ବିହନ ଚାଷକୁ ଗୁରୁତ୍ବ ନାହିଁ, କ୍ଷତିରେ ଚାଷୀ

ଧାନ ବିହନ ଆବଶ୍ୟକତା ମେଣ୍ଟାଉନି, ଅଣଧାନ ପାଇଁ ଅନ୍ୟ ରାଜ୍ୟ ଭରସା

ଭୁବନେଶ୍ବର : ଅଣଧାନ ବିହନ ଚାଷ ହେଉନି। ବିହନ ନିଗମ ପକ୍ଷରୁ ଉତ୍ପାଦିତ ଧାନ ବିହନ ଆବଶ୍ୟକତା ମେଣ୍ଟାଇପାରୁ ନାହିଁ। ୨୦୨୨ ଖରିଫ ଚାଷରେ ଏହି ସ୍ଥିତିକୁ କିଭଳି ମୁକାବିଲା କରାଯିବ ତାହା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଧାନ ଚାଷ ପାଇଁ ରାଜ୍ୟକୁ ୧୪ ଲକ୍ଷ କ୍ବିଣ୍ଟାଲ ବିହନର ଆବଶ୍ୟକତା ହୁଏ। ଏଥିରୁ ବିହନ ନିଗମ ପକ୍ଷରୁ କେବଳ ୪ ଲକ୍ଷ କ୍ବିଣ୍ଟାଲ ରିହାତିରେ ଦିଆଯାଏ। ବିଭିନ୍ନ କମ୍ପାନିରୁ ଚାଷୀ ଦେଢ଼ରୁ ୨ ଲକ୍ଷ କ୍ବିଣ୍ଟାଲ ବିହନ କ୍ରୟ କରେ। ପ୍ରାୟ ୬ ଲକ୍ଷ କ୍ବିଣ୍ଟାଲ ଚାଷୀ ନିଜେ ବିଭିନ୍ନ ଉପାୟରେ ବିହନ ସଂରକ୍ଷିତ କରି ରଖିଥାଏ କିମ୍ବା ଯୋଗାଡ଼ କରେ। ଝାରସୁଗୁଡ଼ା ଏବଂ କନ୍ଧମାଳ ବ୍ୟତୀତ ୨୮ଟି ଜିଲ୍ଲାରେ ବିହନ ଚାଷ କରାଯାଉଛି। ଏହା ସତ୍ତ୍ବେ ନିଗମ ଚାଷୀଙ୍କ ଆବଶ୍ୟକତା ପୂରଣ କରିପାରୁ ନାହିଁ। ଯେଉଁ ବିହନ ମଧ୍ୟ ଯୋଗାଣ ହେଉଛି ତାହା ଠିକ୍‌ ସମୟରେ ଦିଆଯାଉନଥିବାରୁ ଚାଷୀ ହାଇବ୍ରିଡ କମ୍ପାନି ବିହନ ଆଡକୁ ମୁହାଁଉଛି। ଚାଷ ଖର୍ଚ ବଢୁଛି। ସାମାନ୍ୟ ପାଣିପାଗ ପରିବର୍ତ୍ତନରେ ରୋଗପୋକ ଲାଗୁଛି। ଦ୍ବିତୀୟତଃ ରାଜ୍ୟରେ ଥିବା ୬ ହଜାର ପ୍ୟାକ୍ସ ଏବଂ ଡିଲରଙ୍କ ଜରିଆରେ ରିହାତିରେ ବିହନ ବିକ୍ରି କରାଯାଏ। ଏଥିପାଇଁ ସରକାର ୪୦ କୋଟି ଟଙ୍କା ସବ୍‌ସିଡି ଦେଇଥାଆନ୍ତି। ସରକାରୀ ବିହନ ଯେତେ ବିକ୍ରି ହେବ ଚାଷୀର ଖର୍ଚ ସେତେ କମ ହେବା ସହ ବିହନ ପ୍ରତିବଦଳ ବଢ଼ିବ। ମାତ୍ର ପ୍ୟାକ୍ସକୁ ଏହି ଟଙ୍କା ପ୍ରଦାନରେ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଯାହା ସରକାରୀ ବିହନ ବିକ୍ରି ବୃଦ୍ଧିରେ ଅନ୍ତରାୟ ହେଉଥିବା କୁହାଯାଉଛି। ସରକାରୀ ନିଷ୍ପତ୍ତି ଅନୁସାରେ, ୨୦୧୬ ମସିହା ପରେ ଚଳିତ ବର୍ଷ ପୁନର୍ବାର ରିହାତିରେ ବିହନ ବିକ୍ରି କରାନଯାଇ ଗ୍ୟାସ ଭଳି ରିହାତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ ବୋଲି ଚର୍ଚ୍ଚା ହେଉଛି। ୨୦୧୬ ମସିହାରେ ଏଭଳି କରାଯିବାରୁ ସରକାରୀ ବିହନ ଚାହିଦା ହ୍ରାସ ପାଇଥିଲା ଏବଂ ପ୍ରତିବଦଳ ବିହନ ମିଳିନଥିଲା। ଏଥିଯୋଗୁଁ ସେହି ବ୍ୟବସ୍ଥା ବନ୍ଦ କରାଯାଇଥିଲା। ଚଳିତ ବର୍ଷ ଏହା କାର୍ଯ୍ୟକାରୀ ହେଲେ ଚାଷୀ ପାଇଁ ସମସ୍ୟା ହେବ। ଅସୁବିଧା ସତ୍ତ୍ବେ ଧାନ ଚାଷ ହେଉଛି।

ପରପକ୍ଷରେ ଅଣଧାନ ଚାଷୀଙ୍କ ଦୁଃଖ କାହିଁରେ କେତେ। ୨୦୨୧ରେ ତୈଳବୀଜ, ବାଦାମ ଚାଷ ବିହନ ପାଇଁ ଚାଷୀ ନାକେଦମ ହୋଇଛନ୍ତି। ସୂଚନା ଅନୁଯାୟୀ ଗତବର୍ଷ ସୂର୍ଯ୍ୟମୁଖୀ ବିହନ ଉତ୍ପାଦିତ ରାଜ୍ୟ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ବିହନକୁ ବିଦେଶକୁ ରପ୍ତାନି କରି ଦେଲେ। ଜାତୀୟ ବିହନ ନିଗମ ପକ୍ଷରୁ ସୂର୍ଯ୍ୟମୁଖୀ ବିହନ କ୍ବିଣ୍ଟାଲ ପିଛା ୨୭ ହଜାର ଟଙ୍କାରୁ ୫୨ ହଜାର ଟଙ୍କାକୁ ବଢାଇଦେବାରୁ ଓଡ଼ିଶା କ୍ରୟ କଲା ନାହିଁ। ଏଥିଯୋଗୁଁ ଓଡ଼ିଆ ଚାଷୀ କ୍ଷତି ସହିଲା। କାହିଁକେତେ ଅଧିକ ମୂଲ୍ୟରେ ଖୋଲା ବଜାରରୁ କ୍ରୟ କଲେ।

ରାଜ୍ୟକୁ ୧୪ ହଜାର କ୍ବିଣ୍ଟାଲ ଚିନାବାଦାମ ବିହନ ଆବଶ୍ୟକତା ହୁଏ। ଅକ୍ଟୋବର ମାସରୁ ଏହା ଚାଷୀଙ୍କୁ ଦେବାକଥା କିନ୍ତୁ ଜାନୁଆରି ପର୍ଯ୍ୟନ୍ତ ଚାଷୀ ଏଥି ପାଇଁ କଲବଲ ହୋଇଥିଲା। ଚଳିତ ବର୍ଷ ନିର୍ବାଚନ ଯୋଗୁଁ ଅଣଧାନ ବିହନ ଯଥା ତୈଳବୀଜ, ଝୋଟ, ଡଣିଚା, ବିରି, ହରଡ଼ ଆଦିର ଟେଣ଼୍ଡର ବିଳମ୍ବିତ ହେଉଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିହନ ଯୋଗାଣ ବିଳମ୍ବ ହେବା ନେଇ ଆଶଙ୍କା କରାଯାଉଛି।

ବିଶେଷଜ୍ଞଙ୍କ ଅନୁସାରେ, ଅଣଧାନକୁ ସରକାର ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ମୁଗ, ବିରି, ବାଦାମ, ଝୋଟ, ସୋରିଷ ବିହନ ଉତ୍ପାଦନ ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଛି। କିନ୍ତୁ କାହିଁକି ଏହି ବିହନ ଚାଷ କରାଯାଉ ନାହିଁ। ଏଥିପ୍ରତି କେବେ ଦୃଷ୍ଟି ଦିଆଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର