ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀର ମୃତ୍ୟୁ

ଟାଙ୍ଗୀ : ବନ ବିଭାଗର ଡାଳିଯୋଡ଼ା ରେଞ୍ଜ ତଥା ସଫା ସେକ୍ସନ୍‌ ଅନ୍ତର୍ଗତ କହ୍ନେଇପୁରରେ ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବଡ଼ପୋଖରୀ ମୌଜାରେ ଥିବା ଗ୍ରୀନ୍‌ ପଏଣ୍ଟ ନାମକ ଫାର୍ମ ହାଉସ୍‌ ତାରବାଡ଼ ଉପରେ ସ୍ଥାନୀୟ ଲୋକେ ଆଜି ସକାଳେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ତାରବାଡ଼ରେ ବିଦ୍ୟୁତ୍‌ ଚାର୍ଜ ଥିବାରୁ ହାତୀଟି ପ୍ରାଣ ହରାଇଥିବା ଆଲୋଚନା ହେଉଛି। ଖବର ପାଇ ବନପାଳ ରଂଜନ ମିଶ୍ର, ଏସିଏଫ୍‌ ମନୋରଂଜନ ସ୍ୱାଇଁ, ଡିଏଫ୍‌ଓ ସୁଦର୍ଶନ ପାତ୍ର, ବରିଷ୍ଠ ପ୍ରାଣୀ ଚିକିତ୍ସକ ଭକ୍ତହରି ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ପରେ ଫାର୍ମ ପରିସରରେ ଜେସିବି ମେସିନ୍‌ରେ ଗାତ ଖୋଳି ହାତୀର ମୃତଦେହ ପୋତି ଦିଆଯାଇଛି।

ପ୍ରକାଶଥାଉ କି ପୂର୍ବରୁ ଏହି ଅଞ୍ଚଳକୁ ପ୍ରତ୍ୟହ ହାତୀପଲ ଆସୁଥିଲେ। ହେଲେ ଦୁଇମାସ ହେଲା ଏଠାକୁ ହାତୀ ଆସିବା କମି ଯାଇଥିଲା। ସେମାନଙ୍କୁ ଘଉଡ଼ାଇବା ପାଇଁ ଫାର୍ମ ମାଲିକ ତାରବାଡ଼ରେ ବିଦ୍ୟୁତ୍‌ ସଂଯୋଗ କରୁଥିବାରୁ ବିଦ୍ୟୁତ୍‌ ଆଘାତ ପାଇ ହାତୀ ପଳାଇ ଯାଉଥିବା ଆଲୋଚନା ହେଉଛି। ଏଥିଯୋଗୁ ଗତକାଲି ରାତିରେ ହାତୀଟି ବିଦ୍ୟୁତ୍‌ ଆଘାତ ଯୋଗୁ ପ୍ରାଣ ହରାଇଥିବା ଅଭିଯୋଗ ହେଉଛି। ଏ ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ହୋ-ହଲ୍ଲା କରିଥିଲେ। ଖବର ପାଇ ଟାଙ୍ଗୀ ଥାନା ଅଧିକାରୀ ବିମଳ କୁମାର ବାରିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିପିଏମ୍‌, ଟାଙ୍ଗୀ-ସାଲେପୁର ନାଗରିକ ମଞ୍ଚ, ଆହ୍ଵାନ ସଂଗଠକ ସମେତ ପରିବେଶବିତ୍‌ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର