୫ବର୍ଷରେ ହୋଇଛି ୧୪୪୧ କର୍ଣ୍ଣିଆ ପ୍ରତିରୋପଣ

ଅନ୍ଧତ୍ବର ଶିକାର ହେଉଥିବା ବ୍ୟକ୍ତିଙ୍କ ତଥ୍ୟ ନାହିଁ, ଆରମ୍ଭ ହେଲା ଜାତୀୟ ଚକ୍ଷୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜ୍ୟରେ ଗତ ୫ବର୍ଷରେ ୧୪୪୧ କର୍ଣ୍ଣିଆ ପ୍ରତିରୋପଣ ହୋଇଛି। ରାଜ୍ୟରେ ଥିବା ସରକାରୀ ଓ ସହବନ୍ଧିତ ଡାକ୍ତରଖାନାରେ ଏହି ଅସ୍ତ୍ରୋପଚାର କରାଯାଇଛି। ଯଦିଓ କିଛି ବର୍ଷ କର୍ଣ୍ଣିଆ ସଂଗ୍ରହରେ ବୃଦ୍ଧି ହୋଇଛି, ପ୍ରତିବର୍ଷର ଆବଶ୍ୟକତା ତୁଳନା‌‌ରେ ତାହା ଯଥେଷ୍ଟ ନୁହେଁ। ଏବେ ବି ଅନେକ ଲୋକ ଅନ୍ଧତ୍ବର ଶିକାର ହୋଇ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଉଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ସଚେତନ କରାଇବା ପାଇଁ ଚଳିତ ମାସ ୨୫ ତାରିଖରୁ ଆସନ୍ତା ମାସ ୮ତାରିଖ ପର୍ଯ୍ୟନ୍ତ ଜାତୀୟ ଚକ୍ଷୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୪/୧୫ ମସିହାରେ ରାଜ୍ୟରେ ୮୩୨, ୨୦୧୫/୧୬ରେ ୯୮୩, ୨୦୧୬/୧୭ରେ ୧୩୪୬, ୨୦୧୭/୧୮ରେ ୧୩୪୯ ଓ ୨୦୧୮/୧୯ରେ ୧୫୫୨ କର୍ଣ୍ଣିଆ ରାଜ୍ୟରେ ସଂଗ୍ରହ ହୋଇଛି। ଚଳିତବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୩୪୮ କର୍ଣ୍ଣିଆ ସଂଗ୍ରହ କରାଯାଇଛି। ଏସ୍‌ସିବି, ଏମ୍‌କେସିଜି ଓ ବୁର୍ଲା ମେଡିକାଲ କଲେଜରେ ଚକ୍ଷୁ ବ୍ୟାଙ୍କ ରହିଥିବା ବେଳେ ସରକାରଙ୍କ ସହଭାଗିତାରେ ‘ଦୃଷ୍ଟିଦାନ’ ପକ୍ଷରୁ କର୍ଣ୍ଣିଆ ସଂଗ୍ରହ କରାଯାଉଛି। ଦୃଷ୍ଟିଦାନ ପକ୍ଷରୁ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ, ଆଇଜିଏଚ୍‌ ରାଉରାକେଲାରେ ଚକ୍ଷୁ ବ୍ୟାଙ୍କ ରହିଛି। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କର୍ଣ୍ଣିଆ ସଂଗ୍ରହ କରାଯାଉଛି। ତେବେ ୨୦୧୪/୧୫ରୁ ୨୦୧୯ ମସିହା ଭିତରେ ରାଜ୍ୟରେ ୧୪୪୧ କର୍ଣ୍ଣିଆ ପ୍ରତିରୋପଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତ୍ୟୁର ୬ଘଣ୍ଟା ଭିତରେ ଜଣେ ବ୍ୟକ୍ତିର କର୍ଣ୍ଣିଆ ସଂଗ୍ରହ କରାଯାଇ ପାରିବ। ଯେଉଁ ବ୍ୟକ୍ତି ସେମାନଙ୍କ ସଂପର୍କୀୟଙ୍କ କର୍ଣ୍ଣିଆ ଦାନ କରିବାକୁ ଚାହୁଁଛନ୍ତି, ସେମାନଙ୍କଠାରୁ ସଂଗ୍ରହ କରାଯାଉଛି। ଅପରପକ୍ଷରେ ଯେଉଁମାନେ ମୃତ୍ୟୁ ପୂର୍ବରୁ ଏ ସଂପର୍କରେ କିଛି ଘୋଷଣା କରିନାହାନ୍ତି, ସେମାନଙ୍କ ପରିବାର ଚାହିଁଲେ ନିକଟସ୍ଥ କେନ୍ଦ୍ରକୁ ଯୋଗାଯୋଗ କରିପାରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ୭ଟି ହସ୍ପିଟାଲରେ ୯ଜଣ କାଉନସିଲର ରହିଛନ୍ତି। ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଜଣ, କଟକସ୍ଥିତ ଏସ୍‌ସିବି ଓ ସିଟି ହସ୍ପିଟାଲରେ ଜଣେ ଲେଖାଏଁ, ଏମ୍‌କେସିଜିରେ ୨ ଓ ବ୍ରହ୍ମପୁର ସିଟି ହସ୍ପିଟାଲ‌ରେ ଜଣେ, ବୁର୍ଲା ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଜଣ କାଉନସିଲର୍‌ ରହିଛନ୍ତି। ସେମାନେ ମୃତ ବ୍ୟକ୍ତିଙ୍କ ପରିବାର‌ ଲୋକଙ୍କୁ ଚକ୍ଷୁଦାନ ପାଇଁ ବୁଝାଇବେ। ଏଥିରେ ରାଜି ହେଲେ, ଏକ ଟିମ୍‌ ସଂପୃକ୍ତ ମୃତ ବ୍ୟକ୍ତିଙ୍କ କର୍ଣ୍ଣିଆ ସଂଗ୍ରହ କରିବ। ତେବେ ସଂଗୃହୀତ କର୍ଣ୍ଣିଆର ଆୟୁ ସାଧାରଣ ସଂରକ୍ଷଣ ବ୍ୟବସ୍ଥାରେ ୫/୭ଦିନ ହୋଇଥିବା ବେଳେ ପ୍ରତିବର୍ଷ ଯେତିକି ସଂଖ୍ୟକ କର୍ଣ୍ଣିଆ ସଂଗ୍ରହ ହେଉଛି, ତହିଁରୁ ସମସ୍ତ କର୍ଣ୍ଣିଆ ପ୍ରତିରୋପଣ ସମ୍ଭବ ହୋଇପାରୁନାହିଁ। ଅନେକ କ୍ଷେତ୍ରରେ କର୍ଣ୍ଣିଆ ମେଳ ଖାଇ ନଥାଏ କିମ୍ବା କୌଣସି କାରଣରୁ କ୍ଷତି ହୋଇଯିବା ଭଳି ଘଟଣା ଘଟିଥାଏ ବୋଲି ଅଧିକାରୀଜଣଙ୍କ କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ ପ୍ରତିବର୍ଷ କେତେ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଉଛନ୍ତି, ତାହାର ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ଏ ପର୍ଯ୍ୟନ୍ତ କୌଣସି ସର୍ବେକ୍ଷଣ ମଧ୍ୟ ହୋଇନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଚକ୍ଷୁ ରୋଗ ପାଇଁ ‘ସୁନେତ୍ର’ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ରାଜ୍ୟରେ କେତେ ବ୍ୟକ୍ତି ବର୍ଷକୁ ଅନ୍ଧତ୍ବର ଶିକାର ହେଉଛନ୍ତି, ଏଥିପାଇଁ ରାଜ୍ୟବ୍ୟାପୀ ଏକ ସର୍ବେକ୍ଷଣ କରାଯିବ। ପାଇଲଟ୍‌ ପ୍ରକଳ୍ପରେ ଖୋର୍ଧା ଜିଲ୍ଲାର ବାଲିପାଟଣାରେ ଏହି ସର୍ବେକ୍ଷଣ ଆରମ୍ଭ ହୋଇଛି। ଆସନ୍ତା ବର୍ଷକ ଭିତରେ ରାଜ୍ୟବ୍ୟାପୀ ଏହି ସର୍ବେକ୍ଷଣ କରାଯିବ। ଏହାସହ ଚକ୍ଷୁ ସେବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ମୋବାଇଲ ଭ୍ୟାନ୍ ଜରିଆରେ ଚକ୍ଷୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୨୦୧୮/୧୯ରେ ଆହୁରି ୧୦ଟି ଜିଲ୍ଲା‌ରେ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର