ଚାଷୀଙ୍କୁ ହାତୀ ଚିନ୍ତା: ମଞ୍ଚାରେ ବିତୁଛି ରାତି

ବିଶୋଇ: ମୟୂରଭଞ୍ଜ ରାଇରଂଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଛି। ଏଥିରେ ଚାଷୀ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି। ପାଚିଲା ଧାନର ବାସ୍ନା ପାଇ ହାତୀ କ୍ଷେତ ମୁହାଁ ହେଉଛନ୍ତି। କେତେବେଳେ ଜଙ୍ଗଲୀ ହାତୀ ତ କେତେବେଳେ ଝାଡଖଣ୍ଡୀ ହାତୀ ପଲ ଆସି ଉପଦ୍ରବ କରୁଛନ୍ତି। ରାତିରେ ହାତୀପଲ ଚାଷ କ୍ଷେତରେ ପଶି ବ୍ୟାପକ ଭାବେ ପାଚିଲା ଧାନକୁ ଖାଉଛନ୍ତି। ଏଥିସହିତ ଧାନକୁ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ହାତୀକୁ ଘଉଡ଼ାଇବା ପାଇଁ ଚାଷୀମାନେ ମଞ୍ଚା ବାନ୍ଧି ଧାନକୁ ଜଗି ବସୁଛନ୍ତି। ବିଶୋଇ ବ୍ଲକର ୯ଟି ପଞ୍ଚାୟତରେ ଏହି ଅବସ୍ଥା ଲାଗି ରହିଛି। ସୂଚନା ଅନୁସାରେ, ବିଶୋଇ ରେଞ୍ଜ ଅଞ୍ଚଳରେ ଥିବା ଚାଷ କ୍ଷେତ ଶିମିଳିପାଳ ପାଦଦେଶରେ ରହିଛି। ଖତମବେଡ଼ା, ଯୋଡ଼ିଆ, ନଙ୍ଗଳବେଣ୍ଟା ପୋଖରିଆ, ଲୁହାକାନୀ, ଭାତଛତର, ବନେଇକଳା, ବଡ଼ମଣଦା, ସାନପୁରୁଣାପାଣି ଆଦି ଅଞ୍ଚଳର ପାଖାପାଖି ୧୦ ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଙ୍ଗଲ ନିକଟବର୍ତ୍ତୀ। ତେଣୁ ଏହି ଅଞ୍ଚଳର ପାଚିଲା ଧାନ କ୍ଷେତକୁ ହାତୀପଲ ନଷ୍ଟ କରି ପକାନ୍ତି। ଉକ୍ତ ଅଞ୍ଚଳରେ ରାତି ହେଲେ ଚାଷୀଙ୍କୁ ହାତୀ ଚିନ୍ତା ଲାଗେ। ଧାନ ରୁଇବା ଠାରୁ ଧାନ ଅମଳ ଯାଏ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ମଞ୍ଚା ଉପରେ ଚାଷୀଙ୍କ ରାତି ବିତେ। ଆଉ ଏବେ ପାଚିଲା ଧାନ ଅମଳ ସମୟ। ହାତୀପଲ କ୍ଷେତରେ ପଶୁଛନ୍ତି। ବର୍ଷକର ଦାନାକୁ ରକ୍ଷା କରିବା ପାଇଁ ଏବେ ଚାଷୀ ବେଶୀ ସଜାଗ। ହାତୀ ଆସିବା ଜାଣିବା ମାତ୍ରେ ମଞ୍ଚା ଉପରୁ ଓହ୍ଲାଉଛନ୍ତି ସେମାନେ। ହାତରେ ଟର୍ଚ୍ଚ ଲାଇଟ, ଠେଙ୍ଗା, ଧନୁଶର, ନିଆଁ ଲଗା ଠେଙ୍ଗା ଧରି ହାତୀକୁ ଘଉଡ଼ାଉଛନ୍ତି। ଅଭିଯୋଗ ଅନୁଯାୟୀ, ଏଇ କିଛି ଦିନ ହେଲା ବାଢ଼ୁଣିଆ, କିତାବେଡ଼ା, ପାଣପୋଷି, କାଦପାଣି, ଗୁଣ୍ଡିଦା, ସାରସପଦା ଆଦି ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର