କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ଏହି ହାତୀପଲ ମୟୂରଭଞ୍ଜ ଜିଲ୍ଲାରୁ ଆସିଛନ୍ତି। ପଲରେ ୪ଟି ଦନ୍ତା, ୧୪ଟି ମାଈ ଓ ୭ଟି ଛୁଆହାତୀ ଅଛନ୍ତି। ଏଥିରୁ ଏକ ଦନ୍ତାହାତୀ ଗୋଠଛଡ଼ା ହୋଇ ପାଟଣା ରେଞ୍ଜ ଅନ୍ତର୍ଗତ ବଣମହୁଲଡିହା ଗ୍ରାମକୁ ପଶିଆସି ଆତଙ୍କ ଖେଳାଇଛି। ହାତୀଟି ଗାଁ ଓ ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସେହିପରି ଅନ୍ୟ ୨୫ଟି ହାତୀ ଦିନ‌ରେ ସ୍ଥାନୀୟ ଅଟେଇ ସଂରକ୍ଷିତ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟାରେ ଭୀମକୁଣ୍ଡ ନିକଟସ୍ଥ ଘାଟବାଲିଯୋଡ଼ିକୁ ଆସି ଉପଦ୍ରବ ଚଳାଇଥିବା ସୂଚନା ମିଳିଛି। ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗ କର୍ମଚାରୀମାନେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ହାତୀପଲ ଜମିରେ ପଶି ଅମଳ ଅପେକ୍ଷାରେ ଥିବା ପାଚିଲା ଧାନ ଖାଇବା ସହ ମାଡ଼ିଦଳି ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର