ଡିଗ୍ରି କଲେଜରେ କଡ଼ାକଡ଼ି ହେବ ପ୍ରୋକ୍ଟରିଆଲ୍‌ କ୍ଲାସ ବ୍ୟବସ୍ଥା: ଦୁର୍ବଳ ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ

ଭୁବନେଶ୍ବର: ଡିଗ୍ରି କଲେଜରେ ୭୫ ପ୍ରତିଶତ ଉପସ୍ଥାନ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ। ଯେଉଁ ପିଲାଙ୍କର କ୍ଲାସରୁମ୍‌ରେ ଉପସ୍ଥାନ କମ୍‌ ଥିବ ଓ ଦୁର୍ବଳ ପିଲା ହୋଇଥିବେ ସେମାନଙ୍କ ଲାଗି କଲେଜରେ ଏକ୍ସଟ୍ରାକ୍ଲାସ ହେବ, ଅର୍ଥାତ୍ ପ୍ରତ୍ୟହ ପାଠପଢା ସରିବା ପରେ କିମ୍ବା ଛୁଟି ଦିନମାନଙ୍କରେ ପାଠପଢାଯିବ। ଏହାଦ୍ବାରା ପିଲାଙ୍କ ଉପସ୍ଥାନ ବଢ଼ିବା ସହ ସେମାନଙ୍କ ପାଠପଢ଼ାରେ ଉନ୍ନତି ଆସିବ। ପ୍ରୋକ୍ଟରିଆଲ୍‌ କ୍ଲାସ ବ୍ୟବସ୍ଥାର ଅଂଶବିଶେଷ ଭାବେ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜକୁ ନିର୍ଦେଶ ଦିଆଯାଇଛି।

ଚଳିତ ଶିକ୍ଷାବର୍ଷରେ ଡିଗ୍ରି କଲେଜଗୁଡ଼ିକ ପାଇଁ ପ୍ରୋକ୍ଟରିଆଲ୍‌ କ୍ଲାସ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥାରେ ପ୍ରତି ଶ୍ରେଣୀର ୨୦ରୁ ୨୫ ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ୍‌ ଗଠନ କରାଯିବ। ଆଉ ପ୍ରତି ଗ୍ରୁପ୍‌ର ଦାୟିତ୍ବ ଜଣେ ଲେଖାଏ ଅଧ୍ୟାପକଙ୍କୁ ଦିଆଯିବ। ଦୁର୍ବଳ ପିଲାମାନେ କିଭଳି ଭଲ ପ୍ରଦର୍ଶନ କରିପାରିବେ, ଶ୍ରେଣୀଗୃହ ତଥା କଲେଜରେ ପିଲାଙ୍କ କାର୍ଯ୍ୟକଳାପ ନେଇ ନିୟମିତ ବ୍ୟବଧାନରେ ଅଭିଭାବକଙ୍କୁ ଅବଗତ କରାଇବା, ଅଭିଭାବକଙ୍କ ସହ ବୈଠକ ଆଦି ଉପରେ ଅଧ୍ୟାପକ ପ୍ରାଥମିକତା ଦେବେ। ଯେଉଁ ପିଲାମାନେ ନିୟମିତ ବ୍ୟବଧାନରେ କଲେଜକୁ ଆସୁ ନଥିବେ କିମ୍ବା ଅନୁପସ୍ଥିତ ରହୁଥିବେ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଯିବ। ଏହି ପ୍ରୋକ୍ଟରିଆଲ୍‌ କ୍ଲାସ ବ୍ୟବସ୍ଥା ରାଜ୍ୟର କେତେକ କଲେଜରେ ଇତି ମଧ୍ୟରେ ଆରମ୍ଭ ହେବା ସହ ସଫଳତା ମଧ୍ୟ ମିଳିଛି। ଯେଉଁ ପିଲାମାନେ କ୍ଲାସ କରିବାକୁ ଆସୁ ନଥିଲେ ସେମାନେ ଏବେ ନିୟମିତ କଲେଜକୁ ଆସୁଛନ୍ତି। ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ ମାସରେ ସେମିଷ୍ଟାର ପରୀକ୍ଷା ଥିବାରୁ ୭୫ ପ୍ରତିଶତ ଉପସ୍ଥାନ ନ ଥିବା ଛାତ୍ରଛାତ୍ରୀ ଏକ୍ସଟ୍ରା କ୍ଲାସରେ ଭାଗନେ‌ଇ ସେମାନଙ୍କ ଉପସ୍ଥାନ ବଢ଼ାଇ ପାରିବେ। ପ୍ରୋକ୍ଟରିଆଲ୍‌ କ୍ଲାସ ଦାୟିତ୍ବରେ ଥିବା ଅଧ୍ୟାପକମାନେ କ୍ଲାସ ପରେ ଏକ୍ସଟ୍ରାକ୍ଲାସ କ୍ଲାସ କରି ନିଜ ଗ୍ରୁପ୍‌ର ପିଲାଙ୍କୁ ପଢ଼ାଇବେ। ଅଧ୍ୟାପକଙ୍କ ପାଇଁ ଯେଉଁ ୭ ଘଣ୍ଟା କରାଯାଇଛି ସେଥିରେ ହିଁ ସେମାନେ ପିଲାଙ୍କ ଏକ୍ସଟ୍ରାକ୍ଲାସ କରିପାରି‌ବେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହିକ୍ରମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ତଥା ପରୀକ୍ଷା ଭଲ କରିବା ପାଇଁ ପ୍ରୋକ୍ଟରିଆଲ୍‌ କ୍ଲାସ ବ୍ୟବସ୍ଥା ହୋଇଛି। ତାହାକୁ କିଭଳି କଡ଼ାକଡ଼ି ପାଳନ କରାଯିବ ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଗ୍ରି କଲେଜକୁ କୁହାଯାଇଛି।

ସମ୍ବନ୍ଧିତ ଖବର