କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

ତେଲକୋଇ/ରାଇସୁଆଁ : ଗୁରୁବାର ଅପରାହ୍ଣରେ ତେଲକୋଇ ଅଞ୍ଚଳରେ ପୁଣି କାଳବୈଶାଖୀ ତାଣ୍ଡବ ‌ରଚାଇଛି। ବୁଧବାର ଦିନ ଦେଉଳଡିହା, ତେଲକୋଇ, ଖୁଣ୍ଟାପଡା, ଆକୁଳ, ପଡାଙ୍ଗ, କରମଙ୍ଗି ପଞ୍ଚାୟତରେ କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ବେଳେ ଗୁରୁବାର ଦିନ ବିମଳା, ରାଇସୁଆଁ ପଞ୍ଚାୟତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଗୁରୁବାର ଅପରାହ୍ଣ ସାଢେ ୩ଟା ବେଳେ ହଠାତ୍ ଆକାଶରେ ଅନ୍ଧାର ଘୋଟି ଆସିବା ସହିତ ବିଜୁଳି ଘଡ଼ଘଡ଼ି ସହ ପବନ ବହିବା ଆରମ୍ଭ କରିଥିଲା। ପରେ ପରେ ବର୍ଷା ମଧ୍ୟ ହୋଇଥିଲା। ପବନରେ ଶିରିଗିଡା ଶନି ମନ୍ଦିରଠାରେ ଗଛ ପଡି ଶିରିଗିଡି-ବିମଳା-ରାଇସୁଆଁ ଓ ବିମଳା ଫରେଷ୍ଟ ଚେକ୍ ଗେଟ୍ ଠାରେ ଗଛ ପଡି ବିମଳା-ଗଡପଳାଶୁଣୀ-ତାଳଚେର ପୂର୍ତ୍ତ ରାସ୍ତା ଅବରୋଧ ହୋଇଥିଲା। ପରେ ବାଟୋଇ ଓ ସ୍ଥାନୀୟ ଲୋକ ମିଶି ଗାଡ଼ି ଚଳାଚଳ ନିମନ୍ତେ ଗଛ କାଟି ରାସ୍ତା ଅବରୋଧ ହଟାଇ ଥିଲେ।

୫-ଟି ମାଧ୍ୟମରେ ବିମଳାସ୍ଥିତ ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହ କାର୍ଯ୍ୟ କରାଯାଇଥିଲା। ସ୍କୁଲର ଆଜବେଷ୍ଟସ ଛାତ ଉଡ଼ାଇ ନେଇଛି। ରାଇସୁଆଁ ପଞ୍ଚାୟତ ରାଣୀବେଡା ଗ୍ରାମ ଝାଟିକିପଶି ସାହିରେ ଏକ ମହୁଲ ଗଛ ଉପୁଡ଼ି ପଡ଼ିବାରୁ ସରୋଜ କୁମାର ମହାନ୍ତଙ୍କ ରୋଷେଇ ଓ ଗୁହାଳ ଘର ଉପରେ ମାଡ଼ି ବସିଛି। ଗତକାଲି କାଳବୈଶାଖୀ ଦ୍ବାରା ୨୨ଟି ପରିବାରର ଘର ଭାଙ୍ଗିଥିବା ବେଳେ ୪ଟି ସ୍କୁଲର ଶ୍ରେଣୀ ଗୃହ ନଷ୍ଟ ହୋଇଥିବା ରାଜସ୍ୱ ବିଭାଗ ନିକଟରେ ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଅଶ୍ବିନୀ କୁମାର ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର