ଯୁଯୁମୁରାରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ, ୩ ବୁଲେଟ୍‌ ଓ ୨ ଦାନ୍ତ ଉଦ୍ଧାର

ଯୁଯୁମୁରା : ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବଶିଆପଡ଼ା ସେକ୍‌ସନ ଅନ୍ତର୍ଗତ ଯୁଯୁମୁରା ବ୍ଲକ୍ ଇଚ୍ଛାପାଲ ଗାଁ ନିକଟରେ ବୁଧବାର ସକାଳେ ଏକ ଦନ୍ତା ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଛି। ହାତୀ ଦେହରେ ତିନିଟି ଦେଶୀ ବୁଲେଟ୍‌ ବାଜିଥିବାରୁ ତାର ମୃତ୍ୟୁ ହୋଇଛି। ତେବେ ବେଶ କିଛି ଦିନ ପୂର୍ବରୁ ହାତୀକୁ ବୁଲେଟ୍ ଆକ୍ରମଣ ହୋଇଥିବାବେଳେ ମଂଗଳବାର ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ବନ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ତାର ଶବ ବ୍ୟବଚ୍ଛେଦ କରି ବାମ ଆଖି ତଳ ପାର୍ଶ୍ବରେ ମୁହଁରୁ ଗୋଟିଏ, ବାମ ଗୋଡ଼ରୁ ଗୋଟିଏ ଓ ପିଠିରୁ ଗୋଟିଏ ବୁଲେଟ୍‌ ବାହାର କରିଥିଲେ। ବହୁ ଦିନରୁ ବୁଲେଟ୍ ବାଜିଥିବାରୁ ଉକ୍ତ ସ୍ଥାନ ଗୁଡ଼ିକ ପଚି ଯାଇ ପୁଜ ଜମି ଯାଇଥିଲା। ତେଣୁ ଯନ୍ତ୍ରଣାରେ କଲବଲ ହୋଇ ବୁଲିବୁଲି ଶେଷରେ ହାତୀଟି ଉପରୋକ୍ତ ସ୍ଥାନକୁ ଆସି ପ୍ରାଣ ହରାଇଥିବା କୁହାଯାଉଛି।

ବୁଧବାର ସକାଳେ ଗାଁ ଲୋକେ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟି ମରିଥିବା ପ୍ରଥମେ ଆଶଂକା କରାଯାଉଥିଲା। କିନ୍ତୁ ବନ ବିଭାଗ ଓ ଡାକ୍ତରୀ ଦଳ ଆସି ଯାଞ୍ଚ କରିବା ପରେ ହାତୀ ଦେହର କ୍ଷତ ଓ ବୁଲେଟ୍ ବାଜିବା କଥା ଜଣା ପଡ଼ିଥିଲା। ପ୍ରାୟ ୪ ଘଣ୍ଟା ଧରି ଶବ ବ୍ୟବଚ୍ଛେଦ କରା ଯାଇଥିଲା। ବ୍ୟବଚ୍ଛେଦ ପରେ ଜେସିବିରେ ଗାତ ଖୋଳି ସେହି ନିକଟରେ ହାତୀର ଶରୀରକୁ ପୋତି ଦିଆ ଯାଇଥିଲା। ପୋତିବା ପୂର୍ବରୁ ଦାନ୍ତ ଦୁଇଟି କାଟି ରଖା ଯାଇଥିଲା।

ସମ୍ବନ୍ଧିତ ଖବର