ସବୁ କିଛି ହଠାତ୍‌ ବଦଳିଗଲା: ବସ୍ତିର ଝୁମ୍ପୁଡ଼ି ଘରୁ ବିଜୁ ଭବନର ଏସି ରୁମ୍‌

କିରାଣି, ପିଅନ, କାର୍‌, ଡ୍ରାଇଭର୍‌ ତଥାପି ପାଠ ପଢ଼ିବେ, ସୋମବାରଠାରୁ ରେଭେନ୍ସାରେ କ୍ଲାସ୍ କରିବେ ଡେପୁଟି ମେୟର ଦମୟନ୍ତୀ

କଟକ-ଜଗତପୁର: ହଠାତ ସବୁକିଛି ବଦଳି ଯାଇଛି। ସ୍ବପ୍ନ ଭଳି ମନେ ହେଉଛି। ଶୋଇଥିଲେ, ଆଉ ନିଦ ଭାଙ୍ଗିଲା ବେଳକୁ ଦେଖୁଥିବା ସ୍ବପ୍ନ ଯେମିତି ସତ ହୋଇଯାଇଛି। ଏମିତି ଏକ ଅନୁଭବ ଏବେ ପୁଲକିତ ହେଉଛନ୍ତି କଟକର ଡେପୁଟି ମେୟର ଦମୟନ୍ତୀ ମାଝୀ। ବସ୍ତିର ଝୁମ୍ପୁଡ଼ି ଘରୁ ବିଜୁ ଭବନର ଶୀତତାପ ନିୟନ୍ତ୍ରିତ ଅଫିସକୁ ତାଙ୍କର ଯାତ୍ରା ଯେମିତି ଏକ ଚଳଚ୍ଚିତ୍ରର କାହାଣୀ ଭଳି ମନେ ହେଉଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଦମୟନ୍ତୀଙ୍କୁ ଏବେ କଟକ ପୌର ନିଗମରୁ ମିଳିଛି ଯିବା ଆସିବା କରିବାକୁ କାର୍ ଆଉ ଡ୍ରାଇଭର। ବସ୍ତିରେ ଥିବା ତାଙ୍କ ଝୁମ୍ପୁଡ଼ି ଆଗରେ ସକାଳେ ଡ୍ରାଇଭର କାର୍ ଧରି ପହଞ୍ଚି ଯାଉଛନ୍ତି। ଅଫିସରେ ତାଙ୍କ ପାଇଁ ରହିଛନ୍ତି ସ୍ବତନ୍ତ୍ର କିରାଣୀ ଆଉ ପିଅନ। ଡେପୁଟି ମେୟର ଦାୟିତ୍ବ ସହିତ ସେ ହେଉଛନ୍ତି ୪୯ ନମ୍ବର ୱାର୍ଡର କର୍ପୋରେଟର। ତେଣୁ ନିଜ ୱାର୍ଡର ମୌଳିକ ସମସ୍ୟାର ସମାଧାନ କରିବା ଦାୟିତ୍ବ ବି ତାଙ୍କର। ବ୍ୟକ୍ତିଗତ ଜୀବନରୁ ସିଧା ସାଧାରଣ ଜୀବନକୁ ଲମ୍ପ ଦେଇଥିବା ଦମୟନ୍ତୀଙ୍କ ଜୀବନଚର୍ଯ୍ୟା ବି ଏବେ ଏ ସବୁ ଭିତରେ ବଦଳି ଯାଇଛି। କିନ୍ତୁ ଦମୟନ୍ତୀ ନିଜ ପାଠପଢାକୁ ନେଇ ସଂକଳ୍ପବଦ୍ଧ। ପାଠପଢା ଏସବୁ ବ୍ୟସ୍ତତା ଭିତରେ ଶେଷ କରିବେ। ଏବଂ ସେଥିପାଇଁ ଆସନ୍ତା ସୋମବାରଠାରୁ ସମୟ ବାହାର କରି ବିଶ୍ବବିଦ୍ୟାଳୟ ଯାଇ କ୍ଲାସ୍ କରିବେ ବୋଲି କହିଛନ୍ତି ଦମୟନ୍ତୀ।

ଜଗତପୁର ବାଲିସାହି ବସ୍ତିରେ ରହୁଥିବା ଦମୟନ୍ତୀଙ୍କ ବାପା ପରଲୋକରେ। ମା ଥିଲେ ଜଣେ ଦିନମଜୁରିଆ। ସେ ହିଁ ତିନି ପିଲାଙ୍କୁ ମଣିଷ କରିଛନ୍ତି। ଦମୟନ୍ତୀଙ୍କ ପାଇଁ ସେ ଅବଶ୍ୟ ଏବେ ଆଉ ମଜୁରୀ ଖଟିବାକୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଦମୟନ୍ତୀଙ୍କର ୨ ସାନ ଭାଇ ଭଉଣୀ ଅଛନ୍ତି। ଦମୟନ୍ତୀ ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମ୍‌. କମ୍‌ ଶେଷ ବର୍ଷର ଛାତ୍ରୀ। ମେ ମାସରେ ତାଙ୍କର ଶେଷ ସେମିଷ୍ଟର ପରୀକ୍ଷା ହେବ। ତେଣୁ ସୋମବାର ଠାରୁ ସେ ବିଶ୍ବବିଦ୍ୟାଳୟ ଯାଇ କ୍ଲାସ୍ କରିବେ। ଡେପୁଟି ମେୟର ହେବା ପରେ ତାଙ୍କର ସହପାଠୀ, ଅଧ୍ୟାପିକା, ଅଧ୍ୟାପକଙ୍କ ପକ୍ଷରୁ ବହୁ ଶୁଭେଚ୍ଛା ମିଳିଛି। ସେମାନେ ଉତ୍ସାହିତ କରୁଛନ୍ତି। ଡେପୁଟି ମେୟର ଦାୟିତ୍ୱ ପାଳନରେ ତାଙ୍କ ପାଠପଢା ଅଥବା ପାଠପଢାରେ ତାଙ୍କର ନୂଆ ଦାୟିତ୍ବ ପ୍ରତିବନ୍ଧକ ହେବ ନାହିଁ ବୋଲି ଦମୟନ୍ତୀ କହିଛନ୍ତି।

ସମ୍ବନ୍ଧିତ ଖବର