୫୫୦ ଲାବୋରେଟୋରି ଟେକ୍‌ନିସିଆନ୍‌ଙ୍କୁ ମିଳିଲା ନିଯୁକ୍ତିପତ୍ର

ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗରେ ଶୁକ୍ରବାର ଦିନ ୫୫୦ଜଣ ଲାବୋରେଟୋରି ଟେକ୍‌ନିସିଆନ୍‌ (ଏଲ୍‌ଟି) ଯୋଡ଼ି ହୋଇଛନ୍ତି। ଲୋକସେବା ଭବନର କନଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏଲ୍‌ଟିମାନଙ୍କୁ ନିଯୁକ୍ତି ଦିଆଯାଇଛି।

ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଓ ପକେଟ୍‌ ଖର୍ଚକୁ କମାଇବା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ କୁ ହାସଲ କରିବା ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଲାଗି ଅଧିକ ସଂଖ୍ୟା‌ରେ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ପଦବି ସୃଷ୍ଟି କରାଯାଇଛି। ନିକଟରେ ୫୧୦ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏବେ ଏଲ୍‌ଟିଙ୍କ ନିଯୁକ୍ତି ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବ। ଲୋକମାନେ ଠିକ୍ ଓ ଉନ୍ନତ ମାନର ଡାଏଗ୍ନୋଷ୍ଟିକ ସେବା ପାଇପାରିବେ। ଯାହାଫଳରେ ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ, ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏହି ଅବସରରେ ନବନିଯୁକ୍ତ ଏଲ୍‌ଟିମାନେ ଚୟନ ପ୍ରକ୍ରିୟାକୁ ନେଇ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ପ୍ରାରମ୍ଭରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର