ଜୀବିକା ପାଇଁ ଗଲା ଜୀବନ : ଋଣ ଭାର ସହି ନପାରି ଆତ୍ମହତ୍ୟା

ଯାଜପୁରସଦର : ଜୀବିକା ଉପାର୍ଜନ ପାଇଁ ଯାହାକୁ ସାହାରା କରିଥିଲେ ଆଜି ତାହା ଜୀବନ ଅନ୍ତର କାରଣ ହୋଇଛି। ଋଣ ଭାର ସହି ନପାରି ଜଣେ ଯୁବକ ଜୀବନ ହାରି ଦେଇଛନ୍ତି। ଏକମାତ୍ର ରୋଜଗାରିଆ ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଛି ପରିବାର। ଯାଜପୁର ସଦର ଥାନା ମଲ୍ଲିକାପୁର ଗ୍ରାମର ଅକ୍ଷୟ କୁମାର ମହାନ୍ତି(୪୫)।

ବାପାମାଙ୍କ ଗୋଟିଏ ପୁଅ ଅକ୍ଷୟ ବାପାମାଙ୍କ ମୃତ୍ୟୁ ପରେ ପରିବାର ଚଳାଇବା ପାଇଁ ଏକାକୀ ସଂଘର୍ଷ କରୁଥିଲେ । ଦୀର୍ଘ ଦିନ ବିଭିନ୍ନ ଘରୋଇ ବସ୍‌ରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିଲେ। ଏଥିସହିତ ପରିବାରରେ ପତ୍ନୀ, ଝିଅ ଓ ଜଣେ ଅବିବାହିତା ଭଉଣୀର ଭାରକୁ ମୁଣ୍ଡାଇବା ପାଇଁ ଘର ନିକଟରେ ଏକ ଧାନ ହଲର ବସାଇଥିଲେ । ବ୍ୟାଙ୍କରୁ ଋଣ ଆଣି ହଲର କିଣିଥିଲେ ମଧ୍ୟ କଳରେ ଭଲ ଲାଭ ହେଉ ନଥିଲା । ଲକ୍‌ଡାଉନ କାରଣରୁ ମାର୍ଚ୍ଚ ୨୨ରୁ ବସ ସେବା ବନ୍ଦ ହେବା ସହ ଧାନ କଳରେ ଗ୍ରାହକଙ୍କ ଦେଖା ନଥିଲା । ଗୋଟିଏ ପଟେ ରୋଜଗାର ନଥିବା ବେଳେ ଅନ୍ୟ ପଟେ ଘରେ ଥିବା ୧୭ ବର୍ଷୀୟ ଝିଅର ପାଠପଢା଼, ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅର୍ଥ ସାଜିଥିଲା ବଇରି । ମନର କଥାକୁ ମନରେ ଚାପି ରଖି କଷ୍ଟମଷ୍ଟେ ପରିବାର ଚଳାଉଥିବା ଅକ୍ଷୟ ଆଉ ଜୀବନ ଯନ୍ତ୍ରଣାକୁ ସହି ପାରିଲା ନାହିଁ। ଆଜି ସକାଳୁ ଉଠି ପରିବାର ସହ କିଛି ସମୟ ଖୁସିରେ କଟାଇଥିଲେ। ହଲରକୁ ଯାଇଥିଲେ। ଧାନ ପେଷାଇବାକୁ ଗ୍ରାହକ ଆସି ଅକ୍ଷୟଙ୍କୁ ଖୋଜିଥିଲେ। ସେଠାରେ ନପାଇବାରୁ ପରିବାର ଲୋକଙ୍କୁ ପଚାରିଥିଲେ । କିନ୍ତୁ ଅକ୍ଷୟ ହଲରରେ ଥିବା ତାଙ୍କ ସ୍ତ୍ରୀ କହିବା ସହ ହଲର ନିକଟକୁ ଧାଇଁ ଆସିଥିଲେ । କିନ୍ତୁ ଦୋକାନ ଘର ବନ୍ଦ ଥିବାରୁ କବାଟ ଫାଙ୍କାରେ ଦେଖିବାରୁ ଅକ୍ଷୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଗ୍ରାମବାସୀଙ୍କ ସହାୟତାରେ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଯାଜପୁରର ବାରୁଣୀ ପଡ଼ିଆରେ ଶେଷକୃତ୍ୟ କରାଯାଇଛି। ଅକ୍ଷୟଙ୍କ ଏକମାତ୍ର ଝିଅ ମୁଖାଗ୍ନି ଦେଇଥିଲେ। ଅକ୍ଷୟଙ୍କ ପରିବାର ବେସାହାରା ହୋଇପଡିଥିବା ବେଳେ ସରକାରୀ ସହଯୋଗ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର