ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧ ଲକ୍ଷ ସଂସ୍ଥା ଉପକୃତ

ଇପିଏଫ୍‌ଓ ଦେଲା ୨୦୭ କୋଟି ଟଙ୍କାର ଅନୁଦାନ

ଭୁବନେଶ୍ବର : କୋଭିଡ୍-୧୯ ଭଳି ସର୍ବବ୍ୟାପୀ ମହାମାରୀକୁ ମୁକାବିଲା କରିବା ପାଇଁ ଭାରତ ସରକାରଙ୍କର ଶ୍ରମ ମନ୍ତ୍ରାଳୟ ଅନ୍ତର୍ଗତ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ତରଫରୁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋନଜା’ରେ ମାର୍ଚ ମାସର ଭବିଷ୍ୟନିଧି ଦେୟ ବାବଦକୁ ପ୍ରାୟ ୧ ଲକ୍ଷ ସଂସ୍ଥା ଉପକୃତ ସହବା ସହ ପ୍ରାୟ ୧୪ ଲକ୍ଷ କର୍ମଚାରୀଙ୍କ ପାଇଁ ୨୦୭ କୋଟିର ଅନୁଦାନ ପ୍ରଦାନ କରାଯାଇଛି।

ଏହି ଯୋଜନା ଅନୁଯାୟୀ, ଯେଉଁ ସଂସ୍ଥାରେ ୧୦୦ରୁ କମ୍ କର୍ମଚାରୀ କାର୍ଯ୍ୟ କରୁଥିବେ ଓ ତାହାର ୯୦ ପ୍ରତିଶତରୁ ଅଧିକ କର୍ମଚାରୀ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବେ, ସେହି ସଂସ୍ଥାମାନଙ୍କର ମାର୍ଚ, ଏପ୍ରିଲ ଓ ମେ’ ମାସର ଭବିଷ୍ୟନିଧି ବାବଦ ସମୁଦାୟ ଦେୟ (ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଭାଗ ପାଇଁ ୨୪ ପ୍ରତିଶତ ଅର୍ଥ) ଭାରତ ସରକାର ବହନ କରିବେ। ପ୍ରାୟ ୪ ଲକ୍ଷରୁ ଊର୍ଧ୍ବ ସଂସ୍ଥାର ୮୦ ଲକ୍ଷ କର୍ମଚାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓ ଏଥିପାଇଁ ଭାରତ ସରକାର ପ୍ରାୟ ୫ ହଜାର କୋଟି ଟଙ୍କାର ଅନୁଦାନ ଲକ୍ଷ୍ୟ ରଖିଛନ୍ତି।

ଓଡ଼ିଶାରେ ଏହି ଯେଜାନାର ସଫଳ ରୂପାୟନ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂଗଠନ, ଓଡ଼ିଶା ମୁଖ୍ୟ ପି. ବୀରଭଦ୍ର ସ୍ବାମୀଙ୍କ ନେତୃତ୍ବରେ ଇପିଏଫ୍‌ଓର ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ଉଦ୍ୟମ ଜାରି ରଖିଛନ୍ତି। କୋଭିଡ୍-୧୯ ଲକ୍‌ଡାଉନ୍ ସତ୍ତ୍ବେ ସମସ୍ତ ପ୍ରବର୍ତ୍ତନ ଅଧିକାରୀ ଓ କିଛି ଉତ୍ସର୍ଗୀକୃତ କର୍ମଚାରୀ ଯୋଗ୍ୟ ବିବେଚିତ ଅନୁଷ୍ଠାନମାନଙ୍କ ସହ ନିରନ୍ତର ଯୋଗାଯୋଗ ଜାରି ରଖିଛନ୍ତି। ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ କେନ୍ଦୁଝରର ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟାଳୟ ମାଧ୍ୟମରେ ଆଜି ସୁଦ୍ଧା ଓଡ଼ିଶାର ପ୍ରାୟ ୩୫ ଶହ ସଂସ୍ଥାର ୫୦ ହଜାରରୁ ଊର୍ଧ୍ବ କର୍ମଚାରୀମାନେ ଏହି ଯୋଜନାର ଲାଭ ପାଇ ପ୍ରାୟ ୮ କୋଟି ଟଙ୍କାର ଅନୁଦାନ ହାସଲ କରିଛନ୍ତି। ଓଡ଼ିଶାରେ ଆହୁରି ୫ ହଜାରରୁ ଊର୍ଧ୍ବ ସଂସ୍ଥା ଏ ଯୋଜନା ପାଇଁ ଯୋଗ୍ୟ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମାର୍ଚ ମାସର ଭବିଷ୍ୟନିଧି ଜମା ପାଇଁ ଇସିଆର୍ ଦାଖଲ କରିନାହାନ୍ତି। କେନ୍ଦ୍ର ସରକାର କୋଭିଡ୍-୧୯ ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ମାର୍ଚ ମାସର ଭବିଷ୍ୟନିଧି ଦେୟ ବାବଦ ତାରିଖ ମେ’ ୧୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେଣୁ ବିଳମ୍ବ ନ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଯୋଗ୍ୟ ବିବେଚିତ ହେଉଥିବା ସମସ୍ତ ଅନୁଷ୍ଠାନ/ସଂସ୍ଥା ଯଥାଶୀଘ୍ର ଇସିଆର୍ ଦାଖଲ କରି ଏହି ଯୋଜନାର ସୁଫଳ ଲାଭ କରିବାକୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ, ଭୁବନେଶ୍ୱରର ସହକାରୀ ଭବିଷ୍ୟନିଧି ଆୟୁକ୍ତ ତଥା ଭାରପ୍ରାପ୍ତ ଅଧିକାରୀ ସଂଜୟ କୁମାର ରଥ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତୀୟ କୌଣସି ସମସ୍ୟାର ସମାଧାନ ପାଇଁ ନିଜ ଅଞ୍ଚଳରେ ଇପିଏଫ୍‌ଓର ପ୍ରବର୍ତ୍ତନ ଅଧିକାରୀଙ୍କ ସହ ଯୋଗଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର