ବିଅର ଏକ୍ସପାରି ଅବଧି ବୃଦ୍ଧି : ୬ ମାସ ବଦଳରେ ୯ ମାସ, ଡିପୋରେ ଗଡ଼ୁଛି ୮୪୩ କେସ୍ କେନ୍ ବିଅର

କଟକ : ରାଜ୍ୟରେ ବିଅର୍‌ର ଏକ୍ସପାରି ଅବଧି ବୃଦ୍ଧି କରାଯାଇଛି। ପ୍ରସ୍ତୁତ ହୋଇଥିବା ବିଅରର ଏକ୍ସପାରି ତାରିଖ ୬ ମାସ ଯାଏ ଥିବାବେଳେ ତାକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି। ଲକଡାଉନ୍ ପାଇଁ ବିଅରଗୁଡ଼ିକ ବିକ୍ରି ନହୋଇ ଡିପୋରେ ପଡ଼ି ରହିବାରୁ ଲାବ୍ରୋଟୋରିରେ ଯାଞ୍ଚ ପରେ ଅବକାରୀ କମିସନର ଏ ପ୍ରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ୩ ମାସ ଅବଧି କେବଳ କୋଭିଡ୍ ସମୟରେ ଲାଗୁ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଖୋର୍ଧା ଡିପୋରେ ୨୦୧୯ ଡିସେମ୍ବର ୭ ତାରିଖରୁ ପ୍ରସ୍ତୁତ ହୋଇଥିବା ନିର୍ଦ୍ଦିଷ୍ଟ କମ୍ପାନିର ୫୦୦ ଏମଏଲର ୭୩୪ କେସ୍ ବିଅର ଖୋର୍ଧା ମଦ ନିଗମରେ ପଡ଼ିରହିଥିବା ବେଳେ ରାୟଗଡ଼ା ଡିପୋରେ ୧୦୯ କେସ୍ ବିଅର ପଡ଼ିରହିଛି। ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ବୋଲି କୁହାଯାଉଛି। ଏହି ବିଅରର ଏକ୍ସପାରି ତାରିଖ ୬ ମାସ ରହିଥିବାରୁ ବଜାରରେ ବିକ୍ରି କରିବାରେ ସମସ୍ୟା ସୃଷ୍ଟି ହେଉଛି। ଲୋକେ ଏକ୍ସପାରି ବିଅର କିଣିବାକୁ ନାପସନ୍ଦ କରୁଛନ୍ତି। ମାର୍ଚ୍ଚ ୨୪ରୁ ମେ ୨୩ ପର୍ଯ୍ୟନ୍ତ ଲକଡାଉନ୍ ପାଇଁ ମଦ ଦୋକାନ ବନ୍ଦ ରହିବାରୁ ବିଅର ବିକ୍ରି ହୋଇପାରିଲା ନାହିଁ। ମେ ୨୪ରେ ଦୋକାନ ଖୋଲିବା ପରେ ୫୦ ପ୍ରତିଶତ କୋଭିଡ ଟ୍ୟାକ୍ସ ଏବଂ ବର୍ଷା ଋତୁ ଆରମ୍ଭ ଯୋଗୁ ଲୋକେ ବିଅର କିଣିଲେ ନାହିଁ। ଏଭଳି ସ୍ଥିତି ପାଇଁ ବିଅରଗୁଡ଼ିକ ଡିପୋରେ ବିକ୍ରି ନହୋଇ ପଡ଼ି ରହିବାରୁ ଏକ୍ସପାରି ଡେଟ୍ ଚାଲିଯାଇଥିଲା। ଅବକାରୀ କମିସନର ଅଞ୍ଜନ କୁମାର ମାଣିକ, ଓଡ଼ିଶା ପାନୀୟ ମଦ ନିଗମ(ଓଏସବିସି)ର ନିର୍ଦ୍ଦେଶଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ୩ ଜଣିଆ କମିଟି କେବଳ ଡିପୋରେ ଥିବା ବିଅରର କ୍ବାଲିଟି ଟେଷ୍ଟ ପାଇଁ ରସୁଲଗଡ଼ସ୍ଥିତ ରାଜ୍ୟ ଡ୍ରଗସ୍ ରିସର୍ଚ୍ଚ ଆଣ୍ଡ ଟେଷ୍ଟିଂ ଲାବ୍ରୋଟୋରିକୁ ପଠାଇ ଥିଲେ। ସେହି ବିଅର ପିଇବା ଯୋଗ୍ୟ ବୋଲି ଲାବ୍ରୋଟୋରି ରିପୋର୍ଟ ଆସିବା ପରେ ଡିପୋରେ ଥିବା ବିଅରଗୁଡ଼ିକୁ ଆହୁରି ୩ ମାସ ପର୍ଯ୍ୟନ୍ତ ପିଇବା ଯୋଗ୍ୟ ବୋଲି ଅନୁମତି ମିଳିଛି। ଓଡ଼ିଶା ବିଅର ୬ ମାସ ପର୍ଯ୍ୟନ୍ତ ବିକ୍ରି ହେବା ନେଇ ୨୦୧୭ ଅବକାରୀ ଆଇନରେ ସେଭଳି କୌଣିସ ବ୍ୟବସ୍ଥା ନାହିଁ। ଓଡ଼ିଶାରୁ ଚାଲାଣ ହେଉଥିବା କିମ୍ବା ଅନ୍ୟ ରାଜ୍ୟରେ ଉତ୍ପାଦିତ ବିଅର ପଶ୍ଚିମବଙ୍ଗ, ତ୍ରିପୁରା, ପଣ୍ଡିଚେରୀ, ଦିଲ୍ଲୀ ଭଳି କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ବର୍ଷ ପର୍ଯ୍ୟନ୍ତ ଅବଧି ରହୁଛି। ବିଅର ପ୍ରସ୍ତୁତି ହେବାର ଏକ ବର୍ଷ ଯାଏ ସେଠାରେ ବ୍ୟବହାର କରାଯାଏ। ଅବକାରୀ କମିସନର ଅଞ୍ଜନ କୁମାର ମାଣିକ କହିଛନ୍ତି ଯେ, କୋଭିଡ ପାଇଁ ବିଅରଗୁଡ଼ିକ ଡିପୋରେ ପଡ଼ିରହିଥିବାରୁ ସେଗୁଡ଼ିକ ପରୀକ୍ଷା ପରେ ୩ ମାସ ଅବଧି ବୃଦ୍ଧି କରାଯାଇଛି। ଏବେ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିବା ବିଅରର ଅବଧି ପୂର୍ବ ଭଳି ୬ ମାସ ରହିବ। ଅନ୍ୟପଟେ ଓଡ଼ିଶାରେ ବିକ୍ରି ହେଉଥିବା ବିଅର ବାହାର ରାଜ୍ୟରେ ଏକ ବର୍ଷ ଯାଏ ରହୁଛି। ସେହି ଦୃଷ୍ଟି କେମିକାଲ୍ ଟେଷ୍ଟ ପରେ ଅବଧି ବୃଦ୍ଧି କରାଯାଇଥିବା ଶ୍ରୀ ମାଣିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର