ତେଲକୋଇରେ ଥମୁନି ହାତୀ ଉପଦ୍ରବ: ଘର ଭାଙ୍ଗି ଧାନ ଚାଉଳ ଖାଇଲା ଦନ୍ତା

ତେଲକୋଇ : ବିଭିନ୍ନ କାରଣରୁ ହାତୀ ଜନବସତି ମୁହାଁ ହେଉଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ହାତୀ-ମଣିଷ ଲଢ଼େଇରେ ଉଭୟ ହାତୀ-ମଣିଷ ମରୁଛନ୍ତି। ଅନେକ ଆହତ ହେଉଛନ୍ତି। ଏଭଳି ସ୍ଥିତିରେ ହାତୀଙ୍କୁ ଜନବସତି ମୁହାଁରୁ ବିରତ କରିିବାକୁ ବନବିଭାଗ କୌଣସି ଠୋସ୍ ପଦକ୍ଷେପ ନେଇ ପାରି ନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିିରେ ହାତୀ ସହଜରେ ଜନବସତି ମୁହାଁ ହୋଇ ଧନଜୀବନ ନଷ୍ଟ କରୁଛି। ବିଶେଷକରି ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଥମୁନାହିଁ। ଦିନକୁ ଦିନ ହାତୀ ଉପଦ୍ରବ ବଢ଼ି ବଢ଼ି ଚାଲିଥିବା ବେଳେ ବ୍ୟାପକ ଫସଲ ନଷ୍ଟ ହେଉଛି।

ବର୍ଷ ତମାମ ବଣୁଆ ହାତୀଙ୍କ ଆତଙ୍କ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏକ ଦନ୍ତାହାତୀ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗ୍ରାମର ସନାତନ ନାଏକଙ୍କ ୨ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛି। ପ୍ରାୟ ୩ ଘଣ୍ଟା ଧରି ଦନ୍ତାହାତୀଟି ଉପଦ୍ରବ ଜାରି ରଖିବା ସହ ଗାଁ ଲୋକଙ୍କ ନିଆଁ ହୁଳା, ବାଜା ଓ ପାଟିତୁଣ୍ଡକୁ ଡରି ନଥିଲା। ଗାଁ ଲୋକେ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଘରେ ଥିବା ଧାନ ଡୋଲି ଓ ୨ ବସ୍ତା ଚାଉଳକୁ ଖାଇବା ପରେ କୁସୁମନାଳି ଜଙ୍ଗଲକୁ ହାତୀଟି ଚାଲି ଯାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର