୟବିଦାରକ ହୋଇଛି। ଶୋକାକୁଳ ପରିବେଶରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର