ମିଛଧରା ପରୀକ୍ଷା ଦେ‌ଲା ନକଲି ଡାକ୍ତର ରମେଶ ସ୍ବାଇଁ, ଝାରପଡ଼ା ଜେଲଗଲା ଅଭିଯୁକ୍ତ

ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ବାଇଁର ଆଜି ମିଛଧରା ପରୀକ୍ଷା ହୋଇଛି। ଭୁବନେଶ୍ବରସ୍ଥିତ ଷ୍ଟେଟ୍‌ ଫରେନ୍‌ସିକ ସାଇନ୍ସ ଲାବ୍ରୋଟେରି‌(ଏସ୍‌ଏଫ୍‌ଏସ୍‌ଏଲ)ରେ ୧୮ ଜଣ ମହିଳାଙ୍କର ସ୍ବାମୀ ରମେଶ ସ୍ବାଇଁର ଲାଏଡିଟେକ୍ସ ପରୀକ୍ଷା କରାଯାଇଛି। ଅଭିଯୁକ୍ତ ରମେଶ ପୁଲିସ ପକ୍ଷରୁ ପଚାରାଯାଇଥବା ପ୍ରଶ୍ନର ୭୦ ପ୍ରତିଶତ ଉତ୍ତର ରଖିଛି। ପୁଲିସର ତଦନ୍ତରେ ‌ରମେଶ ପୂରା ସହଯୋଗ କରିଥିବା ଜଣାପଡ଼ିଛି। ତଦନ୍ତ ପରେ ରମେଶକୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିବା ବେଳେ ଫାଇଣ୍ଡିଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ, ୧୮ ମହିଳାଙ୍କୁ ବିବାହ, ଏମ୍‌ବିବିଏସ୍ ଆଡମିସନ୍ ନାଁରେ ଠକେଇ, ଚାକିରି ନାଁରେ ଚୂନ, ପୁଳାପୁଳା ବ୍ୟବସାୟୀଙ୍କୁ ଠକିବା ମାମଲାରେ ତିନିଟି ପର୍ଯ୍ୟାୟରେ ୧୩ଦିନ ରିମାଣ୍ଡରେ ଆଣି ନକଲି ଡାକ୍ତର ରମେଶ ସ୍ବାଇଁଠାରୁ ତଥ୍ୟ, ପ୍ରମାଣ କାଢ଼ିବାରେ ବିଫଳ ହୋଇଥିବା ପୁଲିସ ମିଛଧରା ପରୀକ୍ଷା ପାଇଁ ଏସ୍‌ଏଫ୍‌ଏସ୍‌ଏଲକୁ ନେଇଥିଲା। କୋର୍ଟରୁ ଅନୁମତି ମିଳିବା ପରେ ଆଜି ପୁଲିସ ରାଜ୍ୟ ଫୋରେନସିକ୍ ଲାବରେଟୋରିରେ ନକଲି ଡାକ୍ତର ରମେଶ ସ୍ୱାଇଁର ଲାଏ ଡିଟେକ୍ସନ ଟେଷ୍ଟ କରାଇଥିଲା।

ଆଜି ସକାଳୁ ପୁଲିସ ରମେଶକୁ ଝାରପଡ଼ା ଜେଲରୁ ଆଣି ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ମିଛଧରା ପରୀକ୍ଷା କରାଯିବ। ଅଭିଯୋଗ, ତଦନ୍ତ ବେଳେ ସାମ୍ନାକୁ ଆସିଥିବା କେତୋଟି ଦିଗ ଉପରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଛି। ସେହିପରି ରମେଶର ପ୍ରଥମ ପତ୍ନୀଙ୍କ ବୟାନରୁ ମଧ୍ୟ କେତେକ ପ୍ରଶ୍ନ ତିଆରି କରାଯାଇଥିବା ଜଣାପଡ଼ିଛି।

ଠକେଇ ଭଳି ମାମଲାରେ ମିଛଧରା ପରୀକ୍ଷା କେତେ ଦୂର ସହାୟକ ହେବ ଓ ଏହାକୁ ଆଧାର କରି ପୁଲିସ ତଦନ୍ତକୁ କେତେ ବାଟ ଆଗେଇ ନେବ, ତାହା ଜଣାପଡ଼ିବ। ସୂଚନା ଥାଉ କି ଗତକାଲି ରଙ୍ଗିଲା ରମେଶର ପ୍ରଥମ ପତ୍ନୀ ଶାନ୍ତିଲତାଙ୍କୁ ମହିଳା ଥାନା ପୁଲିସ ମାରାଥନ ଜେରା କରିଥିଲା । ଜେରା ବେଳେ ସେ ରମେଶର ଠକେଇ ବାବଦରେ ପୁଲିସକୁ ବହୁ ତଥ୍ୟ ଦେଇଥିଲେ |

ସମ୍ବନ୍ଧିତ ଖବର