ଏପ୍ରିଲ ୨୧ ପର୍ଯ୍ୟନ୍ତ ଜେଲରେ ରହିବେ ସହକାରୀ ଯନ୍ତ୍ରୀ, ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଥିଲା ୨.୫ କୋଟି ନଗଦ

ଭଞ୍ଜନଗର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଶୁକ୍ରବାର ଦିନ ତାଙ୍କୁ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ସମ୍ପତ୍ତିର ମୂଲ୍ୟ ୫ କୋଟି ୮୨ ହଜାର ୭୯୪  ଟଙ୍କାରୁ ଅଧିକ ବୋଲି ଜଣାଯାଇଛି । ଏହା ତାଙ୍କର ବୈଧ ଆୟ ତୁଳନାରେ ପ୍ରାୟ ୭୪୧ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ବିଭାଗ କହିଛି । ଏହି ମାମଲାରେ ତଦନ୍ତ ଏବେ ବି ଜାରି ରହିଥିବାରୁ ଏହି ରାଶି ଆହୁରି ବଢିବାର ସମ୍ଭାବନା ରହିଛି ।

ଗତକାଲି ଭଞ୍ଜନଗରର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨ କୋଟି ୫୦ ହଜାର ଟଙ୍କା ନଗଦ ଜବତ ହୋଇଥିଲା।  ଏଥିସହ ସୁନା ବିସ୍କୁଟ, ଏକାଧିକ ପ୍ଲଟ ଓ ରାଜଧାନୀର ବିଲ୍ଡିଂ ସହ ଲକ୍ଷାଧିକ ଟଙ୍କାର ଇନ୍ସୁରାନ୍ସ ଜବତ କରିଛି ଭିଜିଲାନ୍ସ । ଓଡ଼ିଶାର ଇତିହାସରେ ପୂର୍ବରୁ ଏତେ ପରିମାଣରେ ନଗଦ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରି ନ ଥିଲା। ତେଣୁ ବିପୁଳ ଟଙ୍କା ଗଣିବା ପାଇଁ ସମ୍ଭବ ନ ହେବାରୁ ମେସିନ ଲଗା ଯାଇଥିଲା। ଭିଜିଲାନ୍ସ ବିଭାଗ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଟାଟା ଆରିୟାନା ୦୫୦୫ ନମ୍ବର ଘରୁ ଚଢ଼ଉ ସମୟରେ ଏହି ଟଙ୍କା ଜବତ କରିଥିଲା। ଏଥି ସହିତ ଭିଜିଲାନ୍ସର କର୍ମଚାରୀମାନେ ଇଂ ରାଉଳଙ୍କ ଠିକଣାରୁ ୨୦ଟି ସୁନା ବିସ୍କୁଟ ଜବତ କରିଥିଲେ।

ସୂଚନାଯୋଗ୍ୟ, ବୁଧବାର ସକାଳ ସମୟରେ ପାର୍କରୋଡ଼ ବସନ୍ତ ନିଳୟ ସାହି ନିକଟରେ ଥିବା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଏବଂ ସରକାରୀ କ୍ବାର୍ଟରରେ ଭୁବନେଶ୍ବରର ଭିଜିଲାନ୍ସ୍‌ ଡିଏସ୍‌ପି ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ୯ଜଣିଆ ଟିମ୍‌ ପହଞ୍ଚି ଚଢଉ ଆରମ୍ଭ କରିଥିଲେ। ଏହି ଚଢଉ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଅଧିକାରୀମାନେ କାର୍ଯ୍ୟାଳୟ ଭିତରେ ଥିବା ଶ୍ରୀ ରାଉଳଙ୍କ ଚାମ୍ବରରେ କାଗଜପତ୍ର ଯାଞ୍ଚ୍‌ କରିଥିଲେ। ଏହାପରେ ତାଙ୍କର କ୍ବାର୍ଟର୍ସକୁ ଯାଇ ଛାନଭିନ୍‌ ଆରମ୍ଭ କରିଥିଲେ। ସେଠାରୁ ସେମାନେ ନଗଦ ୨ ଲକ୍ଷ ୫୦ ହଜାର ୮ ଶହ ଟଙ୍କା ପାଇଥିଲେ ଏବଂ ତାଙ୍କର ଏକ ଦାମୀ କାର୍ ଜବତ କରାଯାଇଥିଲା। ଏହାପରେ ଗୁରୁବାର ଭୁବନେଶ୍ବରରେ ତାଙ୍କ ଦ୍ବିତୀୟ ପତ୍ନୀ ରହୁଥିବା ଫ୍ଲାଟରେ ଚଢ଼ାଉ ସମୟରେ କୋଟି ଟଙ୍କା ଓ ସୁନା ବିସ୍କୁଟ୍ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର