ପ୍ରତି ବିଦ୍ୟାଳୟରେ ‘ହାଉସ୍‌ ସିଷ୍ଟମ’, ଏକାଡେମିକ୍‌ କ୍ୟାଲେଣ୍ଡର୍‌

‘ମୋ ସ୍କୁଲ୍‌ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ, ୨୩୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା ସହ ଟିମ୍‌ ୱାର୍କ, ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ‘ହାଉସ୍‌ ସିଷ୍ଟମ୍‌’ ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ମୋ ସ୍କୁଲ୍‌ ଅଭିଯାନ’ର ୩୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅବସରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌.।

ସୂଚନା ଅନୁସାରେ, ସ୍କୁଲ୍ ଶିକ୍ଷାରେ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ପୂର୍ବରୁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଥିବା ସ୍କୁଲ୍‌ କ୍ୟାବିନେଟ୍‌କୁ ଅଧିକ କାର୍ଯ୍ୟକ୍ଷମ କରାଯିବ। ପ୍ରାଥମିକ ବିଦ୍ୟାଳୟରେ ‘ସ୍କୁଲ୍‌ କ୍ୟାବିନେଟ୍‌’ ଓ ମାଧ୍ୟମିକ ବିଦ୍ୟାଳୟରେ ‘ହାଉସ୍‌ ସିଷ୍ଟମ୍‌’ ରହିବ। ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହାଉସ୍‌ ଗଠନ ହେବ। ପ୍ରତ୍ୟେକ ହାଉସ୍‌ରେ ଉଭୟ ଛାତ୍ର ଓ ଛାତ୍ରୀ ରହିବେ। ସପ୍ତାହର ପ୍ରତି ଶନିବାର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ସହପାଠ୍ୟଭିତ୍ତିକ ଓ ଆକାଂକ୍ଷିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆଗାମୀ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଏହି ହାଉସ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସଚିବ ଅଶ୍ୱଥି ଏସ୍‌. କହିଛନ୍ତି। ଏଥିସହିତ, ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟୁଡେଣ୍ଟ୍‌ ଡାଏରି ବାଧ୍ୟତାମୂଳକ ଓ ପ୍ରତି ବିଦ୍ୟାଳୟରେ ଏକାଡେମିକ୍‌ କ୍ୟାଲେଣ୍ଡର୍‌ ପ୍ରଚଳନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ‘ମୋ ସ୍କୁଲ୍‌’ ସହ ବିଭାଗ ଅଧୀନ ଅନ୍ୟ ନିର୍ଦ୍ଦେଶାଳୟ ମିଳିତ ଭାବେ ଏଦିଗରେ କାର୍ଯ୍ୟ କରିବେ।

ଅନ୍ୟପକ୍ଷରେ, ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାନୁୟାରି ୨୬ରୁ ଜିଲ୍ଲା ଏବଂ ସ୍କୁଲ୍‌ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଶିକ୍ଷା ବିକାଶ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିବ। ଆସନ୍ତା ଫେବ୍ରୁଆରି ମାସରେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନେଇ ‘ମୋ ସ୍କୁଲ୍‌’ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ‘ମୋ ସ୍କୁଲ୍‌ ଅଭିଯାନ’ ଅଧୀନରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲାଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ ବୋଲି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ମୋଟ ୨୩୦ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବୈଠକରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି ଏବଂ ମୋ ସ୍କୁଲ୍‌ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର