ବାରିପଦା : ଭିଜିଲାନ୍‌ସ ଜାଲରେ କୋଟିପତି ଯନ୍ତ୍ରୀ

ବାରିପଦା : ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ପିଏ କାର୍ଯ୍ୟାଳୟର କୋଟିପତି ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ର। ଆଜି ସକାଳୁ ସକାଳୁ ଶ୍ରୀ ମିଶ୍ରଙ୍କ ବାରିପଦାସ୍ଥିତ କାର୍ଯ୍ୟାଳୟ, ସେ ରହୁଥିବା ଭଡ଼ା ଘର, ବାଲେଶ୍ୱରସ୍ଥିତ ସମ୍ପର୍କୀୟଙ୍କ ଘର, ନୟାଗଡ଼ରେ ଥିବା ପୈତୃକ ଓ ଶ୍ବଶୁର ଘର, ଭୁବନେଶ୍ୱରରେ ଥିବା ନିଜସ୍ୱ ବାସଭବନ ସହିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଛି। ତେବେ ବାରିପଦାରେ ଚଢ଼ଉ ସମୟରେ ଶ୍ରୀ ମିଶ୍ର ଅନୁପସ୍ଥିତ ଥିଲେ। ଚଢ଼ଉ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଶ୍ରୀ ମିଶ୍ର ଗତକାଲିଠୁ ବାରିପଦାରେ ନଥିବା ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ଭିଜିଲାନ୍‌ସ ଅଧିକାରୀମାନେ ଶ୍ରୀ ମିଶ୍ରଙ୍କୁ ଭୁବନେଶ୍ବରରୁ ବାରିପଦା ଆଣି ତାଙ୍କ କାର୍ଯ୍ୟାଳୟ ସମେତ ଭଡ଼ା ଘରେ ବିଳମ୍ବିତ ରାତି ଯାଏ ଚଢ଼ଉ ଜାରି ରଖିଛନ୍ତି।

ସୂଚନା ମୁତାବକ, ଶ୍ରୀ ମିଶ୍ରଙ୍କର ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ୪ ବିଏଚ୍‌କେ ଫ୍ଲାଟ୍‌ ସହିତ ରାଜଧାନୀ ଓ ଅନ୍ୟାନ୍ୟ ସ୍ଥାନରେ ୫ଟି ପ୍ଲଟ୍‌ ଠାବ କରାଯାଇଛି। ନୟାଗଡ଼ସ୍ଥିତ ଶ୍ବଶୁର ଘର ଓ ରଣପୁରସ୍ଥିତ ପୈତୃକ ଘରୁ ମଧ୍ୟ ସମ୍ପତ୍ତି ଠାବ କରିଛି ଭିଜିଲାନ୍‌ସ। ବ୍ୟାଙ୍କ୍‌ ଜମା ଆଦି ମିଶାଇ ଏଯାବତ ପ୍ରାୟ ୯୨ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର, ଅସ୍ଥାବର ସମ୍ପତ୍ତି ଆକଳନ କରାଯାଇଥିବା ବାଲେଶ୍ବର ଭିଜିଲାନ୍‌ସ ଏସ୍‌ପି ‌ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର