ପାଠପଢ଼ାର ହେବ ମୂଲ୍ୟାୟନ : ମତାମତ ଦେବେ ଛାତ୍ରଛାତ୍ରୀ, ଅଭିଭାବକ

୪ ଅଙ୍କ ବିଶିଷ୍ଟ ହେବ ସ୍କୁଲ ହେଲପ୍‌ଲାଇନ୍‌ ନମ୍ବର, ଆରମ୍ଭ ହେବ ‘ପ୍ୟାରେଣ୍ଟ ଫିଡ୍‌ବ୍ୟାକ୍‌ ଆପ୍‌’

ଭୁବନେଶ୍ବର : ଶିକ୍ଷକଙ୍କ ଶିକ୍ଷାଦାନ ଉପରେ ମତାମତ ଦେବେ ଛାତ୍ରଛତ୍ରୀ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏକ ନିର୍ଦ୍ଦିଷ୍ଟ ଡାଏରି ଫର୍ମାଟ୍‌ରେ ପ୍ରତିଦିନ ପ୍ରତି ଶ୍ରେଣୀର ଜଣେ ଛାତ୍ର କିମ୍ବା ଛାତ୍ରୀ ସେମାନଙ୍କ ମତ ଦେବେ। ଶିକ୍ଷକଙ୍କ ପାଠପଢ଼ା କିଭଳି ଥିଲା? କିଛି ଅବୁଝା ରହିଗଲା କି? ଛାତ୍ର/ଛାତ୍ରୀଜଣକ ଆଉ କ’ଣ ଜାଣିବାକୁ ଚାହୁଁଛନ୍ତି? ଏଭଳି ବିଭିନ୍ନ ବିଷୟରେ ସେ ପ୍ରଧାନ ଶିକ୍ଷକଙ୍କୁ ଲେଖି ଜଣାଇବେ। ଏହାଦ୍ବାରା ଶିକ୍ଷାଦାନରେ ଅବହେଳା ପ୍ରଦର୍ଶନ କରୁଥିବା ଶିକ୍ଷକଙ୍କ ଉପରେ ଲଗାମ ଲାଗିପାରିବ। ପାଠପଢ଼ାରେ ସ୍ବଚ୍ଛତା ଆସିବା ସହ ଶ୍ରେଣୀରେ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ।

ସ୍କୁଲ ମ୍ୟାନେଜ୍‌ମେଣ୍ଟ କମିଟି(ଏସ୍‌ଏମ୍‌ସି)/ଅଧ୍ୟାପକ-ଶିକ୍ଷକ ସଂଘ(ପିଟିଏ) ମଧ୍ୟ ଏକ ଡାଏରି ପରିଚାଳନା କରିବେ। ସେଥିରେ ସେମାନେ ସ୍କୁଲ ବିଷୟରେ ବିଭିନ୍ନ ମତ ଦେଇପାରି‌ବେ। ସ୍କୁଲ ହେଲ୍‌ପ ଲାଇନ୍‌ ନମ୍ବରକୁ ସଂକ୍ଷିପ୍ତ କରାଯିବ। ୪ ଡିଜିଟ୍‌’ ବିଶିଷ୍ଟ ନମ୍ବର ହେବ। ଏଣିକି ଅଭିଭାବକଙ୍କୁ ବି ସିଧାସଳଖ ସ୍କୁଲ ସହ ଯୋଡ଼ାଯିବ। ଅଭିଭାବକମାନେ ଆଇଭିଆରଏସ୍‌(ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେସପନ୍ସ ସର୍ଭିସ୍‌) ମାଧ୍ୟମରେ ସେମାନଙ୍କ ସ୍କୁଲ ଓ ଶିକ୍ଷକମାନଙ୍କ ସମ୍ପର୍କରେ ମତ ରଖିପାରିବେ। ବିଭାଗ ପକ୍ଷରୁ ତଥ୍ୟଭିତ୍ତିକ ସର୍ଭେ ଲାଗି ସିଧାସଳଖ ଅଭିଭାବକମାନଙ୍କଠାରୁ ମତାମତ ନିଆଯିବ। ଏଥିସହ ଅଭିଭାବକଙ୍କ ମତାମତ ନେବା ପାଇଁ ଏକ ଆପ୍ଲିକେସନ୍‌ ଆରମ୍ଭ ହେବ। ଯାହାର ନାମକରଣ ହେବ ‘ପେରେଣ୍ଟ ଫିଡ୍‌ବ୍ୟାକ୍‌ ଆପ୍‌’। ଏହି ଆପ୍ଲିକେସନ୍‌ ମାଧ୍ୟମରେ ଅଭିଭାବକମାନେ ସେମାନଙ୍କ ପିଲା ଓ ସ୍କୁଲରେ ପାଠପଢ଼ା ସମ୍ପର୍କରେ ଜାଣିପାରିବେ। ରାଜ୍ୟ ସରକାରଙ୍କ ୫‘ଟି’ ଆଧା‌ରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ଏକ ପଦକ୍ଷେପ ହାତକୁ ନେବାକୁ ଯାଉଛି। ଏନେଇ ବ୍ୟାପକ ଆଲୋଚନା ସରିଛି। ବିଭାଗ ଅଧୀନରେ ଥିବା କେଉଁ ସଂସ୍ଥା‌ ଏହାର ପରିଚାଳନା କରିବ, ସେନେଇ ନିଷ୍ପତ୍ତି ହୋଇ ନଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେସ୍ପଷ୍ଟ କରିଛନ୍ତି ଯେ ଛାତ୍ରଛାତ୍ରୀ କେବଳ ଶ୍ରେଣୀର ପାଠପଢ଼ା ଉପରେ ହିଁ ମତାମତ ଦେଇପାରିବେ। ଶିକ୍ଷକଙ୍କ ଶିକ୍ଷାଦାନ କେଉଁଠି ବୁଝି ହେଲାନି, ସେବିଷୟରେ କହିପାରିବେ। ଫଳରେ ଆଗାମୀ କ୍ଲାସ୍‌ ବେଳକୁ ପିଲାଟିର ଦ୍ବନ୍ଦ୍ବ କିଭଳି ଦୂର ହୋଇପାରିବ, ସେ ଦିଗରେ ସମ୍ପୃକ୍ତ ଶିକ୍ଷକଜଣକ ଅଧିକ ଗୁରୁତ୍ବ ଦେବେ। ଭୁବନେଶ୍ବରସ୍ଥିତ ୟୁନିଟ୍‌-୮ ବାଳକ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗକୁ ତାହାକୁ ସାରା ରାଜ୍ୟରେ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର