ବଞ୍ଚିଛି ମଣିଷପଣିଆ : ‘ଅଛୁଆଁ ଶବ’କୁ କାନ୍ଧ ଦେଇ ସାଜିଲେ ଦୃଷ୍ଟାନ୍ତ

ତଥାପି ମରି ନାହିଁ ମଣିଷପଣିଆ। ଜୀବନ ପ୍ରତି ବିପଦ ଥିଲେ ବି ଏହାକୁ ଖାତିର ନ କରି ବର୍ତ୍ତମାନ ଘଡ଼ିସନ୍ଧି ସମୟରେ ସନ୍ଦିଗ୍ଧ ରୋଗୀ ଓ ମୃତକଙ୍କ ପରିବାରକୁ ସାହାଯ୍ୟ କରିବାକୁ ବହୁ ବ୍ୟକ୍ତି ଆଗେଇ ଆସୁଛନ୍ତି। ଓଡ଼ିଶାର ହଟ୍‌ସ୍ପଟ୍ ଗଞ୍ଜାମ ଜିଲ୍ଲାରେ ଗୋଟିଏ ପଟେ କରୋନା ସନ୍ଦେହରେ ରୋଗୀଙ୍କୁ ସେବା ଓ ଶବକୁ ଚାରି କାନ୍ଧ ମିଳୁ ନଥିବା ଏବଂ ମାନବିକତାର ନିଦର୍ଶନ ଦେଖାଇବାକୁ ଲୋକେ ପଛଘୁଞ୍ଚା ଦେଉଥିବା ଭଳି ବିଭିନ୍ନ ପ୍ରେରଣାଦାୟୀ ଘଟଣା ସାମ୍ନାକୁ ଆସିଛି। ଅନ୍ୟପଟେ ଏହି ଜଟିଳ ସମୟରେ କିଛି ବ୍ୟକ୍ତି ସହାୟତାର ହାତ ବଢ଼ାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏଭଳି କିଛି ବ୍ୟକ୍ତିଙ୍କୁ ନେଇ ବ୍ରହ୍ମପୁରରୁ ପ୍ରଦୀପ କିଶୋର ସାହୁଙ୍କ ଉପସ୍ଥାପନା।

ଆଗେଇ ଆସିଲେ , ପ୍ରାକ୍ତନ ସମିତି ସଭ୍ୟ, ବିଧାୟକ
ଛତ୍ରପୁର ବ୍ଲକ୍ ସୁନ୍ଦରପୁର ଗାଁରେ ଗତ ଜୁଲାଇ ୨୨ତାରିଖରେ ଜ୍ବର, ଥଣ୍ତା ଓ କାଶରେ କୁନି ମହାଙ୍କୁଡ଼ (୪୫) ନାମକ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ରହିଥିବା ବେଳେ ସେମାନଙ୍କ ପକ୍ଷେ ଏକାକି ଶବ ସତ୍କାର କରିବା ଅସମ୍ଭବ ହୋଇପଡ଼ିଥିଲା। ଏହିଭଳି ଦୁଃସ୍ଥିତି ସମୟରେ ସହଯୋଗର ହାତ ବଢ଼ାଇଥିଲେ, ପୂର୍ବତନ ସମିତି ସଭ୍ୟ ଗଗନ କୁମାର ବେହେରା ଓ ବିଜେଡି ଯୁବନେତା କାଳିହା ନାହାକ। ଦୁହେଁ ଗ୍ରାମର ସଞ୍ଜୟ ଗୌଡ଼, ବାବୁଲି ନାହାକ, ଅମିତ ମହାଙ୍କୁଡ଼, ବିଟୁ ମହାଙ୍କୁଡଙ୍କୁ ଡାକି ନେଇ ମହିଳାଙ୍କ ଶବ ସତ୍କାର କରିଥିଲେ। ଅସମୟରେ ମଣିଷପଣିଆର ପରିଚୟ ଦେଇଥିଲେ।

Catch News

ସେହିପରି ଗତ ମାସ ୨୬ତାରିଖରେ ଗଞ୍ଜାମ ବ୍ଲକ୍‌ ଭୁଆଁଭୂଇଁ ଗ୍ରାମର ତ୍ରିନାଥ ବେହେରା(୭୦) ଜଣେ ବୃଦ୍ଧଙ୍କ ସ୍ବାଭାବିକ ମୃତ୍ୟୁ ହୋଇଥିଲା। କିନ୍ତୁ ଶବ ସତ୍କାର କରିବା ଲାଗି ଗ୍ରାମବାସୀ ଓ ସାହି ପଡ଼ୋଶୀ କେହି ଯାଇ ନ ଥିଲେ। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଗଞ୍ଜାମ ବିଡ଼ିଓ ପ୍ରଦୀପ କୁମାର ପଣ୍ତା ହସ୍ତକ୍ଷେପ କରିଥିଲେ। ଏମାନେ ସ୍ଥାନୀୟ ଅ˚ଚଳର କିଛି ଯୁବକଙ୍କୁ ବୁଝାସୁଝା କରିବା ପରେ ସେମାନେ ପିପିଇ କିଟ୍‌ ପିନ୍ଧି ମୃତକଙ୍କ ପରିବାର ଲୋକଙ୍କୁ ସହଯୋଗ କରି ଶବ ସତ୍କାର କରିଥିଲେ।

ମହାନତା ଦେଖାଇଲେ ବିଜୁ ଯୁବବାହିନୀ, ସାମ୍ବାଦିକ
କୁକୁଡ଼ାଖଣ୍ତି ବ୍ଲକ ବୋରିଗାଁ ପଞ୍ଚାୟତ ଜକରାପଲ୍ଲୀ ଗ୍ରାମରେ ଗତ ୨୧ ତାରିଖରେ ଜି.ବୁଡିଆମ୍ମା (୭୪) ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସାହି, ପଡୋଶୀ ଓ ସମ୍ପର୍କୀୟ କେହି ମଧ୍ୟ ଶବର ପାଖତଡ଼ ମାଡ଼ି ନଥିଲେ। ଦୀର୍ଘ ସମୟ ଧରି ଶବ ପଡ଼ି ରହିଥିଲା। ସ୍ଥାନୀୟ ସରପଞ୍ଚ ବସନ୍ତ ସାହୁ ସୂଚନା ପାଇ ମୃତକଙ୍କ ଘରେ ପହଞ୍ଚିଥିଲେ। ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଦ୍ବାରା ଶବକୁ ଶ୍ମଶାନକୁ ନେବା ଲାଗି ବ୍ୟବସ୍ଥା କରିଥିଲେ। ବିଜୁ ଯୁବ ବାହିନୀର ରଞ୍ଜନ ସାବତ, ଅଭିରାମ ସେଠୀ, ବିଦେଶୀ ସେଠୀ, ସନ୍ତୋଷ ସେଠୀ ଓ ଅରୁଣ ସେଠୀ ପ୍ରମୁଖ ଶ୍ମଶାନରେ ଶବର ସତ୍କାର କରିଥିଲେ।

ଅନ୍ୟପକ୍ଷରେ ଶେରଗଡ଼ ବଡ଼ଦାଣ୍ତସାହିର ଅବସରପ୍ରାପ୍ତଶିକ୍ଷକ ପୀତାମ୍ବର ପାଢ଼ୀଙ୍କୁ ଜ୍ବର ଓ ଥଣ୍ତା ହୋଇଥିଲା। କିଛି ଦିନ ଚିକିତ୍ସା ପରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଏହାପରେ ଦେଖା ଦେଇଥିଲା କରୁଣ ପରିସ୍ଥିତି। ଶବ ପଡ଼ି ରହିଥିବା ବେଳେ ପଡ଼ୋଶୀ ଓ ଗ୍ରାମବାସୀ କେହି ବି ଆସିଲେନି। ଶେଷରେ ୪ଜଣ ସାମ୍ବାଦିକ ଆସି ଶବକୁ କାନ୍ଧ ଦେଇଥିଲେ। ଆମ୍ବୁଲାନ୍ସ୍ ଯୋଗେ ଶବକୁ ବ୍ରହ୍ମପୁର ପଠାଇବାରେ ଏହି ୪ ସାମ୍ବାଦିକ ସହଯୋଗ କରିଥିଲେ। ସେହିପରି ଗତ ୨୫ତାରିଖରେ କୋଭିଡ୍ ଯୋଦ୍ଧା ତଥା ଭଞ୍ଜନଗର କୋର୍ଟରେ ପୁଲିସ ଏସ୍‌ଆଇ ଭାବେ କାର୍ଯ୍ୟରତ ଆର.ଏନ୍‌.ବେହେରାଙ୍କ କୋଦଳା ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିଲା। ୧୨ଘଣ୍ଟା ଧରି ଶବ ପଡ଼ି ରହିଥିଲା। ଦୁଇ ସାମ୍ବାଦିକ ଭଗବାନ ପାଢ଼ୀ ଓ ସନ୍ତୋଷ ସେଠୀ ଏବଂ କନଷ୍ଟେବଳ ରଶ୍ମୀ ପଣ୍ଡା, ଲକ୍ଷ୍ମୀ ବେହେରା, ସାମାଜିକକର୍ମୀ ଗୁରା ଅଲ୍ଲୀ, ଏନ୍‌ଏସିର ଦୁଇ କର୍ମଚାରୀ ପିପିଇ କିଟ୍ ପିନ୍ଧି ଶବକୁ ଉଠାଇଥିଲେ।

ସମ୍ବନ୍ଧିତ ଖବର