୭ ବର୍ଷ ଭିତରେ ରାଜ୍ୟରେ ହାତୀଙ୍କ ସଂଖ୍ୟା ପହଞ୍ଚିଲା ୧୯୭୬ରେ
ରାଜ୍ୟରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ବନ୍ୟଜନ୍ତୁ ଚିକିତ୍ସାଳୟ
ଜଙ୍ଗଲ ବିଭାଗରେ ଅଧିକ ମଜୁରୀ ଭିତ୍ତିକ ନିଯୁକ୍ତି ସୃଷ୍ଟି ପାଇଁ ନିଷ୍ପତ୍ତି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ରାଜ୍ୟରେ ଗତ ୭ ବର୍ଷ ଭିତରେ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୭୬ରେ ପହଞ୍ଚିଛି। ଏଣିକି ହାତୀ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଶ୍ବସ୍ତରୀୟ ବନ୍ୟପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା କରାଯିବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାତୀ ସଂରକ୍ଷଣ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହାତୀ ବାସ କରୁଥିବା ଅଞ୍ଚଳ ଓ ହାତୀ କରିଡରରେ ଅଧିକରୁ ଅଧିକ ମଜୁରୀ ଭିତ୍ତିକ ନିଯୁକ୍ତି ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି।
ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ହାତୀ ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରି କହିଥିଲେ, ଚନ୍ଦକା ଜଙ୍ଗଲରେ ଏକ ବିଶ୍ବସ୍ତରୀୟ ବନ୍ୟଜନ୍ତୁ ହସ୍ପିଟାଲ୍ ସହ ‘ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ୍’ ପ୍ରତିଷ୍ଠା, ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷଣ ଜଙ୍ଗଲ, ଶିମିଳିପାଳ-ହଦ୍ଦଗଡ଼, ବରୁଣେଇ-ନୂଆଗାଁ ସମେତ ୧୪ଟି ହାତୀ କରିଡରଗୁଡ଼ିକର ବିକାଶ କରାଯିବ। ପିସିସିଏଫ୍ (ବନ୍ୟଜନ୍ତୁ) ହରିଶଙ୍କର ଉପାଧ୍ୟାୟ ଜଣାଇଥିଲେ, ବେଙ୍ଗାଲୁରୁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଅଧ୍ୟୟନ ଅନୁସାରେ ଓଡ଼ିଶାର ବିସ୍ତୃତ ଜଙ୍ଗଲରେ ପ୍ରାୟ ୧୭୦୦ରୁ ୧୮୦୦ ପର୍ଯ୍ୟନ୍ତ ହାତୀଙ୍କୁ ସଠିକ୍ ଭାବେ ପରିଚାଳନା କରିହେବ। ୧୯୯୯ ମସିହାରେ ରାଜ୍ୟରେ ହାତୀ ସଂଖ୍ୟା ୧୮୨୭ ଥିଲା। ୨୦୧୦ ମସିହା ବେଳକୁ ଏହା ବୃଦ୍ଧି ପାଇ ୧୮୮୬ରେ ପହଞ୍ଚିଥିଲା। ୨୦୧୨ ମସିହାରେ ହାତୀ ସଂଖ୍ୟା ୧୯୩୦କୁ ବୃଦ୍ଧି ପାଇଥିବାବେଳେ ୨୦୧୭ ମସିହାରେ ୧୯୭୬କୁ ବୃଦ୍ଧି ପାଇଛି। ହାତୀଙ୍କ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ୮ ହଜାର ୫୦୯ ବର୍ଗ କିଲୋମଟିର ପରିମିତ ମହାନଦୀ, ମୟୂରଭଞ୍ଜ ଓ ସମ୍ବଲପୁର ହାତୀ କରିଡରରେ ହାତୀଙ୍କ ଖାଦ୍ୟ ଉପଯୋଗୀ ୨୩ ପ୍ରକାର ବୃକ୍ଷ ରୋପଣ କରାଯିବ। ଏହିସବୁ କରିଡରରେ ଅଧିକରୁ ଅଧିକ ଜଳାଶୟ ସୃଷ୍ଟି କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବା ଶ୍ରୀ ଉପାଧ୍ୟାୟ ସୂଚନା ଦେଇଥିଲେ।
କରୋନା ମହାମାରୀ ପାଇଁ ଜାରି ରହିଥିବା ତାଲାବନ୍ଦ ଅବଧି ପରେ ଅଧିକରୁ ଅଧିକ ଶ୍ରମଜୀବୀଙ୍କୁ କିପରି କାମ ଯୋଗାଇହେବ ସେଥିପାଇଁ ସରକାର ସବୁ କ୍ଷେତ୍ରରେ ଉଦ୍ୟମ ଆରମ୍ଭ କରିଛନ୍ତି। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଥିଲେ। ଢେଙ୍କାନାଳ, ରେଢାଖୋଲ ଓ ଆଠମଲ୍ଲିକ ଜଙ୍ଗଲ ଡିଭିଜନ୍କୁ ସଂଯୋଗ କରୁଥିବା ଏନ୍ଏଚ୍ ୫୫ ନମ୍ବର ଜାତୀୟ ରାଜପଥରେ ହାତୀ ଦୁର୍ଘଟଣା ରୋକିବାକୁ ଚଳିତ ବର୍ଷ ଭୂତଳ ରାସ୍ତା ନିର୍ମାଣ କରାଯିବ। ଏହାସହିତ ଏସବୁ ଡିଭିଜନ୍ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଯେପରି ନ ହୁଏ, ସେଥିପାଇଁ ଡିଏଫ୍ଓମାନେ ବିଦ୍ୟୁତ୍ ବଣ୍ଟନ କମ୍ପାନିମାନଙ୍କ ସହ ନିୟମିତ ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହାତୀ ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମଧ୍ୟ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ହାତୀ ଶିକାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଦରଜ କରି ସେମାନଙ୍କୁ ତ୍ବରିତ୍ ଦଣ୍ଡ ବିଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଲିଙ୍ଗରାଜ ଓତା, ଅତିରିକ୍ତ ଶାସନ ସଚିବ ଶଶି ପଲ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।