ଫନୀ ମୁକାବିଲା ଲାଗି ନୌସେନା, ଏନଡିଆରଏଫ ପ୍ରସ୍ତୁତ

ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଘନୀଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି । ଏହା ଉପକୂଳ ଓଡ଼ିଶାରେ ମାଡ ହେବାର ସମ୍ଭାବନା ଥିବାରୁ ସରକାର ଭାରତୀୟ ନୌସେନା ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ) କୁ ପ୍ରସ୍ତୁତ ରଖିଛନ୍ତି ।

ଏହି ବିପର୍ଯ୍ୟୟର ମୁକାବିଲା କରିବାକୁ ତଥା ଆବଶ୍ୟକୀୟ ମାନବୀୟ ସହାୟତା ପ୍ରଦାନ କରିବା ପାଇଁ ନୌସେନାର ପୂର୍ବ-କମାଣ୍ଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି । ଚିକିତ୍ସା ସହାୟତା ସମେତ ଉଦ୍ଧାର କାର୍ଯ, ଲଜିଷ୍ଟିକ୍ସ, ମାନବୀୟ ସହାୟତା, ରିଲିଫ ଆଦି କାର୍ଯ୍ୟ ଲାଗି ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରିବା ପାଇଁ ବିଶାଖାପାଟଣା ଏବଂ ଚେନ୍ନାଇଠାରେ ଦୁଇଟି ନୌସେନା ଜାହାଜ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଜାହାଜମାନଙ୍କରେ ଅତିରିକ୍ତ ବୁଡାଳୀ, ଡାକ୍ତର, ଭାସମାନ ରବର ବୋଟ ଏବଂ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି । ରିଲିଫ ସାମଗ୍ରୀ ମଧ୍ୟରେ ଖାଦ୍ୟ ପଦାର୍ଥ, ତମ୍ବୁ, ଔଷଧ, କମ୍ବଳ ଇତ୍ୟାଦି ପ୍ରଚୁର ପରିମାଣରେ ରହିଛି । ଜରୁରୀକାଳୀନ ଉଦ୍ଧାର କାର୍ଯ, ପ୍ରାଥମିକ ଚିକିତ୍ସା ଓ ବାୟୁ ମାର୍ଗରୁ ରିଲିଫ ଖାଦ୍ୟ ପକେଇବା ଲାଗି ନୌସେନାର ବାୟୁଯାନ ତାମିଲନାଡୁର ଆରାକ୍କୋନମଠାରେ ନାଭାଲ ଏୟାର ଷ୍ଟେସନ ରାଜାଲି ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆଇଏନଏସ ଦେଗାରେ ପ୍ରସ୍ତୁତ ହୋଇ ରହିଛନ୍ତି ।

ସେହିପରି ଏନଡିଆରଏଫର ପ୍ରାୟ ୧୨ଟି ଟିମକୁ ପ୍ରସ୍ତୁତ ରଖାଯାଇଛି । ଏମାନେ ମୁଣ୍ଡଳି ନିକଟରେ ପ୍ରସ୍ତୁତ ହୋଇ ରହିଛନ୍ତି । ବାଲେଶ୍ୱରଠାରେ ମଧ୍ୟ ଏକ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି । ଅଧିକ ସୁରକ୍ଷା ବଳ ସହ ଆବଶ୍ୟକୀୟ ଉପକରଣ ବିଶେଷକରି ଗଛ କଟା ଯନ୍ତ୍ର ସହ ସେମାନେ ପ୍ରସ୍ତୁତ ଅଛନ୍ତି । ଝାଡଖଣ୍ଡ ଆରଆରସିକୁ ହଟ ଷ୍ଟାଣ୍ଡବାଏ ଭାବେ ରହିବା ପାଇଁ ଆଲର୍ଟ କରାଯାଇଛି ।

ସମ୍ବନ୍ଧିତ ଖବର