ବାରବାଟୀ-କଟକ ନିର୍ବାଚନୀ ମାମଲା: ମୋକିମଙ୍କୁ ନୋଟିସ୍

କଟକ : ବାରବାଟୀ-କଟକ ଆସନରୁ ବିଧାୟକ ଭାବେ ଇଂଜିନିୟର ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦାୟର କରିଥିବା ନିର୍ବାଚନୀ ମୋକଦ୍ଦମାକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ପ୍ରତିପକ୍ଷ ମହମ୍ମଦ‌ ମୋକିଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିପକ୍ଷଙ୍କୁ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ନୋଟିସ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ସେପ୍ଟେମ୍ବର ୧୩ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିବାବେଳେ ନାମାଙ୍କନ ପତ୍ର ଦାଖଲ ସମୟରେ ସେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଅସଂପୂର୍ଣ୍ଣ ବୋଲି ଅଭିଯୋଗ ହୋଇଛି। ଦାଖଲ ନିର୍ବାଚନୀ ମୋକଦ୍ଦମାରେ ଦର୍ଶାଯାଇଛି ଯେ ପ୍ରତିପକ୍ଷ ନିଜ ସତ୍ୟପାଠରେ ବହୁ ତଥ୍ୟ ଲୁଚାଇ ଥିଲେ। ସତ୍ୟପାଠରେ ତାଙ୍କ ନାଁରେ ଥିବା ବିଭିନ୍ନ ମାମଲା ସଂକ୍ରାନ୍ତରେ ଠିକ ତଥ୍ୟ ଦିଆଯାଇ ନାହିଁ। ସଂପତ୍ତି ସଂପର୍କରେ ମଧ୍ୟ ସତ୍ୟପାଠରେ ଠିକ୍ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ନାମାଙ୍କନ ଦାଖଲ ସମୟ‌ରେ ମହମ୍ମଦ ମୋକିମ ଦାଖଲ କରିଥିବା ସତ୍ୟପାଠରେ ଅସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ଏଥି ସହିତ ବାରବାଟୀ-କଟକ ଆସନ ପାଇଁ ସାନି ନିର୍ବାଚନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା‌ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର