ଆଇଏଏସ୍‌ ସ୍ତରରେ ଅଦଳବଦଳ: ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ବର : ୨୦୦୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନୂଆ ସଚିବ ହେବେ। ସେ ବହୁ ଦିନ ଧରି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। ୨୦୧୦ ବ୍ୟାଚ୍‌ର ଅଧିକାରୀ ଡି ବୃନ୍ଦା ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦ୍ଦେଶିକା ଭାବେ ନିଯୁକ୍ତି ପାଇଛନ୍ତି। ସେ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଓ ଖାଦ୍ୟ ସୁରକ୍ଷା କମିସନର୍ ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ କେ ଶର୍ମା ସ୍ବାସ୍ଥ୍ୟଗତ କାରଣରୁ ଲମ୍ବା ଛୁଟିରେ ଅଛନ୍ତି।

ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଓ ଗ୍ରିଡ୍‌କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ଠାରୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ବ କାଢ଼ି ନିଆଯାଇ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। ହସ୍ତତନ୍ତ ଓ ବୟନଶିଳ୍ପର ବିଭାଗର ସଚିବ ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ବଦଳି କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେ ଓର୍‌ମାସ୍‌ର ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ। ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଥିବା ଆଇଆର୍ଟିଏସ୍ ଅଧିକାରୀ ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲ୍ ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଓଏଏସ୍ ଅଧିକାରୀ ସରୋଜ କୁମାର ମିଶ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମଳିଛି। ସେ ଗୃହ ବିଭାଗର ସ୍ବତନ୍ତ୍ର ସଚିବ(ପ୍ରୋଟୋକୋଲ୍) ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ସମ୍ବନ୍ଧିତ ଖବର